ରାଜ୍ୟରେ ବନ୍ଦ ହେଲା କୋଭିଡ୍ ହସ୍ପିଟାଲ

0 547

ଭୁବନେଶ୍ଵର;6/1(ଏସ ଏସ ନିୟୁଜ)ରାଜ୍ୟରେ ବନ୍ଦ ହେଲା ୩୧ଟି କୋଭିଡ୍ ହସ୍ପିଟାଲ, ଏଣିକି ନିଜ ପକେଟ୍‌ରୁ କରୋନା‌ ଚିକିତ୍ସା କରିବେ ରୋଗୀ !ଯାହାକୁ ନେଇ ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ରାଜ୍ୟରେ ଲଗାତର ଭାବେ କୋଭିଡ୍ ସଂକ୍ରମଣ ତଳମୁହାଁ ହେଉଥିବା ବେଳେ  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ମାତ୍ର ୧୯୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ଗ୍ରାଫ୍ ତଳକୁ ଖସୁଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବଡ ନିଷ୍ପତ୍ତି ନେଇଥିବା ଜଣାପଡିଛି । ରାଜ୍ୟର ୩୧ଟି ଘରୋଇ ପରିଚାଳିତ କୋଭିଡ୍ ହସ୍ପିଟାଲକୁ ବନ୍ଦ ଘୋଷଣା କରାଯିବା ସହିତ  ସରକାର ଏଠାରେ ଯୋଗାଉଥିବା ମାଗଣା ଚିକିତ୍ସା ସେବା ଚୁକ୍ତିର ଅବଧି ଆପେ ଶେଷ ହୋଇଛି।

ଜାନୁୟାରୀ ୧ ତାରିଖଠାରୁ ସମସ୍ତ ଘରୋଇ କୋଭିଡ୍ ହସ୍ପିଟାଲ ସହ ସରକାରଙ୍କ ଚୁକ୍ତି ସରିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ଯେଉଁମାନେ ଆଡମିଶନ୍ ହୋଇଛନ୍ତି ସେମାନେ ସୁସ୍ଥ ହେବା ଯାଏ ଚିକିତ୍ସା ଜାରି ରହିବ। କିନ୍ତୁ ଏଠାରେ ଆଉ କୌଣସି ନୂଆ ରୋଗୀଙ୍କୁ ଆଡମିଶନ୍ ନ କରିବାକୁ ବୋଲି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ସେ ସମସ୍ତ ଜିଲ୍ଲାପାଳ ଓ ପୌର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସରକାରଙ୍କ ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଘରୋଇ କୋଭିଡ୍ ହସ୍ପିଟାଲକୁ ପ୍ରଶସ୍ତିପତ୍ର ଦେବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ସମ୍ କୋଭିଡ୍ ହସ୍ପିଟାଲ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ପୂର୍ବଭଳି କାର‌୍ୟ୍ୟ କରିବ। କିନ୍ତୁ ଏଠାରେ ଶଯ୍ୟା ସଂଖ୍ୟା କମାଇ ଦିଆଯାଇଛି। ସମ୍ କୋଭିଡ୍‌ରେ ୧୫୦ ଶଯ୍ୟା ରହିବ। ଘରୋଇ କୋଭିଡ୍ ହସ୍ପିଟାଲକୁ ବନ୍ଦ ହୋଇଥିବାରୁ କୋଭିଡ୍ ଚିକିତ୍ସା ପାଇଁ ଏବେ ୩୦ଟି ସରକାରୀ କୋଭିଡ୍ ହସ୍ପିଟାଲକୁ କାର‌୍ୟ୍ୟକ୍ଷମ କରାଯିବ। ଏଠାରେ ଆବଶ୍ୟକ ମାନବ ସମ୍ବଳ ସହ ଅନ୍ୟ ଚିକିତ୍ସା ସୁବିଧା ଉପଲବ୍ଧ ହେବ।

ଅନ୍ୟ ଘରୋଇ ହସ୍ପିଟାଲଗୁଡିକ କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରିପାରିବେ। କିନ୍ତୁ ଏଥିପାଇଁ ଓଡିଶା କ୍ଲିନିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ(କଣ୍ଟ୍ରୋଲ ଆଣ୍ଡ ରେଗୁଲେସନ) ଆକ୍ଟ ଅନୁସାରେ ସରକାର ନିର୍ଦ୍ଧାରଣ କରିଥିବା ମୂଲ୍ୟ ନେବେ। ଲକ୍ଷଣ ନଥିବା ଲୋକେ ଘରେ ହୋମ୍ ଆଇସୋଲେସନ୍‌ରେ ରହିବେ । ସେହିଭଳି କାଜୁଆଲଟି ଓ ଟ୍ରମା ସେଣ୍ଟର ପାଇଁ ଏସ୍‌ସିବିରେ ୬୦ ବେଡ୍‌ର ବ୍ୟବସ୍ଥା କରାଯିବ। ସରକାରୀ କୋଭିଡ୍ ହସ୍ପିଟାଲରେ ନିୟୋଜିତ କର୍ମଚାରୀଙ୍କୁ ନିଜ ପାଖରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଭବିଷ୍ୟତରେ ସମସ୍ତ ଜରୁରୀ ସ୍ଥିତି ବା ନୂଆ ସଂକ୍ରମଣ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

Leave A Reply

Your email address will not be published.