ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

ଡେଲାଙ୍ଗ ୯ା୧୦ (ଏସଏସନିୟୁଜ ) ୨୦୧୭ ମସିହା ଠାରୁ ସୂଚାରୁରୂପେ ଦାୟିତ୍ୱ ସମ୍ପାଦନ କରି ଆସୁଥିବା ଜନୈକା ଅଙ୍ଗନୱାଡ଼ି କର୍ମୀଙ୍କୁ ବହିଷ୍କାର ଆଦେଶର ପ୍ରତିବାଦରେ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ କର୍ମଚାରୀ ସଂଘର ଡେଲାଙ୍ଗ ଶାଖା କମିଟି ପକ୍ଷରୁ ବୁଧବାର ସ୍ଥାନୀୟ ସିଡିପିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ୩ ଦିନ ମଧ୍ୟରେ ଏହାର ବିଚାର ନ କଲେ ଅଙ୍ଗନୱାଡ଼ି କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେବୋଲି ଏହି ପତ୍ରରେ ଚେତାବନୀ ଦେଇଛନ୍ତି । ସଂଘର ସଭାନେତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ଓ ସମ୍ପାଦିକା ମମତା ବରାଳଙ୍କ ଅଭିଯୋଗ କ୍ରମେ ଜେନାପୁର ପଞ୍ଚାୟତ କିଆଲଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ୨୦୧୭ ମସିହାରୁ କର୍ମୀ ଭାବେ କାର୍ଯ୍ୟରତ ଥିବା ଅନିତା ବେହେରାଙ୍କୁ ଅନ୍ୟାୟ ଭାବେ ବହିଷ୍କାର କରାଯାଇ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା କର୍ମୀଙ୍କୁ ହତୋତ୍ସାହିତ କରିଛି ବୋଲି ସଂଘର ଦୁଇ କର୍ମକର୍ତ୍ତା ଆରୋପ କରିବା ସହ ଯଥାଶୀଘ୍ର ଏହାର ପ୍ରତିକାର କରିବାକୁ ଦାବି କରିଥିଲେ । ୨୦୦୯-୧୦ ମସିହାରେ ଖୋଲା ଯାଇଥିବା କେନ୍ଦ୍ରର କର୍ମୀ ପଦ ପାଇଁ ୨ ଜଣ ଆବେଦନ କରିଥିଲେ । ୧ମ ସ୍ଥାନ ପାଇଁ କର୍ମୀ ଭାବେ ଯୋଗ ଦେଇଥିବା ମହିଳା ମାସକ ମଧ୍ୟରେ ଇସ୍ତଫା ଦେଇଥିଲେ । ଫଳରେ ଏହି ପଦବି ଦୀର୍ଘ ବର୍ଷ ଧରି ଖାଲି ରହିଥିଲା ଓ ନିକଟସ୍ଥ କେନ୍ଦ୍ରର କର୍ମୀଙ୍କ ଅତିରିକ୍ତ ଦାୟିତ୍ୱରେ କିଆଲଣ୍ଡା କେନ୍ଦ୍ର ପରିଚାଳିତ ହୋଇଥିଲା ।

ଗ୍ରାମବାସୀଙ୍କ ନିବେଦନ କ୍ରମେ ୨୦୧୭ ମସିହାରେ ନିୟୋଜନ ଅଧିକାରୀ ପୁରୀ ଉପଜିଲ୍ଲାପାଳ ଏହି ପଦବି ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ କରିଥିଲେ । ୬ ଜଣ ଏଥିପାଇଁ ଆବେଦନ କରିଥିଲା ବେଳେ ମନୋନୟନ କମିଟି ସୁପାରିଶ କ୍ରମେ ପୁରୀ ଉପଜିଲ୍ଲାପାଳ ଅନୀତା ବେହେରାଙ୍କୁ ଏହି ପଦବୀରେ ନିଯୁକ୍ତ କରିଥିଲେ । ଅନ୍ୟ ପକ୍ଷରେ ୨୦୦୯ ମସିହାରେ ଆବେଦନ କରି ୨ୟ ସ୍ଥାନରେ ରହିଥିବା ଆଶାୟୀ ୨୦୧୭ରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ତ ହୋଇ ତାଙ୍କ ଦାବି ଉପସ୍ଥାପନ କରିଥିଲେ । ୨୦୨୦ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତାଙ୍କ ଆବେଦନର ବିଚାର କରି ପୁରୀ ଉପଜିଲ୍ଲାପାଳଙ୍କ ୨୦୧୭ ନିଯୁକ୍ତି ଆବେଦନକୁ ରଦ୍ଦ କରି ୨୦୦୯ରେ ୨ୟ ସ୍ଥାନ ଅଧିକାର କରିଥିବା ଆବେଦନକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଅନିତାଙ୍କୁ କର୍ମଚ୍ୟୁତ କରାଯାଇଥିବା ସିଡିପିଓ ହାରାମଣି ନାୟକଙ୍କ ତାଙ୍କ ପ୍ରତିକ୍ରିୟା କହିଛନ୍ତି । (ଡେଲାଙ୍ଗରୁ ଚିତଜେନାଙ୍କ ରିପୋର୍ଟ )

Comments (0)
Add Comment