ପାଣିବୋତଲ ନେଲେ ଦେବାକୁ ପଡିବ

0 827

ଭୁବନେଶ୍ୱର,୨୮/୧୧ –ପାଣିବୋତଲ  ସାଙ୍ଗରେ ନେଇ ବୁଲିବାକୁ ଗଲେ ଦେବାକୁ ପଡିବ ଟଙ୍କା । ନନ୍ଦନକାନନକୁ ପ୍ରଦ୍ୟୁଷଣମୁକ୍ତ କରିବାପାଇଁ ଆରମ୍ଭ ହେବାକୁ ଯାଉଛି ଏହି ନୁଆ ଯୋଜନା । ଡିସେମ୍ବର ୧ ତାରିଖଠାରୁ ଏହାକୁ ନନ୍ଦନକାନନରେ କାର୍ଯ୍ୟକାରୀ କରିବେ ବୋଲି କର୍ତୁପକ୍ଷ ନିଷ୍ପତି ନେଇଥିବାର ଜଣାପଡିଛି ।ଜୀବଉଦ୍ୟାନ ନନ୍ଦନକାନନକୁ ପ୍ରଦ୍ୟୁଷଣ ମୁକ୍ତ କରିବାପାଇଁ ନନ୍ଦନକାନନ ପକ୍ଷରୁ ସମୟାନୁକ୍ରମେ ବହୁବିଧ ପଦକ୍ଷପମାନ କରାଯାଉଛି । ପ୍ରବେଶପଥ ଫାଟକରେ ନନ୍ଦନକାନନ ଏକ ପଲଥିନମୁୁକ୍ତ ଅଂଚଳ ଲେଖାଥିବା ନାମଫଳକ ମରାଯାଇଛି । ଚିଡିଆଖାନା ଭିତରକୁ ପଲଥିନମୁଣା ଓ ପ୍ଲାଷ୍ଟିକ ବୋତଲ ଆଦିନେବା ପରିବେଶ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଏହାକୁ ସାଙ୍ଗରେ ନେଇ ନନ୍ଦନକାନନ ଭିତରକୁ ଯିବା କିମ୍ବା ଏଣେତେଣେ ପକାଇଲେ ଜୋରିମାନା ଦେବାକୁ ପଡିବ ବୋଲି ଦର୍ଶାଯାଇଛି । କିନ୍ତୁ ଏହି ନୀୟମ ବିଧିବଦ୍ଧଭାବେ କାର୍ଯ୍ୟକାରୀ ହେବାକୁ ଯାଉଛି । ପର୍ଯ୍ୟଟକମାନେ ନନ୍ଦନକାନନ ବୁଲିବାକୁ ଯିବାବେଳେ ସାଙ୍ଗରେ ପାଣିବୋତଲ ନେଲେ ଅର୍ଥ ଦେବାକୁ ପଡିବ ।ଏହାବଦଳରେ ନନ୍ଦନକାନନ ପକ୍ଷରୁ ପ୍ରଦତ ଷ୍ଟିକରକୁ ପାଣିବୋତଲରେ ମାରିବାକୁ ପଡିବ ।ନନ୍ଦନକାନନ ବୁଲି ଆସିବାବେଳେ ଷ୍ଟିକରମରା ପାଣିବୋତଲକୁ ଫେରାଇଲେ ପୈଠ କରିଥିବା ଅର୍ଥ ପର୍ଯ୍ୟଟକମାନେ ଫେରିପାଇବେ ବୋଲି ଜଣାପଡିଛି ।ଏହାସହ ନନ୍ଦନକାନନ ପରିସରରେ ଆଉ ବାଇକ ଧରି ବୁଲିବା ଦେଖିବାକୁ ମିଳିବନାହିଁ । ନନ୍ଦନକାନନକୁ ପ୍ରଦ୍ୟୁଷଣ ମୁକ୍ତ କରିବାରେ ଆଉ ଏକ ନୁଆ ପ୍ରୟାସ ଆରମ୍ଭ ହେବାକୁ ଯାଉଛି ।କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ଅଧିକାରୀମାନଙ୍କ ପର୍ଯ୍ୟନ୍ତ ବାଇକ୍ ଧରି ପରିସରେ ବୁଲିବେ ନାହିଁ ।ଏଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି । ବାଇକ ରଖିବା ସ୍ଥାନର ନିର୍ମାଣ କାମ ଆରମ୍ଭ ହୋଇଛି । କର୍ମଚାରୀମାନେ ଆସି ବାଇକଷ୍ଟାଣ୍ଡ ରେ ନିଜନିଜ ଗାଡିଗୁଡିକ ରଖିବା ସହ ନନ୍ଦନକାନନ ପକ୍ଷରୁ ରଖାଯାଇଥିବା ସାଇକେଲ ଯୋଗେ ଯାତାୟତ କରିବେ । ସାଇକେଲ ୧୦୦ଟି କିଣିବା ପାଇଁ ମଧ୍ୟ ନନ୍ଦନକାନନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଖୁବଶିଘ୍ର ଏହି ଯୋଜନା ନନ୍ଦନକାନନରେ ଲାଗୁହେବାକୁ ଯାଉଛି ।

Leave A Reply

Your email address will not be published.