ଭୁବନେଶ୍ୱର,୮।୧୨(ଏସଏସନିଉଜ)ଘର ଆଗରେ ଥୁଆ ହୋଇଥିବା କାରରେ ଜଣେ ବ୍ୟକ୍ତି ଜବରଦସ୍ତ ପଶି ଶୋଇଥିଲେ। ବାହାରିବାକୁ କହିବାରୁ ଅସଦାଚରଣ କରିବା ସହ ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଇଥିଲେ।ଏହି ଭଳି ଘଟଣା ରବିବାରରାତିରେ ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁର ଗ୍ରାମରେ ଘଟିଛି ।ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଯାଜପୁରର ବିଦ୍ୟାଧର ବିଶ୍ଵାଳ(୪୩) ନାମକ ବ୍ୟକ୍ତିକୁ ଗିରଫକରି ସୋମବାର କୋର୍ଟଚାଲଣକରିଛି ।
ପ୍ରକାଶଯେ,ରବିବାର ରାତି ପ୍ରାୟ ୯.୩୦ ସମୟରେ ରଘୁନାଥପୁର ଅଞ୍ଚଳରେ ପାଇପ ମିସ୍ତ୍ରୀ ଭାବେ କାମକରୁଥିବା ଯାଜପୁରର ବିଦ୍ୟାଧର ବିଶ୍ଵାଳ ଯାଦବ ରାଉତଙ୍କ ରଘୁନାଥପୁର ଗ୍ରାମ ସ୍ଥିତ ଘର ବାହାରେ ପାର୍କିଂ ହୋଇଥିବା ଏକ କାର ଭିତରେ ଜବରଦସ୍ତ ପଶି ଶୋଇଥିଲେ। କାରର ମାଲିକାଣୀ କଲ୍ୟାଣୀ ଜେନା ଏହା ଜାଣିପାରି ବିଦ୍ୟାଧରଙ୍କୁ କାରରୁ ବାହାରକୁ ଆସିବାକୁ କହିବାରୁ ସେ ଦୁର୍ବ୍ୟବହାର କରିଥିଲେ।ଏହାପରେ ରଘୁନାଥପୁର ଗ୍ରାମର ଯାଦବ ଙ୍କ ଭାଇ ମାଧବ ଚନ୍ଦ୍ର ରାଉତଙ୍କୁ ସହାୟତା ମାଗିବା ସହ ସାଙ୍ଗରେ ଗାଡି ପାଖକୁ ଡାକି ଆଣିଥିଲେ।ମାଧବ ଗାଡି ଭିତରୁ ବାହାରିବାକୁ ବିଦ୍ୟାଧରଙ୍କୁ କହିବା ପରେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଠିକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା। ଏହାପରେ ପରିବାର ଲୋକ ମାଧବଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ବୋଲି ଯାଦବ ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।ପୋଲିସ ଅଭିଯୋଗ ଆଧାରରେ ୪୫୯/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ବିଦ୍ୟାଧର ବିଶ୍ଵାଳଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।