ବିଜୟ ମୁକୁଟ ପିନ୍ଧିଲା ମୁମ୍ବାଇ

ଦିଲ୍ଲୀକୁ ୫ ଓ୍ଵିକେଟ୍‌ରେ ହରାଇ ପଞ୍ଚମ ଥର ଆଇପିଏଲ ଟ୍ରଫି ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ

0 367

ଦୁବାଇ ୧୦।୧୧(ସତ୍ୟସନ୍ଧାନଡେସ୍କ୍‌)ଆଇପିଏଲରେ ନିଜର ପ୍ରାଧ୍ୟାନ୍ୟ ଜାରି ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ୟୁଏଇର ଦୁବାଇରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ପ୍ରଥମେ ବୋଲର ଏବଂ ପରେ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ଵାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ସହଜରେ ୬ ଓ୍ଵିକେଟ୍‌ରେ ପରାସ୍ତ କରି ପଞ୍ଚମ ଥର ଆଇପିଏଲ ଚମ୍ପିଆନ ହୋଇଛି। ୧୩ତମ ସଂସ୍କରଣରେ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଟ୍ରଫି ଜିତିବାର ଦିଲ୍ଲୀ କ୍ୟାପିଟାଲ୍ସର ସ୍ଵପ୍ନ ଧୂଳିସାତ ହୋଇଛି। ଅନ୍ୟପଟେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ ଟ୍ରଫି ଜିତିଛି। ମୁମ୍ଵାଇ ଇଣ୍ଡିଆନ୍ସ କ୍ରମାଗତ ଦ୍ଵିତୀୟ ବର୍ଷ ଟ୍ରଫି ନିଜ ନାମରେ କରିଛି। ଏହା ପୂର୍ବରୁ ଦଳ ୨୦୧୩, ୨୦୧୫, ୨୦୧୭ ଓ ୨୦୧୯ ସଂସ୍କରଣରେ ଚମ୍ପିଆନ ହୋଇଥିଲା। ଶ୍ରେୟସ ଆୟରଙ୍କ ନେତୃତ୍ଵାଧୀନ ଯୁବ ଟିମ୍ କ୍ଵାଲିଫାୟର-୨ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିଲା।
ଫାଇନାଲ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ ଆୟରଙ୍କ ଅପରାଜିତ ୬୫ ରନ ଓ ଋଷଭ ପନ୍ତଙ୍କ ୫୬ ରନର ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୬ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ୬୮ ରନର ଇନିଂସ ବଳରେ ୧୮.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଇଶାନ କିଷନ ୩୩ ରନର ଅପରାଜିତ ଉପଯୋଗୀ ଇନିଂସ ଖେଳିଥିଲେ। ଷଷ୍ଠ ଥର ଫାଇନାଲରେ ପ୍ରବେଶ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଛି। ୨୦୧୯ରେ ମୁମ୍ବାଇ ଚେନ୍ନାଇ ସୁପରକିଙ୍ଗ୍ସକୁ ମାତ୍ ଦେଇ ଚତୁର୍ଥ ଥର ଚମ୍ପିଆନ ହୋଇଥିଲା।
୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲା। ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଡି କକ୍ ୪.୧ ଓଭରରେ ୪୫ ରନ ଯୋଡିଥିଲେ। ଡି କକ୍ ୧୨ ବଲରୁ ୩ ଚୌକା ଓ ୧ ଛକା ସହ ୨୦ ରନ କରି ଷ୍ଟୋଇନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଓ ସୂର‌୍ୟ୍ୟକୁମାର ଯାଦବ ଓଭର ପିଛା ୯ ରନ ସଂଗ୍ରହ କରି ସ୍କୋରକୁ ୯୦ ରନରେ ପହଞ୍ଚାଇଥିଲେ। ହେଲେ ଭୁଲ ବୁଝାମଣା କାରଣରୁ ସୂର‌୍ୟ୍ୟକୁମାର ଯାଦବ ରୋହିତ ଶର୍ମାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଆଉଟ୍ ହୋଇଥିଲେ। ସେ ୧୯ ରନ କରି ବିଦାୟ ନେଇଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୫ ରନ ଯୋଡି ଦଳ ପାଇଁ ବିଜୟର ମୂଳଦୁଆ ପକାଇଥିଲେ।
ରୋହିତ ଶର୍ମା ଅଧିନାୟକତ୍ଵ ଇନିଂସ ଖେଳି ଆଇପିଏଲରେ ୩୯ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୬ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ରୋହିତ ତୃତୀୟ ଓ୍ଵିକେଟ୍‌ରେ ଇଶାନ କିଷନଙ୍କ ସହ ମିଶି ୪୭ ରନ ଯୋଡି ଦଳକୁ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ ରୋହିତ ଶର୍ମା ଅଧିନାୟକତ୍ଵ ଇନିଂସ ଖେଳି ୫୧ ବଲରୁ ୫ ଚୌକା ଓ ୪ ଛକା ସହ ୬୮ ରନରେ ପାଭିଲିୟନ ଫେରିଥିଲେ। କିରଣ ପୋଲାର୍ଡ ୯ ରନ କରି କାଗିସୋଙ୍କ ଶିକାର ହୋଇଥିଲେ। ଇଶାନ କିଷନ ୧୯ ବଲରୁ ୩ ଚୌକା ଓ ୧ ଛକା ସହ ୩୩ ରନର ଅପରାଜିତ ଉପଯୋଗୀ ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩ ରନ କରି ପାଭିଲିୟନ ଫେରିଥିଲେ। ମୁମ୍ବାଇ ୧୮.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି।

Leave A Reply

Your email address will not be published.