ଅଣଖାଉଟି କାର୍ଡ଼ଧାରୀ ବନ୍ୟା ବିପନ୍ନ ପାଇବେ ରିଲିଫ୍‌

ଡେଲାଙ୍ଗ, ୫ା୯ (ଏସଏସନିୟୁଜ) ଚଳିତବର୍ଷ ବନ୍ୟାରେ ଡେଲାଙ୍ଗ ବ୍ଳକ୍‌ର ୧୧ ପଞ୍ଚାୟତ ଅନ୍ତର୍ଭୁକ୍ତ ୬୦ ଗ୍ରାମର ଖାଉଟି କାର୍ଡ଼ଧାରୀ ବିପନ୍ନଙ୍କୁ ସରକାରୀ ରିଲିଫ୍ ୫୦ କି.ଗ୍ରା. ଚାଉଳ ଓ ନଗଦ ୫୦୦ ଟଙ୍କା ପ୍ରଦାନ ପାଇଁ ଶୁକ୍ରବାର ନିର୍ଦ୍ଦେଶ ମିଳିଥିଲା । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଓ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଙ୍କ ନିବେଦନ କ୍ରମେ ଏହି ସବୁ ଗ୍ରାମର ଅଣଖାଉଟୀ କାର୍ଡ଼ଧାରୀ ବିପନ୍ନମାନଙ୍କୁ ଉକ୍ତ ରିଲିଫ୍ ପ୍ରଦାନ ପାଇଁ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ନିର୍ଦ୍ଦେଶ ଦେଇଥିବା ବିଡିଓ କ୍ଷୀରୋନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା, ବ୍ଲକ୍ ଅଧ୍ୟକ୍ଷ , ବିଡିଓ, ତହସିଲଦାର ରାଜେନ୍ଦ୍ର କୁମାର ଆଚାରୀଆ ୫ ଦିନ ଧରି ଜଳବନ୍ଦୀ ଥିବା କଲ୍ୟାଣପୁର ପଞ୍ଚାୟତ ରାଢ଼ୁଅ ଗ୍ରାମରେ ଶନିବାର ସରକାରୀ ରିଲିଫ୍ ବିତରଣ ପକ୍ରୀୟା ଆରମ୍ଭ ହୋଇଛି । କଲ୍ୟାଣପୁର ପଂଚାୟତର ସରପଞ୍ଚ ପ୍ରତିନିଧି ସଂଜୟ କୁମାର ଜେନା ବିପନ୍ନମାନଙ୍କ ଦୟନୀୟସ୍ଥିତି ସଂପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ବନ୍ୟାଜଳ ଲୁଣାନଦୀ ଆଖପାଖ ଅଞ୍ଚଳ ଦେଇ ନିଷ୍କାସିତ ହେଉଥିବାରୁ ନିମ୍ନାଂଶରେ ଅଧିକ ଗ୍ରାମ ବନ୍ୟା ପ୍ଳାବିତ ହେବା ଆଶଙ୍କା ପ୍ରତି ଦୃଷ୍ଟି ରଖି ପ୍ରଭାବିତ ଗ୍ରାମ ସଂଖ୍ୟା ଓ ପରିବାର ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଶନିବାର ସଂଧ୍ୟା ସୁଦ୍ଧା ୧୨ ପଞ୍ଚାୟତ ଅନ୍ତର୍ଭୁକ୍ତ ୬୫ ଗ୍ରାମର ଖାଉଟୀ କାର୍ଡ଼ଧାରୀ ଓ ଅଣଖାଉଟୀ କାର୍ଡ଼ଧାରୀ ବିପନ୍ନ ପରିବାରଙ୍କ ସଂଖ୍ୟା ୮୪୫୦ ବୋଲି ଆକଳନ କରାଯାଇଥିବା ଅତିରିକ୍ତ ବିଡିଓ ପ୍ରଦୀପ ନାୟକ ସୂଚନା ଦେଇଛନ୍ତି ।

Comments (0)
Add Comment