ରିସ୍କ୍‌ ନେଇ ପାରିବନି ପ୍ରଶାସନ:ଭାଙ୍ଗିବ ପରମ୍ପରା,ଗଡ଼ିବନି ରୁକୁଣା ରଥ

ଭୁବନେଶ୍ବର:୨୯/୩(ଏସଏସଏନ୍) ଭାଙ୍ଗିବ ପରମ୍ପରା । ଆଉ ଗଡ଼ିବନି ରୁକୁଣା ରଥ ।   ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଅନ୍ୟତମ ବଡ଼ ପର୍ବ ରୁକୁଣା ରଥଯାତ୍ରା ବନ୍ଦ ହେବ। ରାଜ୍ୟରେ କରୋନା କଟକଣା ଚାଲିଥିବାରୁ ପ୍ରଶାସନ ରିସ୍କ ନେବାକୁ ଚାହୁଁନି। ରଥଯାତ୍ରା ନ‌ହେଲେ ଦୀର୍ଘ ବର୍ଷ ଧରି ଚାଲିଆସିଥିବା ପରମ୍ପରା ଭଙ୍ଗ ହେବ। ରଥଯାତ୍ରା ହୋଇପରିବ ନାହିଁ ବୋଲି ଖୋର୍ଧା ଜିଲ୍ଲାପାଳ ତଥା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଚାରି ନିଯୋଗର ପ୍ରମୁଖ ସେବାୟତଙ୍କୁ ଜଣାଇଥିବା ଜଣାପଡିଛି ।

ଶନିବାର ସନ୍ଧ୍ୟା ୬ଟାରେ ଜିଲ୍ଲାପାଳ ତଥା ଟ୍ରଷ୍ଟବୋର୍ଡ ସଭାପତି ଶ୍ରୀ ରାଉତ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟକୁ ୪ନିଯୋଗ ପ୍ରମୁଖଙ୍କୁ ବୈଠକ ପାଇଁ ଡାକିଥିଲେ।କରୋନା ପାଇଁ ଚଳିତ ବର୍ଷ ରୁକୁଣା ରଥଯାତ୍ରା ହୋଇପାରିବ ନାହିଁ ବୋଲି କହିଥିଲେ। ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି ନଂ. ୨୦୩୫ର ବିଜ୍ଞପ୍ତିକୁ ପଢ଼ି ଶୁଣାଇଥିଲେ। ଶ୍ରୀ ରାଉତଙ୍କ କହିବା ଅନୁଯାୟୀ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ।ସେତେବେଳେ ବ୍ରାହ୍ମଣ ନିଯୋଗର ସମ୍ପାଦକ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ରଥଯାତ୍ରା ବନ୍ଦ ହେବ ତେବେ ପରମ୍ପରା କିପରି ବଜାୟ ରହିବ। ଏନେଇ ଜିଲ୍ଲାପାଳ କହିଥିଲେ, ଆମେ ରିସ୍କ ନେଇ ପାରିବୁ ନାହିଁ ବୋଲି କହିଥିଲେ ।

Comments (0)
Add Comment