ନନ୍ଦନକାନନ-ପୁଣି ମୃତ୍ୟୁ ,ଏଥର ବଳିଆକୁକୁର

ବାରଙ୍ଗ,୧୧/୨(ଏସଏସନିୟୁଜ)ନନ୍ଦନକାନନରେ ଜୀବଜନ୍ତୁମାନଙ୍କର ମୃତ୍ୟୁ କମିବାର ନାଁ ଧରୁନାହିଁ । ୧୧ଦିନ ମଧ୍ୟରେ ନନ୍ଦନକାନନରେ ତିନଟି ଜୀବଜନ୍ତୁଙ୍କର ମୃତ୍ୟୁ ହୋଇସାରିଲାଣି । ପ୍ରଥମ ମୃତ୍ୟୁ ହୋଇଥିଲା ମାଣ୍ଡାରିନ ବତକର । ଦିନରେ ଠିକ୍ ରାତି ପାହିବା ବେଳକୁ ମରିପଡିଛି ମାଣ୍ଡାରିନ ବତକ । ଏହାପରେ ଏକା ଅବସ୍ଥା ଘଟିଥିଲା ନୀଳବର୍ଣ ଏଣ୍ଡୁଅ କ୍ଷେତ୍ରରେ ।ସକାଳେ ତାର ଖୁଆଡରେ ମରିପଡିଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ପୁଣି ମଙ୍ଗଳବାର ସକାଳେ ଖୁଆଡ ନଂ ୯୧ରେ ରହୁଥିବା ବଳିଆକୁକୁର ଦୁଇଟି ମଧ୍ୟରୁ ମାଇ ବଳିଆକୁକୁରଟି ମରିପଡିଥିବାର ଜଣାପଡିଥିଲା ।ତେବେ ସୋମବାର ସୁଦ୍ଧା ଠିକଭାବେ ବିଚରଣ କରିବା ସହ ସୁସ୍ଥ ଥିବାର କର୍ମଚାରୀମାନେ ଦେଖିଥିବାବେଳେ ମଙ୍ଗଳବାର ସକାଳେ ମରିପଡିବା ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା । ଏହାଯୋଗୁ ଏମାନଙ୍କ ସଂଖ୍ୟା ନନ୍ଦନକାନନରେ କମି ଏବେ ଏକମାତ୍ର ଅଣ୍ଡିରାଟି ରହିଛି ।ତେବେ ଯୋଉଁ ଉଦ୍ଦେଶ୍ୟ ନେଇ ଏହି ବଳିଆକୁକୁରକୁ ଏଠାକୁ ଅଣାଯାଇଥିଲା ସେମାନଙ୍କର ବଂଶ ବୃଦ୍ଧି ହେବାପୁର୍ବରୁ ଗୋଟିକର ମୃତ୍ୟୁ ଘଟିଛି । ୨୧ଜୁନ୨୦୧୮ରେ ମିଜୋରାମର ଆଇଜଲ ଚିଡିଆଖାନାରୁ ହଳେ ବଳିଆକୁକୁର ଉପହାରରେ ନନ୍ଦନକାନନକୁ ଆସିଥିଲା । ତେବେ ଜନ୍ତୁବିଭାଗର ତଦାରଖର ଅଭାବ ସାଙ୍ଗକୁ ରୋଗନିରୁପଣ କ୍ଷେତ୍ରରେ ଅପାରଗତା ହିଁ ନିରିହ ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁର କାରଣ ସାଜୁଛି ବୋଲି ଆଲୋଚନା ହେଉଛି ।

Comments (0)
Add Comment