ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ପରଲୋକ

ନୂଆଦିଲ୍ଲୀ,୩୧/୮(ସତ୍ୟସନ୍ଧାନ ଡେସ୍କ) ଆଜି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ତାଙ୍କର ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
ଅଗଷ୍ଟ ୧୦ ତାରିଖ ଦିନ ଶ୍ରୀ ମୁଖାର୍ଜୀ ରାଜାଜୀ ମାର୍ଗସ୍ଥିତ ତାଙ୍କ ବାସଭବନରେ ପଡ଼ିଯାଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ନୂଆ ଦିଲ୍ଲୀସ୍ଥିତ ଆର୍ମି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପଡ଼ିବା ଯୋଗୁଁ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଯାଇଥିଲା । ରକ୍ତ ଟେଳାଟିକୁ ବାହାର କରିବାକୁ ମସ୍ତିଷ୍କରେ ଜଟିଳ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ଏହାପରେ ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା ଓ ସେ ଗଭୀର କୋମା ଅବସ୍ଥାରେ ଥିଲେ। ଏହା ପରେ ଫୁସ୍‌ଫୁସ୍ ସଂକ୍ରମଣ କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଚାଲିଥିଲା।
ମସ୍ତିଷ୍କ ସର୍ଜରୀ ପରେ ଭେଣ୍ଟିଲିଟରରେ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆଜି ସକାଳେ ଅବନତି ଘଟିଥିଲା। ଏ ନେଇ ନୂଆଦିଲ୍ଲୀର ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ଡାକ୍ତରଖାନା ଅନୁଯାୟୀ, ସ୍ୱାସ୍ଥ୍ୟଗତ ଜଟିଳତା ହେତୁ ମୁଖାର୍ଜୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ୨୦ଦିନ ପରେ ବି ସେ କୋମାରେ ଥିବା ବେଳେ ଆଜି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇଥିଲା ।
ଉଲ୍ଲେଖଯୋଗ୍ୟ, ଶ୍ରୀ ମୁଖାର୍ଜୀଙ୍କୁ ଗତ ଅଗଷ୍ଟ ୧୦ରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼ିବା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପୂର୍ବରୁ ୮୪ ବର୍ଷୀୟ ଶ୍ରୀ ମୁଖାର୍ଜୀ କୋଭିଡ-୧୯ ପାଇଁ ମଧ୍ୟ ହୋଇଥିବା ପରୀକ୍ଷାରେ କରୋନା ପଜିଟିଭ୍ ଥିବା ଜଣା ପଡ଼ିଥିଲା, ଏ ସଂପର୍କରେ ନିଜେ ଶ୍ରୀ ମୁଖାର୍ଜୀ ଟୁଇଟ୍ କରି ସୂଚନା ଦେଇଥିଲେ।

Comments (0)
Add Comment