ପରଲୋକରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି

0 578

ଭୁବନେଶ୍ୱର,୨୦/୭(ଏସଏସନିୟୁଜ) ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ । ଭେଟେରାନ୍ କଳାକାର ବିଜୟ ମହାନ୍ତି ଆଉ ନାହାଁନ୍ତି । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଆଜି ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ୭୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏହା ପରେ ଓଡିଆ ଚଳଚ୍ଚିତ ଜଗତରେ ଶୋକର ଛାୟା ଖେଳିଯାଇଛି ।
୧୯୭୭ରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ । ୧୮୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବିଜୟ ମହାନ୍ତି । ୨୦୧୪ ମସିହାରେ ଜୟଦେବ ସମ୍ମାନ ପାଇଥିଲେ ବିଜୟ । ୪ଟି ଚଳଚ୍ଚିତ୍ରରେ ଅଭିନୟ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବିଜୟ ମହାନ୍ତି ଅଭିନେତା ଓ ନିର୍ଦ୍ଦେଶକ ଭାବେ ସଫଳ ହୋଇଥିବା ବେଳେ ଅଧ୍ୟାପନା କ୍ଷେତ୍ରରେ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲେ । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତେବେ ହାଇଦ୍ରାବାଦରେ ଚିକିତ୍ସାଧିନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ଓଡିଶା ଅଣାଯାଇଥିଲା । ଏଠାରେ ପୁଣି ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଜି ସନ୍ଧ୍ୟାରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଏକାଧାରରେ ଥିଏଟର ଓ ଚଳଚ୍ଚିତ୍ର ଅଭିନୟ ସହ ଅଧ୍ୟାପନା କ୍ଷେତ୍ରରେ ନାମ କମାଇଥିବା ବିଜୟ ମହାନ୍ତି ୧୯୫୦ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଣ୍ଡାରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତେବେ ମୟୂରଭଞ୍ଜର ବାରିପଦାରେ ସେ ସ୍କୁଲ ଓ କଲେଜ ଶିକ୍ଷା ଗ୍ରହଣ କରିଥିଲେ । ସ୍ନାତକ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାରେ ନାମ ଲେଖାଇଥିଲେ । ସେ ଥିଲେ ବିଶିଷ୍ଟ ଅଭିନେତା ନସିରୁଦ୍ଦିନ ଶାହ, ରାଜ ବବ୍ବର ଏବଂ ଓମ ପୁରୀଙ୍କ ସହପାଠୀ । ସେଠାରେ ଅଭିନୟ ଶିକ୍ଷା ଶେଷ କରି ୧୯୭୫ ମସିହା ପର‌୍ୟ୍ୟନ୍ତ ଦିଲ୍ଲୀରେ ଅବସ୍ଥାନ କରି ବିଭିନ୍ନ ଥିଏଟରରେ ଅଭିନୟ କରିଥିଲେ । ଏହାପରେ ସେ ଓଡିଶା ଫେରିଥିଲେ । ଓଡିଆ ଚଳଚ୍ଚିତ୍ର ଚିଲିକା ତୀରେ ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର । ସେହି ଚଳଚ୍ଚିତ୍ର ଜାତୀୟ ସମ୍ମାନ ପୁରସ୍କାର ପ୍ରାପ୍ତ । ତେବେ ପ୍ରଥମେ ସିନେମାରେ ନେଗେଟିଭ୍ ଭୂମିକା ଏବଂ ପରେ ନାୟକ ଓ ଚରିତ୍ର ଅଭିନେତା ଭାବେ ସେ ବେଶ୍ ଲୋକପ୍ରିୟତା ହାସଲ ସହ ସଫଳ ହୋଇଥିଲେ ।

Leave A Reply

Your email address will not be published.