କାଲି ସନ୍ଧ୍ୟା ୬ଟାରେ ରାଜ୍ୟବାସୀଙ୍କୁ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର.୪/୮(ଏସ୍‌.ଏସ୍‌.ନିୟୁଜ) ଆସନ୍ତାକାଲି ସନ୍ଧ୍ୟା ୬ଟାରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟର ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ନିମନ୍ତେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‌ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଏକ ବାର୍ତାରେ କହିଛନ୍ତି ଯେ କୋଭିଡ ମହାମାରୀ ଆଜି ସାରା ମାନବ ଜାତି ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି ଏବଂ ପ୍ରତ୍ୟେକ ଦେଶ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତି ଦେଇ ଗତି କରୁଛି । ବର୍ତ୍ତମାନ ଭାରତରେ ଦୈନିକ ସଂକ୍ରମଣ ସାରା ବିଶ୍ବରେ ସର୍ବାଧିକ। ଆମ ଦେଶରେ ପରିସ୍ଥିତିର ଗମ୍ଭୀରତା ଏଥିରୁ ସ୍ପଷ୍ଟ ଅନୁମେୟ। ତେଣୁ ଆମେ ଏହାକୁ ଆଦୌ ହାଲକା ଭାବରେ ନେବା ଉଚିତ ନୁହେଁ। ଗତ ୫ ମାସ ହେଲା ଆମେ କରୋନା ବିରୁଦ୍ଧରେ ଲଢେଇରେ ସାମିଲ ହୋଇଛେ ।ଆସନ୍ତାକାଲି ଓଡିଶାରେ ଆରୋଗ୍ୟଙ୍କ ସଂଖ୍ୟା ପଚିଶ ହଜାର ଅତିକ୍ରମ କରିବ। ।ସମସ୍ତଙ୍କ ସହଯୋଗରେ ଆମର ଆରୋଗ୍ୟଙ୍କ ସଂଖ୍ୟାରେ ବୃଦ୍ଧି ଓ ମୃତ୍ୟୁହାର କମ୍ ରହିଛି। ଆମର ହଜାର ହଜାର କୋଭିଡ ଯୋଦ୍ଧା ମାନଙ୍କର ପ୍ରତିବଦ୍ଧତା,ନିଷ୍ଠା ଓ ଅହର୍ନିଶି ସେବା ଯୋଗୁ ଆଜି ଏହା ସମ୍ଭବ ହୋଇପାରିଛି। ଏହି ଭୟାନକ ଯୁଦ୍ଧରେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ସେମାନଙ୍କର ଜୀବନ ବଳିଦାନ ଦେଇଛନ୍ତି। କୋଭିଡ ଯୋଦ୍ଧା ମାନଙ୍କର ମାନବ ଜାତି ପାଇଁ ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ସ୍ମୃତିରେ ମୁଁ ଏକ ନୀରବ ପ୍ରାର୍ଥନାର ନେତୃତ୍ବ ନେବି। ଆସନ୍ତାକାଲି ସଂଧ୍ୟା ୬ଟା ସମୟରେ ଏହି ପ୍ରାର୍ଥନା ସଭାରେ ଯୋଗ ଦେବା ପାଇଁ ଓଡିଶାର ମୋର ସାଢେ ଚାରି କୋଟି ଭାଇଭଉଣୀ ମାନଙ୍କୁ ଅନୁରୋଧ କରୁଛି। ଏହି ପ୍ରାର୍ଥନା ସଭା ପରେ ଆମ ପରିବାର ଓ ଆମର ସୁରକ୍ଷା ପାଇଁ କୋଭିଡ ନିୟମାବଳୀର କଡାକଡି ପାଳନ କରିବା ବୋଲି ଆମେ ସମସ୍ତେ ଏକ ଶପଥ ନେବା କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‌ଆସନ୍ତାକାଲି ବୁଧବାର ସଂଧ୍ୟା ୬ଟାରେ ଆପଣମାନେ ଯେଉଁଠାରେ ଥାଆନ୍ତୁ, ସେଠାରେ ଠିଆ ହୋଇ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟନୀରବ ପ୍ରାର୍ଥନା କରନ୍ତୁ ଏବଂ ଏ ଲଢେଇ ଜାରି ରଖିଥିବା କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାପାଇଁ ଶପଥ କାର୍ଯ୍ୟକ୍ରମରେ ଭାଗ ନିଅନ୍ତୁ ।ମୁଁ ନିଜେ ଆପଣମାନଙ୍କୁ ଟିଭି ଓ ସୋସିଆଲ ମିଡିଆ ଜରିଆରେ ଶପଥ ପାଠ କରାଇବି ବୋଲି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments (0)
Add Comment