ଆଜି ରାତିର ଗପ -ନ୍ୟାୟ ନିର୍ଣ୍ଣୟ –

0 125

ଆଜି ରାତିର ଗପନ୍ୟାୟ ନିର୍ଣ୍ଣୟ
ପୂର୍ବକାଳର କଥା । କାଶ୍ମୀରର ରାଜା ସୁକେତନ ଥିଲେ; ଶ୍ରୀନଗର ସେହି ରାଜ୍ୟର ରାଜଧାନୀ ଥିଲା । ସେହି ରାଜ୍ୟର ଅନ୍ୟ ଏକ ନଗରୀରେ ଜଣେ ନ୍ୟାୟାଧିକାରୀ ଥିଲେ । ସେ ନ୍ୟାୟ ନିର୍ଣ୍ଣୟ କରିବାରେ ଖୁବ୍ ଦକ୍ଷ ଥିଲେ । ଅଳ୍ପ ସମୟ ମଧ୍ୟରେ ତାଙ୍କର ସୁଖ୍ୟାତି ଚାରି ଆଡେ ବ୍ୟାପିଗଲା । ଦେଶବିଦେଶରେ ମଧ୍ୟ ସମସ୍ତେ ତାଙ୍କର ନ୍ୟାୟ ନିର୍ଣ୍ଣୟ ବିଷୟରେ ପ୍ରଶଂସାରେ ଶତମୁଖ । ଦିନେ ରାଜା ଭାବିଲେ କି ଥରେ ଯାଇ ଏହାର ସତ୍ୟତା ବୁଝି ଆସିବେ ।
ରାଜା ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧି ସେହି ନଗରକୁ ଗଲେ । ସେଠାରେ ପହଁଚି ସେ ନଗରର ଦ୍ୱାର ଟପି ଭିତରକୁ ପଶିଲେ । ସେତେବେଳେ ଜଣେ ଭିଖାରୀ ତାଙ୍କ ପାଖକୁ ଆସି କିଛି ପଇସା ମାଗିଲା । ରାଜା ଘୋଡା ଉପରେ ଥାଇ ତା’ ହାତରେ କିଛି ରେଜା ପଇସା ଦେଇ ଆଗେଇବାକୁ ଲାଗିଲେ । କିନ୍ତୁ ଭିଖାରୀଟି କୌଣସିମତେ ରାଜାଙ୍କୁ ଛାଡିଲା ନାହିଁ । ପୁଣି କହିଲା, “ଭିକ ଦିଅ” ରାଜା ପଚାରିଲେ “ଭିଖ ତ ଦେଲି; ପୁଣି କ’ଣ? ଭିଖାରୀ କହିଲା “ମହାଶୟ, ଆଜି ହାଟପାଳି । ମୁଁ ଜନ୍ମରୁ ଛୋଟା, କଷ୍ଟ କରି ଚାଲେ; ହାଟ ପର‌୍ୟ୍ୟନ୍ତ ଯିବା ମୋପକ୍ଷେ ବଡ କଷ୍ଟ । ମୋତେ ଟିକିଏ ଘୋଡାରେ ବସାଇ ନେଇ ଯାଆନ୍ତେ ନାହିଁ?
“ଠିକ୍ ଅଛି । ଚଢି ବସ ।” ଏହା କହି ରାଜା ତାକୁ ଘୋଡାରେ ବସାଇ ଚାଲିଲେ । କିଛି ସମୟ ପରେ ହାଟ ପଡିଲା । ରାଜା କହିଲେ, “ଏହି ତ ହାଟ । ଏବେ ଓହ୍ଲାଅ ।
ଭିଖାରୀ କହିଲା, “ପ୍ରଥମେ ତୁମେ ଓହ୍ଲାଇ ପଡ ।” ରାଜା ଭାବିଲେ, “ଛୋଟା ମଣିଷଟା ନିଜେ ଓହ୍ଲାଇ ପାରୁନାହିଁ ବୋଲି ମୋତେ ଆଗ ଓହ୍ଲାଇବାକୁ କହିଲା,” ଘୋଡାରୁ ଓହ୍ଲାଇ ରାଜା କହିଲେ, “ମୋ ହାତ ଧରି ଓହ୍ଲାଇ ପଡ ।
ଭିଖାରୀ କହିଲା, “ମୋତେ ଓହ୍ଲାଇବା ପାଇଁ କହିବାକୁ ତମେ କିଏ? ତୁମ ଉପରେ ଦୟାକରି ମୁଁ ତୁମକୁ ଘୋଡାରେ ବସାଇଲି କ’ଣ ସେଥିପାଇଁ? ରାଜା କହିଲେ “ଘୋଡାଟି ମୋର । ମୋ ଘୋଡାରେ ଚଢିବାକୁ ଦେବା ପରେ ଇଏ କି ପ୍ରକାର କଥା? ପାଗଳାମୀ ଛାଡି ଓହ୍ଲାଇ ପଡ ।
ଭିଖାରୀ ମଧ୍ୟ ଦୃଢ ସ୍ୱରରେ କହିଲା, “ଘୋଡା ତ ମୋର, ତୁମ କଥାରେ ମୁଁ କାହିଁକି ଓହ୍ଲାଇବି? ସେ ପ୍ରଶ୍ନ ଏବେ ଉଠୁଛି କାହିଁକି? ରାଜା ପଚାରିଲେ “ଏପରି ଦିନ ଦ୍ୱିପହରରେ ସମସ୍ତିଙ୍କ ସମ୍ମୁଖରେ ଏଭଳି ଅନ୍ୟାୟ ହେବାର ତ ମୁଁ କେବେ କେଉଁଠି ହେଲେ ବି ଦେଖି ନାହିଁ; ତୁମେ କ’ଣ ଜାଣ ନାହିଁ କି ଏହି ନଗରୀରେ ଜଣେ ବଡ ନ୍ୟାୟାଧିକାରୀ ଅଛନ୍ତି? ଭିଖାରୀ କହିଲା, “ଯେତେ ବଡ ନ୍ୟାୟାଧିକାରୀ ହେଲେ ମଧ୍ୟ, ସେ କହିବେ ଯେ ଛୋଟା ଲଙ୍ଗଡା ଲୋକରହିଁ ଏହି ଘୋଡାଟା; ତୁମ ପରି ଜଣେ ବଳିଷ୍ଠ ଲୋକର ଘୋଡା ବା କ’ଣ ଦରକାର? ରାଜା କହିଲେ “ତେବେ ଚାଲ ବିଚାରାଳୟକୁ । ନ୍ୟାୟାଧିକାରୀଙ୍କର ନିର୍ଣ୍ଣୟ କ’ଣ ଦେଖିବା ।
ରାଜା ମଧ୍ୟ ଜାଣିବାକୁ ଚାହୁଁଥିଲେ କି ଏହି ଘଟଣାକୁ ନେଇ ନ୍ୟାୟାଧିକାରୀ କିପ୍ରକାରର ରାୟ ଦେବେ । ଏହାପରେ ରାଜା ଓ ସେ ଭିଖାରୀ ନ୍ୟାୟାଳୟକୁ ଗଲେ । ସେତେବେଳେ ସେଠାରେ ଅନ୍ୟ ଏକ ଅଭିଯୋଗ ଉପରେ ବିଚାର ଚାଲିଥାଏ । ସେଠାରେ ଜଣେ ଗୁମାସ୍ତା ଓ ଜଣେ ଚାଷୀଙ୍କ ମଧ୍ୟରେ କଳହ ଚାଲିଥାଏ । ଜଣେ ଘୁଙ୍ଗା ସ୍ତ୍ରୀ ଲୋକକୁ ଦୁହେଁ ନିଜର ସ୍ତ୍ରୀ ବୋଲି କହୁଥାନ୍ତି । ଦୁହେଁ ଭଗବାନଙ୍କ ଦ୍ୱାହି ଦେଇ ସେହି ଏକହିଁ କଥା କହୁଥା’ନ୍ତି ।
ନ୍ୟାୟାଧିକାରୀ କହିଲେ, “ସ୍ତ୍ରୀଲୋକଟିକୁ ଆମ ଘରେ ମୋ ସ୍ତ୍ରୀ ପାଖରେ ଯାଇ ଛାଡିଦିଅ, କାଲିକି ଯାହା ହେବ । ତା’ପରେ ଜଣେ କଂସେଇ ଓ ଜଣେ ତେଲିଙ୍କ ମଧ୍ୟରେ ବିବାଦ ଲାଗି ସେମାନେ ଆସିଥା’ନ୍ତି । ତେଲି କହିଲା, “ମହାଶୟ, ଏହି ଲୋକଟି ମୋ ପାଖକୁ ଆସି କହିଲା, “ମୋର କିଛି ରେଜା ଆବଶ୍ୟକ ଥିଲା, ଯଦି ମୋହରଟିଏ ଭଙ୍ଗାଇ ଦେଇ ପାରିବ ତେବେ ତେଲ କିଣିବି । ମୁଁ ମୋର ସବୁ ରେଜା ବାହାର କରି ଗଣୁଛି, ଆଉ ଲୋକଟା ମୋହାତରୁ ସବୁ ପଇସା ନେଇ ଯାଇ କହୁଛି ସେ ପଇସା ତା’ର । ଏବେ ଆପଣ ଯାହା ବିଚାର କରିବେ ।”
ନ୍ୟାୟାଧିକାରୀ କହିଲେ, “ଏହି ପଇସାତକ ମୋ ପାଖରେ ରଖି ଘରକୁ ଯାଅ, କାଲି ଯାହା ବିଚାର ହେବ । ଏବେ ଏମାନଙ୍କର ଅଭିଯୋଗ ପରେ ଘୋଡା କଥା ପଡିଲା । ରାଜା କହିଲେ, “ମହାଶୟ, ମୁଁ ଶ୍ରୀନଗରରେ ରହେ । ହାଟରୁ କିଛି କିଣିବା ପାଇଁ ଘୋଡାରେ ଚଢି ଆସିଥିଲି । ନଗର ଦ୍ୱାର ପାଖରେ ଏହି ଛୋଟା ଭିଖାରୀ ଆସି ମୋତେ ଭିଖ ମାଗିଲା । ମୁଁ ତାକୁ ପଇସା ଦେବା ପରେ ସେ ମୋତେ ପୁଣି ଅନୁରୋଧ କଲା କି ମୁଁ ଯେପରି ତାକୁ ଘୋଡାରେ ବସାଇ ନେଇ ହାଟ ପାଖରେ ଛାଡି ଦିଏ । ହାଟ ପାଖରେ ପହଁଚି ଇଏତ ଘୋଡାରୁ ଓହ୍ଲାଇବାକୁ ପୁରା ନାରାଜ । ଓହ୍ଲାଇବାକୁ କହିବାରୁ ଇଏ କହୁଛି ଯେ ଏହି ଘୋଡାଟି ତା’ରି ଘୋଡା ।
ଭିଖାରୀ କହିଲା, “ମହାଶୟ, ମୁଁ ତ ଛୋଟା ଲୋକ; ତେଣୁ ଯୁଆଡେ ଯାଏ ଘୋଡା ଚଢି ଯାଏ । ମୁଁ ହାଟ କରିବାକୁ ଘୋଡାରେ ଚଢି ଆସୁଛି, ଏହି ଲୋକଟି କହିଲେ ଯେ ସେ ବାଟ ଚାଲି ଚାଲି ଥକି ଗଲେଣି, ଯଦି ଟିକିଏ ହାଟ ପର‌୍ୟ୍ୟନ୍ତ ଘୋଡାରେ ବସାଇ ନିଏ ତ ଭଲ । ମୁଁ ଏହାଙ୍କ ଉପରେ ଦୟାକରି ହାଟ ପର‌୍ୟ୍ୟନ୍ତ ବସାଇ ଆଣିବା ପରେ ସେ କହୁଛନ୍ତି କି ଘୋଡାଟି ତାଙ୍କର । ଇଏ କେଉଁ ପ୍ରକାର କଥା? ଆପଣ ନିଜେ ବିଚାର କରନ୍ତୁ ।
ନ୍ୟାୟାଧିକାରୀ ଅଳ୍ପ ଭାବି କହିଲେ, “ଘୋଡାଟିକୁ ମୋ ପାଖରେ ଛାଡି ତୁମେ ଦୁହେଁ ଯାଅ, କାଲି ଆସିବ । ପରଦିନ ବିଚାରାଳୟରେ ବିଚାର କରାଗଲା । ଅନେକ ଦର୍ଶକ ମଧ୍ୟ ଥା’ନ୍ତି । ନ୍ୟାୟାଧିକାରୀ ଗୁମାସ୍ତାଙ୍କୁ ଡାକି କହିଲେ, “ଏହି ସ୍ତ୍ରୀ ଆପଣଙ୍କର ପତ୍ନୀ, ଆପଣ ଏଥର ତାଙ୍କୁ ଖୁସିରେ ନେଇଯା’ନ୍ତୁ ।
ଏହି ଚାଷୀଟା ମିଥ୍ୟା କହୁଛି । କଟୁଆଳ ଏହାକୁ ଦଶଥର ପ୍ରହାର କରି ଛାଡିଦିଅ ।
ତା’ପରେ ସେ କଂସାଇକୁ ଡାକି କହିଲେ, “ଏହି ପଇସା ତୁମର, ତୁମେ ନେଇଯାଅ । କଟୁଆଳ ଏହି ମିଥ୍ୟାବାଦୀକୁ ତିରିଶ ପାହାର ବେତ ମାଡ ଦିଅ । ତା’ପରେ ସେ ରାଜା ଓ ଲଙ୍ଗଡା ଭିଖାରୀକୁ ଡାକି କହିଲେ, “ମୁଁ ତ ଗତ କାଲିର ଘୋଡାଟିକୁ ଅନ୍ୟ କୋଡିଏଟି ଘୋଡା ସହିତ ବାନ୍ଧି ଦେଇଛି । ତୁମେ ନିଜ ଘୋଡା ଚିହ୍ନି ପାରିବ?
ରାଜା କହିଲେ, “ନିଶ୍ଚୟ । ମୁଁ ମୋ ଘୋଡାକୁ ଚିହ୍ନିପାରିବି । ନ୍ୟାୟାଧିକାରୀ ରାଜାଙ୍କୁ କହିଲେ, “ପ୍ରଥମେ ତୁମେ ମୋ ସହିତ ଆସ ।” ଏହା କହି ତାଙ୍କୁ ସେ ନିଜ ସାଥିରେ ନେଇ ଭିତରକୁ ଗଲେ । କୋଡିଏଟି ଘୋଡାଙ୍କ ମଧ୍ୟରେ ନିଜ ଘୋଡାକୁ ରାଜା ଫଟ୍କିନି ଚିହ୍ନି ଦେଲେ । ନ୍ୟାୟାଧିକାରୀ କହିଲେ “ଏଥର ତୁମେ ବାହାରକୁ ଯାଇ ଲଙ୍ଗଡାକୁ ଏଠାକୁ ପଠାଅ, ଲଙ୍ଗଡା ଆସି ରାଜାଙ୍କ ଘୋଡାକୁ ମଧ୍ୟ ଚିହ୍ନି ଦେଲା ।
ତା’ପରେ ସେ ନ୍ୟାୟାଧିକାରୀ ବିଚାରାଳୟକୁ ଆସି ରାଜାଙ୍କୁ କହିଲେ, “ଏହି ଘୋଡାଟି ତୁମରି । ଏହାକୁ ତୁମେ ଏବେ ନିଜ ସାଥିରେ ନେଇଯାଅ । କଟୁଆଳ ମିଥ୍ୟା କଥା କହିଥିବାରୁ ଏହି ଲୋକକୁ ପଚାଶ ପାହାର ଦଣ୍ଡ ଦିଅ । ସେଦିନ ପାଇଁ ସବୁ ବିଚାର ଶେଷ ହେବା ପରେ ରାଜା ସେଇଠି ଠିଆ ହୋଇଥା’ନ୍ତି । ତେଣୁ ନ୍ୟାୟାଧିକାରୀ କହିଲେ, “ଏତେ ପର‌୍ୟ୍ୟନ୍ତ କାହିଁକି ଠିଆ ହୋଇ ରହିଛ? ମୋର ନ୍ୟାୟ ତୁମକୁ କ’ଣ ଭଲ ଲାଗୁ ନାହିଁ କି? ନା କିଛି କହିବାର ଅଛି?
ତା’ପରେ ସେ ରାଜା କହିଲେ “ଆପଣଙ୍କ ବିଚାର ଅତି ଚମତ୍କାର । ମୁଁ ଜାଣିଲି ଯେ ଆପଣ ମୋ କ୍ଷେତ୍ରରେ ଠିକ୍ ବିଚାର କରିଛନ୍ତି । କିନ୍ତୁ ଅନ୍ୟମାନଙ୍କର କ’ଣ ବିଚାର ହେଲା ଓ କିପରି ହେଲା ମୁଁ ସେକଥା ଜାଣିବାକୁ ଚାହେଁ । ମୁଁ କଳ୍ପନା କରିପାରୁ ନାହିଁ କି କିପରି ଏତେ ସଠିକ୍ ବିଚାର ସମ୍ଭବ ହେଲା? ନ୍ୟାୟାଧିକାରୀ ବୁଝାଇ କହିଲେ “ଏସବୁ ଏତେ କିଛି କଷ୍ଟକର କାର‌୍ୟ୍ୟ ନୁହେଁ । ପ୍ରଥମେ ସ୍ତ୍ରୀଟିର କଥା ଆଲୋଚନା ହେଉ । ଗତକାଲି ରାତ୍ରିରେ ମୁଁ ତାକୁ ମୋ ଘରକୁ ନେଇଗଲି । ସେଠାରେ ତାକୁ କହିଲି ମୋ କଲମ ଧୋଇ ସେଥିରେ ସ୍ୟାହି ଭରି ଆଣ । ସେ ଅତି ସହଜରେ ସେ କାମ କରିଦେଲା । ଅର୍ଥାତ୍ ସେପରି କରିବାରେ ତା’ର ବହୁପୂର୍ବରୁ ଅଭ୍ୟାସ ଅଛି । ଚାଷୀର ସ୍ତ୍ରୀ ହୋଇଥିଲେ ତ ଏହି କାମକୁ ଏତେ ସହଜରେ ସେ କଦାପି ମଧ୍ୟ କରି ପାରି ନଥା’ନ୍ତା । ତେଣୁ ସେ ଗୁମାସ୍ତାର ସ୍ତ୍ରୀ ।
ରାଜା କହିଲେ, “ହଁ, ଏ କ୍ଷେତ୍ରରେ ଆପଣ ସତ କହିଲେ; କିନ୍ତୁ କଂସେଇ ଓ ତେଲି ମଧ୍ୟରେ ହୋଇଥିବା କଳହ ପାଇଁ କି ଭାବରେ ବିଚାର କଲେ? ନ୍ୟାୟାଧିକାରୀ କହିଲେ “ଇଏ ତ ଆହୁରି ସହଜ । ତେଲିର ଥଳୀ ତେଲ ଚିକିଟାରେ ଭରାଥାଏ ଓ ସେଥିରେ ପଇସା ରଖିଲେ ମଧ୍ୟ ସେ ପଇସାରେ ତେଲ ଲାଗେ । ମୁଁ ରେଜା ପଇସା ଗୁଡିକ ପାଣିରେ ପକାଇ ଦେଖିଲି ତେଲ ଆଦୌ ନଥିଲା ।
ରାଜା ପଚାରିଲେ “ଆଚ୍ଛା ଘୋଡା ମୋର ବୋଲି ଆପଣ କିପରି ଜାଣିଲେ? ନ୍ୟାୟାଧିକାରୀ କହିଲେ “ଚିହ୍ନିବା ଦ୍ୱାରା । ମୁଁ ତ ପ୍ରଥମରୁହିଁ ଜାଣିଥିଲି ଯେ ସେ ଘୋଡାକୁ ତୁମେ ଦୁହେଁଯାକ ଚିହ୍ନି ଦେଇ ପାରିବ ।
ତାଙ୍କର ଏଭଳି କଥାରେ ସେ ରାଜା ଭୀଷଣ ଆଶ୍ଚର‌୍ୟ୍ୟ ହୋଇ ପଚାରିଲେ, “ତେବେ ଆପଣ କିପରି ଜାଣିଲେ ଯେ ଏ ଘୋଡାଟି ମୋର ବୋଲି?ଏକଥା ଶୁଣି ନ୍ୟାୟାଧିକାରୀ କହିଲେ “ମୁଁ ଜାଣିବାକୁ ଚାହୁଁ ନଥିଲି ଯେ ତୁମ ଦୁହିଁଙ୍କ ମଧ୍ୟରୁ କିଏ ଘୋଡାକୁ ଚିହ୍ନି ଦେବ । ମୁଁ ଜାଣିବାକୁ ଚାହୁଁଥିଲି କି ଘୋଡା କାହାକୁ ଚିହ୍ନିବ । ଘୋଡା ତୁମକୁହିଁ ଚିହ୍ନିଦେଲା । ସେଇଥିପାଇଁ ମୁଁ ଜାଣିଗଲି ଯେ ଘୋଡାଟି ତୁମରି ।
ସେ ନ୍ୟାୟାଧିକାରୀଙ୍କର ବୁଦ୍ଧିବିଚାର ରାଜାଙ୍କୁ ଖୁବ୍ ଭଲ ଲାଗିଲା । ସେ ଶ୍ରୀନଗରକୁ ଫେରି ସେହି ନ୍ୟାୟାଧିକାରୀଙ୍କୁ ଡକାଇ ଏକ ଛୋଟ ଜମିଦାରୀ ତାଙ୍କୁ ଖୁସିରେ ଉପହାର ସ୍ୱରୂପ ଦେଲେ । ସେଠାରେ ମହାରାଜାଙ୍କୁ ଚିହ୍ନିବା ପରେ ସେ ମଧ୍ୟ ବହୁତ ଆଶ୍ଚର‌୍ୟ୍ୟ ହେଲେ ଓ ଲଜ୍ଜିତ ହେଲେ ଯେ ସେ ସ୍ୱୟଂ ମହାରାଜାଙ୍କର ବିଚାର କରିଛନ୍ତି ।

Leave A Reply

Your email address will not be published.