କାଲିଠୁ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ପରୀକ୍ଷଣ

0 214

ଆଜି ଦିନ ର ଗୁରୁତ୍ୱପୂର୍ଣ୍ଣ ସବିସ୍ତୃତ ଖବର(ତାରିଖ-୧୯-ଜୁଲାଇ-୨୦୨୦,ରବିବାର)

୧-ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପୀ-ଓଡ଼ିଶାରେ ପ୍ଲାଜମା ଥେରାପୀ ସଫଳ ହୋଇଛି। ରାଜ୍ୟରେ ଯେଉଁ କରୋନା ରୋଗୀଙ୍କ ଶରୀରରେ ପ୍ଲାଜମା ଥେରାପୀ କରାଯାଇଥିଲା ସେମାନେ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ମିଳିଛି।ପୂର୍ବରୁ ୬ ଜଣ ଗୁରୁତର କରୋନା ଆକ୍ରାନ୍ତଙ୍କ ଶରୀରରେ ଏହି ଥେରାପୀ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି। ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ସୂଚନା ମିଳିଛି।ସୁସ୍ଥ ହେଉଥିବା ୪ ଜଣ ଆକ୍ରାନ୍ତଙ୍କର ଆଉ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ନାହିଁ। ବାକି ଦୁଇ ଜଣ ଆକ୍ରାନ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେମାନେ ଶୀଘ୍ର ବିପଦମୁକ୍ତ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି।
୨-ପ୍ଲାଜମା ଦାନ କରିବା ନେଇ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା-ଭୁବନେଶ୍ୱର: ଅଗ୍ନିଶମ କର୍ମଚାରୀ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ। ପ୍ରଥମ ପର‌୍ୟ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ ଏସ୍‌ସିବି ମେଡିକାଲରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ଶନିବାର ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟୁଇଟ୍ କରି ସୂଚନା ଦେଇଥିଲେ। ତେବେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଏହାର ପ୍ରଶଂସା କରିଛନ୍ତି। ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ଅଗ୍ନିଶମ କର୍ମଚାରୀମାନେ ଆଗକୁ ଆଗେଇ ଆସିବା ବେଶ୍ ପ୍ରଶଂସନୀୟ। ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ଏପରି ପଦକ୍ଷେପ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ କହିଛନ୍ତି।

୩-ମୟୁରଭଞ୍ଜରୁ ସାଢ଼େ ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ-ଭୁବନେଶ୍ୱର :ଆଜି ମୟୁରଭଞ୍ଜରୁ ୩.୨୮ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ଜବତ କରାଯାଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପାଖାପାଖି ସାଢ଼େ ୩ କୋଟି ହେବ ବୋଲି ସୂଚନା ମିଳିଛି । ଏହି ମାମଲାରେ ଜଣକୁ ଅଟକ ରଖି ଏସଟିଏଫ ପଚରାଉଚରା କରୁଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଡିଜିପି ଅଭୟ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ୨୦୨୦ରେ ୧୫ କେଜି ୬୪୮ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହାସହ ବ୍ରାଉନ ସୁଗାର ଜବତ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ।

୪-କାଲିଠୁ ଦିଲ୍ଲୀ AIIMSରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ପରୀକ୍ଷଣ-ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ)ରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ଆରମ୍ଭ ହେବ। ଏମ୍ସ ର ଏକ ବିଶେଷ କମିଟି ଶନିବାର ଦିନ କରୋନା ଭୂତାଣୁ ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନର ମାନବ ପରୀକ୍ଷଣକୁ ଅନୁମତି ଦେଇ ସାରିଛି। ଏମ୍ସରେ କମ୍ୟୁନିଟି ମେଡିସିନ୍ ସେଣ୍ଟରର ପ୍ରଫେସର ସଞ୍ଜୟ ରାୟ କହିଛନ୍ତି ଯେ, ଡାକ୍ତରଖାନାରେ ସୋମବାରଠାରୁ ଏହି ପରୀକ୍ଷା ପାଇଁ ସୁସ୍ଥ ଲୋକଙ୍କୁ ପଞ୍ଜୀକରଣ କରାଯିବ।
୫-ଆସାମ ବନ୍ୟା ପରିସ୍ଥିତି: ୫୪ ଲକ୍ଷ ପ୍ରଭାବିତ ଓ ୮୧ ମୃତ-ଦିସପୁର: ଜଟିଳ ହେବାରେ ଲାଗିଛି ଆସାମରେ ବନ୍ୟା ପରିସ୍ଥିତି। ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀରେ ଜଳସ୍ତର ବଢ଼ୁଥିବାରୁ ଏବେ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ରାଜ୍ୟର ୩୦ ଜିଲ୍ଲାରେ ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୮୧ ଜଣ ଲୋକଙ୍କର ଜୀବନ ବି ଯାଇଛି।
୬-ସକାଳ ୮ଟାରୁ ଦିନ ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ ।ଭୁବନେଶ୍ୱର-କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମରେ ଜୁଲାଇ ୧୭ ରାତି ୯ଟାରୁ ଜୁଲାଇ ୩୧ ପର‌୍ୟ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ତେବେ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କିଛିଟା ପରିବର୍ତ୍ତନ ହୋଇଛି। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସହିତ ରାଉରକେଲା ସହରରେ ସୋମବାରଠୁ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ। ଏ ନେଇ ରବିବାର ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।
୭-CORONAVIRUS UPDATE: ଆଜି ଚିହ୍ନଟ ହେଲେ ୭୩୬ ଆକ୍ରାନ୍ତ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାର ଟପିଲା।ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୪୮୧ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୨୫୫ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୨୪୭ଜଣ ରହିଥିବା ବେଳେ ଅନୁଗୋଳରୁ ୨୨, ବାଲେଶ୍ୱରର ୩୩, ବରଗଡ଼ର ୩, ଭଦ୍ରକର ୫, ବଲାଙ୍ଗୀରର ୪, ବୌଦ୍ଧର ୮, କଟକର ୨୭, ଢ଼େଙ୍କାନାଳ ୧, ଗଜପତିରୁ ୩୯, ଜଗତସିଂହପୁର-ଯାଜପୁରର ୪୦, କଳାହାଣ୍ଡିର ୨, କେନ୍ଦ୍ରାପଡ଼ାର ୭, ଖୋର୍ଦ୍ଧାର ୧୦୭, କେନ୍ଦୁଝରର ୧, କୋରାପୁଟ ୪୫, ମାଲକାନଗିରିର ୧୮, ମୟୂରଭଞ୍ଜର ୧୨, ନବରଙ୍ଗପୁରର ୧, ନୟାଗଡ଼ର ୧୦, ପୁରୀର ୧୪, ରାୟଗଡ଼ାର ୮, ସମ୍ବଲପୁରର ୨୫, ସୁନ୍ଦରଗଡ଼ର ୧୭ ଆକ୍ରାନ୍ତ ଅଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୪୩୭ ହୋଇଛି।
୮-ରାଜ୍ୟରେ ସୁସ୍ଥ ହେଲେ ପୁଣି ୫୧୫ କରୋନା ଆକ୍ରାନ୍ତ: ୧୨ ହଜାର ଟପିଲା ସୁସ୍ଥଙ୍କ ସଂଖ୍ୟା-ଭୁବନେଶ୍ୱର-ରାଜ୍ୟରେ ରବିବାର ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୯୯ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ୱରରୁ ୧୫, ଝାରସୁଗୁଡାରୁ ୧୩, ବରଗଡରୁ ୧୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ମୟୁରଭଞ୍ଜ ଓ ରାୟଗଡାରୁ ୯ ଜଣ ଲେଖାଏଁ, ବଲାଙ୍ଗିରରୁ ୮, ଭଦ୍ରକରୁ ୭, ଗଜପତିରୁ୬, ପୁରୀରୁ ୬, କୋରାପୁଟରୁ ୫, ଅନୁଗୋଳ ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୨୪୫୨ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

୯-କଟକରେ ହେବ ନାହିଁ ଗଣେଶ ପୂଜା-କଟକ: କରୋନା ସଂକ୍ରମଣ ପାଇଁ କଟକ ସହରରେ ଚଳିତ ବର୍ଷ ହେବ ନାହିଁ ଗଣେଶ ପୂଜା। କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।
ଆଜି କଟକ ମହାନଗର ଶାନ୍ତି କମିଟି ଓ କଟକ ମହାନଗର ପୂଜା କମିଟି ସହ କମିଶନରେଟ୍ ପୁଲିସର ବୈଠକ ବସିଥିଲା। ବୈଠକରେ ପରେ କଟକ ମହାନଗର ପୂଜା କମିଟି ସଂପାଦକ ଏହି ସୂଚନା ଦେଇଛନ୍ତି।

୧୦-ରଭାସଙ୍କ ସହ ନଜର ଆସିବେ ଦୀପିକା-ମୁମ୍ବାଇ: ବାହୁବଳୀ ରିଲିଜ୍ ହେବା ପରେ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଷ୍ଟାରଡମ୍ ସାରା ଭାରତରେ ଛାଇ ଯାଇଥିଲା। ଏହି ଫିଲ୍ମ ତାଙ୍କୁ ଇଣ୍ଟରନ୍ୟାଶନାଲ ଷ୍ଟାର ମଧ୍ୟ କରିଦେଇଥିଲା। ସେପଟେ ବଲିଉଡ୍ ନାୟିକା ଦୀପିକା ପାଦୁକୋନ ମଧ୍ୟ ତାଙ୍କ ଅଭିନୟ ପାଇଁ ଦର୍ଶକଙ୍କ ବେଶ୍ ପସନ୍ଦ। ଏହି ନାୟିକା କେବଳ ବଲିଉଡ୍ ନୁହେଁ ଏବେ ହଲିଉଡ୍‌ର କିଛି ପ୍ରୋଜେକ୍ଟରେ କାମ କରୁଥିବା ଜଣାପଡିଛି। ଏବେ ବଲିଉଡ୍‌ରେ ଉତ୍ତର-ଦକ୍ଷିଣ ଯୋଡିଙ୍କୁ ଦେଖିବାକୁ ମିଳିବ। ବୈଜୟନ୍ତି ମୁଭିଜ ଭାରତୀୟ ସିନେମା ଜଗତରେ ୫୦ବର୍ଷ ପୂରଣ କରିବା ଅବସରରେ ଏବେ ବାହୁବଳୀ ପ୍ରଭାସ ଓ ପଦ୍ମାବତ ଫେମ୍ ଦୀପିକା ପାଦୁକୋନଙ୍କୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଥିବା ସୂଚନା ମିଳିଛି। ଏହା ପ୍ରଭାସଙ୍କ ୨୧ତମ ଫିଲ୍ମ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଧୁମ୍ ମଚାଇବ ବୋଲି ଆଶା କରାଯାଉଛି। ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ଯୋଗେ ଫିଲ୍ମର ଘୋଷଣା ହୋଇଥିବା ଜଣାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ନାଗ ଅଶ୍ୱିନୀ କହିଛନ୍ତି ଏହା ଏକ ସରପ୍ରାଇଜ୍ ପ୍ରୋଜେକ୍ଟ। ଫିଲ୍ମ ରିଲିଜ୍ ପରେ କିଛି ବର୍ଷ ପାଇଁ ଏହା ଦର୍ଶକଙ୍କ ହୃଦୟରେ ନିଶ୍ଚିତ ଭାବେ ଅଭୁଲା ହୋଇ ରହିବ।
୧୧-ଘରୋଇ କ୍ରିକେଟ ସେସନକୁ ଛୋଟ କଲା ବିସିସିଆଇ: କେବଳ ରଣଜୀ, ବିନୁ ମଙ୍କଡ ଟ୍ରଫି ଖେଳାଯିବ-ମୁମ୍ବାଇ: କୋଭିଡ୍‌-୧୯ ମହାମାରୀର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ଘରୋଇ କ୍ରିକେଟ ସେସନକୁ କାଟଛାଣ୍ଟ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏଥର କେବଳ ରଣଜୀ ଟ୍ରଫି ଓ ୧୯ ବର୍ଷରୁ କମ୍ ବିନୁ ମଙ୍କଡ ଟ୍ରଫି ଖେଳାଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି। ଏହି କ୍ରମରେ ଦୁଲୀପ୍ ଟ୍ରଫି, ଦେଓଧର ଟ୍ରଫି, ବିଜୟ ହଜାରେ ଟ୍ରଫି ଓ ୨୩ ବର୍ଷରୁ କମ୍ ସି.କେ. ନାଇଡୁ ଟ୍ରଫିକୁ ବୋର୍ଡ ବାତିଲ କରିଛି। ତେବେ ସୟଦ ମୁସ୍ତାକ ଅଲୀ ଟି୨୦ ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ଚଳିତ ବର୍ଷ ପ୍ରୟାସ କରାଯିବ।
୧୨-୪୮ ଘଣ୍ଟା ପାଇଁ ବରଗଡ ହସ୍ପିଟାଲ ସଟ୍‌ଡାଉନ୍‌-ବରଗଡ : ବରଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍ କରାଇଛି । ୪୮ ଘଣ୍ଟା ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଜଣେ ଡାକ୍ତରଙ୍କ ସ୍ବାବ୍ ଟେଷ୍ଟ ପାଇଁ ଯିବା ପରେ ସଟ୍‌ଡାଉନ୍ ଘୋଷଣା । ଚିକିତ୍ସାଧୀନ ରୋଗୀଙ୍କୁ ବୁର୍ଲା ଓ ବରଗଡ ପୁରୁଣା ଡାକ୍ତରଖାନାକୁ ସ୍ଥାନାନ୍ତର ।
୧୩-ଟ୍ୱିଟରରେ ବଢ଼ୁଛି ମୋଦିଙ୍କ ଲୋକପ୍ରିୟତା, ଫଲୋଅର୍ସଙ୍କ ସଂଖ୍ୟା ୬୦ ମିଲିୟନ-ନୂଆଦିଲ୍ଲୀ: ମାଇକ୍ରୋ ବ୍ଲୋଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ସଫଳତା ହାସଲ କରିଛନ୍ତି। ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଏବେ ୬୦ ମିଲିୟନ ଅର୍ଥାତ୍ ୬ କୋଟି ଲୋକ ଫଲୋ କରୁଛନ୍ତି।
୧୪-ପ୍ରବଳ ବର୍ଷା ଯୋଗୁଁ ବେହାଲ ଦିଲ୍ଲୀ : ବିହାରର ୮ ଟି ଜିଲ୍ଲାର ଲକ୍ଷାଧିକ ଲୋକ ପ୍ରଭାବିତ, କାଜିରଙ୍ଗା ପାର୍କରେ ୯ଟି ଗଣ୍ଡା ସମେତ ୧୦୮ ଜୀବଜନ୍ତୁଙ୍କ ମୃତ୍ୟୁ ।ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ପୁରା ଏନସିଆରେ ପ୍ରବଳ ବର୍ଷା ଯୋଗୁଁ ହାଲ ବେହାଲ। ଲଗାଣ ବର୍ଷାରେ ଦିଲ୍ଲୀରେ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଦିଲ୍ଲୀର ମିଣ୍ଟୋ ରୋଡ ଅଞ୍ଚଳରେ ଥିବା ଅଣ୍ଡରପାସ୍ ଦେଇ ଯାଉଥିବା ଡିଟିସି ବସ୍ ପାଣିରେ ବୁଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ITO ଇଲାକାରେ ଗୋଟିଏ ଦୁଇ ମହଲା କୋଠା ଭୁଷୁଡି ପଡିଛି । ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ବିହାର, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ସେପଟେ ଆସାମରେ ବି ବନ୍ୟା ସ୍ଥିତି ସଂଗୀନ । କାଜିରଙ୍ଗା ପାର୍କରେ ବନ୍ୟାଜଳ ମାଡିଯିବାରୁ ୯ଟି ଗଣ୍ଡା ସମେତ ୧୦୮ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି।

୧୫-କେରଳରେ ହାତୀ ପରେ ରାଜସ୍ଥାନରେ ଓଟ ସହ ବର୍ବରତା; ହାଣିଦେଲେ ଦୁଇ ଗୋଡ଼। ଚୁରୁ: କେରଳରେ ହାତୀ ସହ ବର୍ବର କାଣ୍ଡ ପରେ ଏବେ ରାଜସ୍ଥାନର ଏକ ଗାଁରେ ଓଟ ସହ ବର୍ବରତାର ସୀମା ପାର ଘଟଣା ଘଟିଛି। ଏଠାରେ ଏକ ମାଈ ଓଟର ଆଗ ଦୁଇ ଗୋଡ଼କୁ ହାଣି ଦିଆଯାଇଛି। ମାତ୍ର ସମୟ ଥାଉ ଥାଉ ଚିକିତ୍ସା କରାଯିବାରୁ ଓଟର ଜୀବନ ବଞ୍ଚିଯାଇଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

 

Leave A Reply

Your email address will not be published.