ଦୁଆରେ ଦିଅଁ

ପ୍ରକମ୍ପିତ ରଘୁନାଥପୁର ଗ୍ରାମ

ବାରଙ୍ଗ,୧।୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗ୍ରାମରେ ପରମ୍ପରାର ପର୍ବ ଦୋଳଯାତ୍ରା ଓ ମେଳଣ ବା ଜମାଣ ଯାତ୍ରା ରବିବାର ରାତିରେ ଅନୁଷ୍ଟିତ ହୋଇଯାଇଛି । ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନ ମନ୍ଦିରରୁ ବାହାରି ସୁସଜ୍ଜିତ ବିମାନରେ ବିରାଟ ପଟୁଆର ନେଇ ଗାଁ ପରିଭ୍ରମଣ କରିଥିଲେ । ହରିବୋଲ ହୁଳହୁଳି ସାଙ୍ଗକୁ ହରିନାମ କୀର୍ତ୍ତନରେ ପ୍ରକମ୍ପିତ ହୋଇଉଠିଥିଲା ଗାଁର ପରିବେଶ।ପ୍ରଭୁ ଦଧିବାମନ ଘରଘର ବୁଲି ଭୋଗ ଖାଇବାର ପୁରୁଣା ପ୍ରଥା ଓ ପରମ୍ପରା ଥିବାରୁ ଗ୍ରାମବାସୀ ମାନେ ରାତି ଉଜାଗର ହୋଇ ଘରଆଗରେ ଦୀପଜାଳି ଭୋଗଡାଲା ଧରି ଠାକୁରଙ୍କ ଆଗମନକୁ ପ୍ରତୀକ୍ଷା କରି ରହିଥିଲେ।ଅନ୍ୟପଟେ ରଙ୍ଗବେରଙ୍ଗର ସୁସଜିତ ଆଲୋକମାଳା ସାଙ୍ଗକୁ
ବାଜାବାଣରେ ପ୍ରକମ୍ପିତ ହୋଇଉଠିଥିଲା ରଘୁନାଥପୁର ଗ୍ରାମ ଓ ଏହାର ପରିବେଶ।ଆଧୁନିକ ଆଉ ପୌରାଣିକ ବାଦ୍ୟର ତାଳରେ ଯୁବକ ମାନଙ୍କ ନାଚ ଦେଖଣାହାରୀଙ୍କୁ ବିମୋହିତ କରିଥିଲା।ଗ୍ରାମର ଏହା ବଡ ପର୍ବ ହୋଇଥିବାରୁ ବେଶ ଉତ୍ସାହିତ ଥିଲେ ଗ୍ରାମବାସୀ।ଘରେଘରେ ବନ୍ଧୁ ବାନ୍ଧବମାନଙ୍କ ଭିଡ଼ ଲାଗିରହିଥିବା ବେଳେ ରାତି ଉଜାଗର ହୋଇ ଗ୍ରାମବାସୀମାନେ ପ୍ରଭୁ ଦଧିବାମନଙ୍କ ଏହି ନିଆରା ଯାତ୍ରାକୁ ଉପଭୋଗ କରିଥିଲେ।

Comments (0)
Add Comment