ଭୁବନେଶ୍ୱର,୯।୧୨(ଏସଏସନିଉଜ) ଚନ୍ଦକା ରାସ୍ତାରେ ଯାଉଥିବା ଲୋକମାନଙ୍କୁ ରୋକି ପୋଲିସ ପୋଷାକ ପିନ୍ଧି ଦାଦାବଟି ମାଗୁଥିଲେ। ଖବର ପାଇ ସତ ସତିକା ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ମିଛ ପୋଲିସ ଓ ସହଯୋଗୀ ମାନେ ଫେରାର ହୋଇଯାଇଥିଲା।ପୋଲିସ ସେମାନଙ୍କ ପିଛା କରି ଘର ପାଖରୁ ଧରିବାକୁ ଉଦ୍ୟମ କରିବା ବେଳେ ପୋଲିସକୁ ଗୃହବନ୍ଦୀ ରଖି ମାରିବାକୁ ଉଦ୍ୟମ କରିଥିଲେ।ଅଧିକ ସଂଖ୍ୟକ ପୋଲିସ କର୍ମଚାରୀ ପହଞ୍ଚିବାରୁ ଗୃହ ବନ୍ଦିରୁ ପୋଲିସ ମୁକୁଳିବା ସହ ୭ଜଣଙ୍କୁ ଗିରଫ କରି ମୋଟରସାଇକେଲ, ଖଣ୍ଡା ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଥିଲା।
ପ୍ରକାଶ ଯେ,୮ତାରିଖ ରାତି ପ୍ରାୟ ୧୦ଟା ସମୟରେ କଣ୍ଟାବାଡ ଛକ ପାଖରେ ଏକ ଗୋଷ୍ଠୀ ଅସ୍ତ୍ରଶସ୍ତ୍ର ଧରି ପଥଚାରୀମାନଙ୍କୁ ଅଟକାଇ ଦାଦାବଟି ଆଦାୟ କରୁଥିଲେ। ସେମାନଙ୍କ ସହ ପୋଲିସ ମଧ୍ୟ ରହିଥିବାର ଚନ୍ଦକା ଥାନା ଅଧିକାରୀଣି ସମିତା ମିଶ୍ରଙ୍କ ପାଖକୁ ସୂଚନା ଆସି ପହଞ୍ଚିଥିଲା।ଆଇଆଇସି ଥାନାର ଦୁଇଟି ଦଳ ଗଠନ କରି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଥିଲେ।ଏସଆଇ ଆର୍ତ୍ତବଲ୍ଲଭକରଙ୍କ ନେତୃତ୍ବରେ ସାଧା ପୋଷାକ ପରିଧାନ ଏକ ଦଳ ପ୍ରଥମ ଘଟଣାସ୍ଥଳରେ ଯାଇ ପହଞ୍ଚିଥିଲେ।ଏହା ପଛରେ ଏସଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଆଇଆରବିଏନ ଫୋର୍ସ ସହିତ ପ୍ରଥମ ପୋଲିସ ଦଳକୁ ଅନୁସରଣ କରି ଯାଇଥିଲେ।
ପୋଲିସକୁ ଦେଖି ପୋଲିସ ପୋଷାକ ପିନ୍ଧିଥିବା ମିଛ ପୋଲିସ ସମେତ ୭ରୁ୮ ଜଣ ଅସ୍ତ୍ରଶସ୍ତ୍ରଧାରୀ ବ୍ୟକ୍ତି ଗାଡି ଛାଡ଼ି କଣ୍ଟାବାଡ ଗାଁ ଆଡ଼େ ଦୌଡ଼ି ପଳାଇଥିଲେ।ପୋଲିସ ସେମାନଙ୍କୁ ପିଛା କରି ଗାଁର ଜଲିଲ ଖାନଙ୍କ ଘର ପାଖରେ ପହଁଚିଥିଲେ। ପୋଲିସ ଘରଭିତରକୁ ପସିବା ପରେ ପରିବାରଲୋକ ମୁଖ୍ୟ ଫାଟକ ବନ୍ଦକରି ସାଧା ପୋଷାକରେ ଥିବା ପୋଲିସ ଅଧିକାରୀଙ୍କୁ ବଳପୂର୍ବକ ଘର ଭିତରେ ବନ୍ଦୀ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଖଣ୍ଡା, କଟୁରି, ଚାପଡା ସହିତ ହତ୍ୟା ଉଦ୍ଦେଶ୍ୟରେ ଅଧିକାରୀମାନଙ୍କୁ ଆକ୍ରମଣ କରିଥିଲେ। ବାହାରେ ଥିବା ଏସଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଏବଂ ସହଯୋଗୀ ଫୋର୍ସକୁ ମଧ୍ୟ ପରିବାରର ମହିଳା ସଦସ୍ୟମାନେ ଅପମାନଜନକ ବ୍ୟବହାର କରି ଆକ୍ରମଣ କରିଥିଲେ। ଶେଷରେ ବହୁ ଧସ୍ତାଧସ୍ତି ପରେ ପୋଲିସ ଘଟଣାସ୍ଥଳରୁ ଖାକି ପୋଷାକ ପିନ୍ଧି ଦାଦାବଟି ଆଦାୟ କରୁଥିବା ମିଛ ପୋଲିସ ଏସ୍. କେ. ମକସୁଦ ଆଲମ ଏବଂ ଜଲିଲ ଖାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ପଚରାଉଚରା ସମୟରେ ସେମାନେ ଓ ସେମାନଙ୍କ ସହଯୋଗୀମାନେ ଦାଦାବଟି ଆଦାୟ ଘଟଣାରେ ସମ୍ପୃକ୍ତି ଥିବା ବିଷୟ ସ୍ବୀକାର କରିଥିଲେ। ପୋଲିସଏହି ଘଟଣାରେ କଣ୍ଟାବାଡ ଗ୍ରାମର ଏସ.କେ. ମକସୁଦ ଆଲମ୍(୩୨),ଜଳିଲ ଖାନ୍ (୪୫)ଉମାର ଅଲି ଖାନ୍(୬୨), ତାଜମା ବେଗମ୍ (୪୦)ଅପସନା ବିବି(୩୫)ସ୍ନେହାଜ୍ ବିବି(୫୫) ଓ ପିପିଲିର ମାରିଆମ୍ ବିବି(୪୫)ଙ୍କୁ ମିଶାଇ ୭ଜଣଙ୍କୁ ଗିରଫ କରି ମଙ୍ଗଳବାର ୫୮୨/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି କୋର୍ଟଚାଲାଣ କରିଛି।ପୋଲିସ ସେମାନେ ବ୍ୟବହାର କରିଥିବା ୯ଟି ଗାଡି ଓ ୨ଚାପଡ,କଟୁରୀ,ଲାଠି,ଲୁହାରଡ଼ ଆଦିକୁ ଜବତ କରିଛି।