ହଟିଲା ସସପେନ୍ସ ,ମିଳିଲା ଆସ୍ବସ୍ତି

ନୂଆଦିଲ୍ଲୀ/ଭୁବନେଶ୍ବର: ୨୨/୬ : (ଏସଏସଏନ୍) ହଟିଲା ସସ୍‌ପେନ୍ସ, ବଡଦାଣ୍ଡରେ ଗଡିବ ରଥ ।ଦୀର୍ଘଦିନ ଧରି ଚାଲିଥିବା ଦ୍ୱନ୍ଦରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡିଛି ।ନିରାଶ ହୋଇପଡିଥିବା ଭକ୍ତଙ୍କୁ ଆସ୍ବସ୍ତି ମିଳିଛି ।  ଆଜି ସୁପ୍ରିମକୋର୍ଟ ପୁରୀ ରଥଯାତ୍ରା ନେଇ ଦାଖଲ ହୋଇଥିବା ମାମଲାର ଶୁଣାଣି କରି ପୁରୀରେ ରଥ ଯାତ୍ରା ଆୟୋଜନ ନେଇ ଅନୁମତି ଦେଇଛନ୍ତି । ବଡଦାଣ୍ଡରେ ଚଳିତ ବର୍ଷ ରଥ ଗଡିବା ନେଇ ସୁପ୍ରିମକୋର୍ଟ ରାୟ ଦେଇଥିଲେ ମଧ୍ୟ ବିନା ଭକ୍ତରେ ଘୋଷଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି । କେବଳ ପୁରୀରେ ରଥ ଯାତ୍ରା ଆୟୋଜିତ ନେଇ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି। କୋଭିଡ୍‌ ସଂପର୍କିତ ସମସ୍ତ ନିୟମ ମାନିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମ୍ବେଦନଶୀଳ ମାମଲାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସଏ ବୋବଡେ, ବିଚାରପତି ବୋପନ୍ନା ଓ ବିଚାରପତି ମାହେଶ୍ଵରୀଙ୍କ ଖଣ୍ଡପୀଠ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି।

ରଥ ଯାତ୍ରା କିପରି ଅନୁଷ୍ଠିତ ହେବ ଏବଂ ତାର ଆୟୋଜନ ସଂପର୍କରେ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ଓଡିଶା ସରକାର ନିଷ୍ପତ୍ତି ନେବେ। ସୁପ୍ରିମକୋର୍ଟ ତାଙ୍କ ରାୟରେ ଶ୍ରୀମନ୍ଦିର ପ୍ରଶାସନ ଓ ଓଡିଶା ସରକାରଙ୍କ ଉପରେ ଏହି ନିଷ୍ପତ୍ତି ଛାଡିଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କେବଳ ଓଡିଶାବାସୀ ନୁହନ୍ତି ସମଗ୍ର ବିଶ୍ଵରେ ଥିବା ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ମାହୋଲ ଖେଳି ଯାଇଛି। ଆସନ୍ତାକାଲି ପୁରୀ ବଡ ଦାଣ୍ଡରେ ଗଡିବ ତିନି ରଥ। ସୂଚନାଯୋଗ୍ୟ ଯେ, ଗତ ୧୮ତାରିଖ ଦିନ ପୁରୀରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ସେହି ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ବର୍ତ୍ତମାନ ସମୟରେ ରଥଯାତ୍ରା କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ତେବେ ଆଜିର ଶୁଣାଣିରେ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।

Comments (0)
Add Comment