ରଙ୍ଗବତୀ’ ନାଁରେ ନାମିତ ହେଲା ଗାଁ

ସମ୍ବଲପୁର,୨୨/୭(ଏସଏସନିୟୁଜ)ବିଶ୍ଵପ୍ରସିଦ୍ଧ ଲୋକଗୀତ ‘ରଙ୍ଗବତୀ’ ନାଁରେ ନାମିତ ହୋଇଛି ଗାଁ। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ରଙ୍ଗବତୀ ନାମରେ ନାମିତ କରାଯାଇ ‘ରଙ୍ଗବତୀ ବିଲୁଙ୍ଗ’କୁ ପରିବର୍ତ୍ତନ କରାଯାଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବା ପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ପରେ ସମ୍ବଲପୁର ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।ସମ୍ବଲପୁର ଜିଲାର ବାମରା ତହସିଲ ଅଧୀନରେ ରହିଛି ବିଲୁଙ୍ଗ ଗ୍ରାମ। ଏହି ଗାଁର ଗୀତିକାର ମିତ୍ରଭାନୁ ଗୌନ୍ତିଆ ରଙ୍ଗବତୀ ଗୀତ ଲେଖିଥିଲେ, ଯାହା ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିବା ସହିତ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛି। ୨୦୦୪ ମସିହାରୁ ଗୀତିକାରଙ୍କ ଗାଁ ବିଲୁଙ୍ଗକୁ ରଙ୍ଗବତୀ ନାମରେ ନାମିତ କରିବାକୁ ଦାବି କରାଯାଇ ଆସୁଥିଲା। ପରବର୍ତ୍ତୀ ସମୟରେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟରୁ ଏନଓସି ମିଳିବା ପରେ ବିଲୁଙ୍ଗ ଗାଁର ନାଁ ‘ରଙ୍ଗବତୀ ବିଲୁଙ୍ଗ’କୁ ପରିବର୍ତ୍ତନ କରାଯାଇଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Comments (0)
Add Comment