ବୁଦ୍ଧମନ୍ଦିରରେ ଶାନ୍ତିସେନା ପୁସ୍ତକ ଉତ୍ସବ

ଭୁବନେଶ୍ୱର, ୪।୭(ଏସଏସନିଉଜ) ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଶାନ୍ତିସେନା ପବ୍ଲିକେଶନ ପକ୍ଷରୁ ଏକ ଭବ୍ୟ ‘ଶାନ୍ତିସେନା ପୁସ୍ତକ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ସଂସ୍କୃତି ଓ ଜ୍ଞାନର ପ୍ରସାରକୁ ନେଇ ଆୟୋଜିତ ଏହି ସାରସ୍ୱତ ସମାରୋହରେ ବହୁ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାହିତ୍ୟପ୍ରେମୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ବିଶିଷ୍ଟ ଜନନେତା ଓ ସମାଜସେବୀ ଗୋଲକ ପ୍ରସାଦ ମହାପାତ୍ର ମୁଖ୍ୟଅତିଥି, ପ୍ରସିଦ୍ଧ ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଏବଂ ପ୍ରେଫେସେର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସଭାପତି ଭାବେ ଯୋଗଦେଇ ସାହିତ୍ୟର ସାମାଜିକ ଭୂମିକା ଓ ପୁସ୍ତକ ପାଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ଶାନ୍ତିସେନା ପବ୍ଲିକେଶନର ପ୍ରକାଶକ ରଜତ ରଶ୍ମି ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ ରବି ସ୍ୱାଇଁ, ରଞ୍ଜନ ନାୟକ ଓ ସୂର୍ଯ୍ୟ ମିଶ୍ର ଉପସ୍ଥିତ ରହି ସାହିତ୍ୟ ଓ ସମାଜର ସମ୍ପର୍କ ଉପରେ ନିଜର ଅଭିଭାଷଣ ରଖିଥିଲେ।
ଏହି ଅବସରରେ ବିଭିନ୍ନ ବିଶିଷ୍ଟ ଲେଖକ ଓ ଗବେଷକଙ୍କ ରଚିତ ୭ଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସେଥିରେ ଲଳିତ ମୋହନ ମିଶ୍ରଙ୍କ ‘ସମୟର ଅନ୍ତରାଳେ’, ଡ. ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ଫର୍ଦ୍ଧ ଫର୍ଦ୍ଧ ପ୍ରତ୍ୟୟନାମା’, ଡ. ସଚ୍ଚିଦାନନ୍ଦ କରଙ୍କ ଡ. ମୀନକେତନ’ ବିଶ୍ୱନାଥ ନାୟକଙ୍କ ପୂର୍ବରୁ ପଶ୍ଚିମ ଡ. ନିହାର ରଞ୍ଜନ ପରିଡ଼ାଙ୍କ ରେନ୍ କୋଟ୍’ ଓ ‘ଦୁର୍ଗ ବାହାରେ ଫଗୁଣ କଥା ଏବଂ ତନୁଶ୍ରୀ ମହାପାତ୍ରଙ୍କ ‘ଜୀବଜଗତ ଓ ଜୀବବିଜ୍ଞାନ’ ସାମିଲ ଥିଲା।
ଏହାପରେ ଏକ ଭବ୍ୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଡ. ରଜନୀ ରଞ୍ଜନ ଦାଶ ସଭାପତିତ୍ୱ କରିଥିବା ବେଳେ ପ୍ରଫେସର ମନୋରଞ୍ଜନ ମହାନ୍ତି ମୁଖ୍ୟଅତିଥି ଏବଂ ପୀୟୁଷ ରଞ୍ଜନ ପରିଡ଼ା ଓ ମଦନ ମୋହନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଂଯୋଜନା କ୍ଷଣପ୍ରଭା ମହାନ୍ତି, ମଧୁମିତା ମିଶ୍ର ଓ ଡ. ସଂଯୁକ୍ତା ପରିଡ଼ା କରିଥିଲେ।
ଏହି ଅବସରରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱମାନଙ୍କୁ ‘ରାଜ୍ୟରାଣୀ ସମ୍ମାନ’ ପ୍ରଦାନ କରାଯାଇଥିଲା। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଏବଂ କଣ୍ଠଶିଳ୍ପୀ ରଶ୍ମି ସାମଲଙ୍କୁ ସମ୍ମାନିତ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମକୁ କ୍ଷଣପ୍ରଭା ମହାନ୍ତି ଓ ମଧୁମିତା ମିଶ୍ର ସଫଳତାର ସହ ପରିଚାଳନା କରିଥିଲେ। ଉତ୍ସବରେ ବହୁ ସଂଖ୍ୟାରେ ସାହିତ୍ୟପ୍ରେମୀ, କବି, ଲେଖକ, ଗବେଷକ ଓ ବୁଦ୍ଧିଜୀବୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିଥିଲେ।

Comments (0)
Add Comment