ଓଡିଆରେ ଲେଖ ଦୋକାନର ନାମଫଳକ , ନହେଲେ ଗଣିବ ୨୫ହଜାର

ଭୁବେନେଶ୍ୱର;୨୧/୧୧- ଏଥର ବାଧ୍ୟତାମୂଳକ , ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖିବା । ପୂର୍ବରୁ ଏହି ଆଇନ୍କୁ ଅଧିକାଂଶ ବ୍ୟବସାୟୀମାନେ ମାନୁନଥିବା ବେଳେ ମାଲିକ ମାନଙ୍କୁ ସଚେତନ କରିବା ସହ ଉଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛି ଶ୍ରମ ବିଭାଗ । ରାଜ୍ୟ ସରକାର ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ନେଇ ମଙ୍ଗଳବାର ଦିନ ଇଏସ୍ଆଇ କାର୍ଯ୍ୟାଳୟଠାରେ ୱେବ୍ ପୋର୍ଟାଲ ;ଓଡିଆ ଫଳକ; ଲୋକାର୍ପିତ ହୋଇଯାଇଛି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ଉନ୍ମୋଚନ କରିଛନ୍ତି । ଶ୍ରମ ବିଭାଗ ପକ୍ଷରୁ ଇ-ପୋର୍ଟାଲ ଉନ୍ମୋଚନ ହେବା ପରେ ଆଗାମୀ ଦିନରେ ଓଡିଆରେ ନାମ ଫଳକ କଡାକଡି ଭାବେ ଲାଗୁ କରାଯିବ । ରାଜ୍ୟର ପ୍ରତି ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ସମ୍ମୁଖରେ ବାଧ୍ୟତାମୂଳକ ଭାବେ ଓଡିଆ ନାମ ଫଳକ ଲେଖାଯିବ । ଏଥିରେ ଖିଲାପ କଲେ କଠୋର କାର୍ଯ୍ୟନୁଷ୍ଠାନ ପାଇଁ ସଂଶୋଧିତ ଆଇନ୍ ବ୍ୟବସ୍ଥା ଅଛି । ଓଡିଆରେ ନାମ ଫଳକ ନଲେଖିଲେ ପ୍ରଥମ ଥର ୧ହଜାରରୁ ୫ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ସେହିପରି ଦ୍ୱିତୀୟ ଥର ନିୟମ ନମାନିଲେ ୨ହଜାରରୁ ସର୍ବାଧିକ ୨୫ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ଏଥିପାଇଁ ୱେବ୍ ପୋର୍ଟାଲ ;ଓଡିଆ ଫଳକ; ଲୋକାର୍ପିତ କରାଯାଇଛି । ଯଦି କୈାଣସି ଦୋକାନି ବା ବ୍ୟବସାୟ ପ୍ରତିଷ୍ଠାନ ଓଡିଆରେ ନାମଫଳକ ଲେଖିନଥିବେ ଲୋକେ ଏହି ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ମାତ୍ରେ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

Comments (0)
Add Comment