ରୋଗ ଜାଣିପାରିଲେନି ଡାକ୍ତର !

ଆଖି ବୁଜିଲା ହାଏନା

ବାରଙ୍ଗ,୧୪|୧୦(ଏସଏସନିଉଜ)ଚିକିତ୍ସା ଅବହେଳାରୁ ଚାଲିଗଲା ଅଣ୍ଡିରା ହାଏନା ଛୁଆର ଜୀବନ।ମାକାଓ ପରେପରେ ହାଏନା ଛୁଆର ମୃତ୍ୟୁ ଡ଼ାକ୍ତରମାନଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।୧୫ ଦିନ ପୂର୍ବରୁ ହାଏନା ଛୁଆର ଅସ୍ତ୍ରୋପଚାର କରିଥିଲେ ଡାକ୍ତର। ହେଲେ ବିଡମ୍ବନାର ବିଷୟ, ଅସ୍ତ୍ରୋପଚାର ହୋଇଥିବା ସ୍ଥାନଟି ଶୁଖିବା ବଦଳରେ ଦିନକୁ ଦିନ ପଚିବାକୁ ଲାଗିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ହାଏନା ଶେଷରେ ମଙ୍ଗଳବାର ସକାଳୁ ଖୁଆଡରେ ମରିପଡ଼ିଥିବାର ଦେଖିବାକୁ ପାଇଥିଲେ ଚିଡିଆଖାନା କର୍ତ୍ତୃପକ୍ଷ।
ସୂଚନା ମୁତାବକ, ନନ୍ଦନକାନନ କର୍ତ୍ତୃପକ୍ଷ ଗତ କିଛି ମାସ ତଳେ ତିନୋଟି ହାଏନା ଛୁଆକୁ ଉଦ୍ଧାର କରି ୨୫ନମ୍ୱର ଖୁଆଡ ରେ ରହୁଥିବା ହାଏନା ଖୁଆଡରେ ଛାଡିଥିଲେ। ଗତ ଏକମାସ ତଳେ ସେଥିମଧ୍ୟରୁ ବର୍ଷକର ଅଣ୍ଡିରା ଛୁଆଟିର୍ ହାର୍ନିଆ ହୋଇଥିବା ଜାଣିବାକୁ ପାଇଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ। ପରେ ଡ଼ାକ୍ତର ମାନେ ଛୁଆଟିର ଅପରେସନ ଗତ ୧୫ଦିନ ତଳେ କରିଥିଲେ। ତେବେ ଅପରେସନ ହୋଇଥିବା ସ୍ଥାନଟି ଗତ ସପ୍ତାହରୁ ପଚିବାରୁ ଡ଼ାକ୍ତରମାନଙ୍କ ଚିନ୍ତା ବଢ଼ିଯାଇଥିଲା।ଡ଼ାକ୍ତରମାନେ ପ୍ରତିଦିନ ଡ୍ରେସିଂକରିବା ଆରମ୍ଭ କରିଥିଲେ। ହେଲେ ମଙ୍ଗଳବାର ସକାଳୁ ଛୁଆଟି ମରିପଡ଼ି ଥିବାର ଜଣାପଡିଥିଲା। ଅଭିଯୋଗ ହେଉଛିଯେ, ଜୀବଜନ୍ତୁଙ୍କର ସଠିକ୍ ଯତ୍ନ ନିଆଯାଉନାହିଁ କି ? ନା ରୋଗ ଜାଣୁଜାଣୁ ମୃତ୍ୟୁବରଣ କରୁଛନ୍ତି ବିରଳ ବନ୍ୟଜନ୍ତୁ। କେବଳ ହାଏନା ନୁହେଁ, ବିଗତ ଦିନରେ ଏଭଳି ଅନେକ ବନ୍ୟଜନ୍ତୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ଯାଇଛି ।ଗତ ୮ତାରିଖରେ ଏକମାତ୍ର ଥିବା ନାଲି ଓ ସବୁଜରଙ୍ଗର ମାକାଓଟିର ମୃତ୍ୟୁ ପରେ ଏହି ପ୍ରଜାତିର ମାକାଓ ବଂଶ ନନ୍ଦନକାନନରେ ଲୋପ ପାଇଯାଇଥିଲା।ଯାହାକୁ ନେଇ ଏବେ କାଠଗଡାରେ ନନ୍ଦନକାନନ କର୍ତ୍ତୃପକ୍ଷ।

Comments (0)
Add Comment