ଆଜିର ରାଶିଫଳ

ଅକ୍ଟୋବରମାସ ୨୯ ତାରିଖ ୨୦୨୩ ମସିହା(ରବିବାର)କାର୍ତ୍ତିକମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ରାତ୍ରି ଘ୧୧/୪୪ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟା ,ନକ୍ଷତ୍ର- ଅଶ୍ଵିନୀ ଦିବା ଘ୦୬/୨୭ ପର୍ଯ୍ୟନ୍ତ ତଦନ୍ତେ ଦ୍ଵିଜା ,ସୌରମାସ- ତୁଳା ୧୨ ଦିନ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୧୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୦ ,ଯୋଗିନୀ ପୂର୍ବେ ରାତ୍ରି ଘ୧୧/୪୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରେ ,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷ ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୮ ଗତେ ଘ୦୧/୦୦ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୩୩ ଗତେ ଘ୦୯/୦୨ ମଧ୍ୟେ ଓ ଘ୦୧/୦୧ ଗତେ ଘ୦୩/୨୭ ମଧ୍ୟେ ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ଘ୦୪/୧୪ ଗତେ ଘ୦୫/୦୩ ମଧ୍ୟେ, ପାଣିକଖାରୁ ଭକ୍ଷଣ ନିଷେଧ
ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।
ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।
ମିଥୁନ-ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।
କର୍କଟ-ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।
ସିଂହ-ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।
କନ୍ୟା-ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।
ତୁଳା-ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।
ବିଛା-ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।
ଧନୁ-ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।
ମକର-ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।
କୁମ୍ଭ-ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।
ମୀନ-ଆଜି ପ୍ରତ୍ୟେକଦିଗରୁ ଅନୁକୂଳବାତାବରଣ ସୃଷ୍ଟି ହେବ। ଅଟକିରହିଯାଇଥିବା କାମଗୁଡିକ ସମ୍ପନ୍ନହେବ।ବିଭିନ୍ନକ୍ଷେତ୍ରରୁ ସମ୍ମାନ ଲାଭ କରିବାରସୁଯୋଗ ପାଇବେ।ବାଣିଜ୍ୟ,ବ୍ୟବସାୟ ଭଲରେଚାଲିବ।ପରୋକ୍ଷଶତ୍ରୁତା ସାମୟିକବାଧା ସୃଷ୍ଟିକରିବାର ଆଶଙ୍କାରହିଛି!!ଜୟଜଗନ୍ନାଥ, ଜୟସୋମନାଥ ,ଜୟମାଯୋଗମାୟା!!

କୁମାରପୂର୍ଣ୍ଣିମାଠାରୁ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୁଏ। ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହି ରୂପ ଗୋଟିଏ। ଏଥିରେ ତାଙ୍କର ଦୁଇ ପାଶ୍ୱର୍ରେ ଦୁଇଟି ଗଜ ବା ହାତୀ ରହି କଳସରେ ଜଳ ଢାଳୁଥାଆନ୍ତି।ଏହିନାମର ଆଉଏକ ତାତ୍ପର୍ଯ୍ୟ ମଧ୍ୟଅଛି। ତାହାହେଉଛି- କୁମାରପୂର୍ଣ୍ଣିମା ରାତିର ଶେଷପ୍ରହରରେ ଦେବୀଲକ୍ଷ୍ମୀ ଗଜବାହନରେ ପୃଥିବୀକୁ ଆସନ୍ତିବୋଲି ତାଙ୍କରନାମ ଗଜଲକ୍ଷ୍ମୀହୋଇଛି। ଏଦୃଷ୍ଟିରୁ କୁମାରପୂର୍ଣ୍ଣିମାରେ ଗଜଲକ୍ଷ୍ମୀଙ୍କରପୂଜା କରାଯାଇଥାଏ।ଭଗବାନବିଷ୍ଣୁଙ୍କର ଦୁଇପତ୍ନୀଙ୍କ ମଧ୍ୟରୁ ଜଣେଲକ୍ଷ୍ମୀ ଅନ୍ୟଜଣେ ହେଉଛନ୍ତିସରସ୍ୱତୀ। ଶ୍ରୀଦେବୀ ବା ଲକ୍ଷ୍ମୀ ଶ୍ରୀ ବା ଐଶ୍ୱର୍ଯ୍ୟରଦେବୀ। ସେ ସୌନ୍ଦର୍ଯ୍ୟ, ସଂପଦ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟରପ୍ରତୀକ।ପୁରାଣରେ ତାଙ୍କୁ ଶ୍ୱେତଚମ୍ପକ, କଞ୍ଚନପୁଷ୍ପ ବା ହସ୍ତୀଦନ୍ତ ତୁଲ୍ୟଶୁଭ୍ର ବୋଲି ବର୍ଣ୍ଣନାକରାଯାଇଛି। ସେମଧ୍ୟ ଅସାମାନ୍ୟା ରୂପବତୀ ଓ ଚିରଯୁବତୀ। ସ୍ୱର୍ଗ, ମର୍ତ୍ତ୍ୟ, ଗାଭୀ ଓ ସାଗର ସବୁଠାରେ ଦେବୀଲକ୍ଷ୍ମୀ ବିଦ୍ୟମାନା । ତାଙ୍କର ଅନେକନାମ। ସ୍ୱର୍ଗରେ ଇନ୍ଦ୍ରଙ୍କର ସଂପତ୍ତିରୂପେ ସେ ସ୍ୱର୍ଗଲକ୍ଷ୍ମୀ, ଗୃହସ୍ଥଙ୍କଗୃହରେ ସେଗୃହଲକ୍ଷ୍ମୀ ଏବଂ ରାଜପ୍ରାସାଦରେ ସେରାଜଲକ୍ଷ୍ମୀ।ଗୋଧନମାନଙ୍କର ପ୍ରସୂତିରୂପେ ସେ ସୁରଭି ଏବଂ କ୍ଷୀରସାଗରଙ୍କ କନ୍ୟାରୂପେ ସେ ପଦ୍ମିନୀ।ଦେବୀଲକ୍ଷ୍ମୀ ‘ଶ୍ରୀ’ରୂପିଣୀ। ସେ ଚନ୍ଦ୍ରମଣ୍ଡଳରେ, ଆଭୂଷଣରେ, ରତ୍ନରେ, ଫଳରେ, ସମସ୍ତ ଶସ୍ୟରେ, ବସ୍ତ୍ରରେ, ଦେବ ପ୍ରତିମାରେ, ମଙ୍ଗଳଘଟରେ, ହୀରକରେ, ଚନ୍ଦନରେ ଓ ନୂତନ ମେଘରେ ଶ୍ରୀ ବା ଶୋଭା ରୂପରେ ଅବସ୍ଥାନ କରନ୍ତି। ଏଣୁ ସେ ହିଁ ସକଳ ‘ଶ୍ରୀ’ ବା ଶୋଭାରଆଧାର। ତେଣୁ ତାଙ୍କର ଅବର୍ତ୍ତମାନରେ ସବୁ ‘ଶ୍ରୀହୀନ’ ହୋଇଯାଏ। ସେଥିପାଇଁ କେବଳ କୁମାର ପୂର୍ଣ୍ଣିମାରେ ଗଜଲକ୍ଷ୍ମୀଭାବରେ ବା ମାର୍ଗଶିରମାସରେ ଶସ୍ୟ (ଧାନ୍ୟ) ଲକ୍ଷ୍ମୀ ଭାବରେ ନୁହେଁ; ସାରାବର୍ଷ ସେ ସମସ୍ତଙ୍କଘରେ ନିତ୍ୟ ପୂଜିତାହୋଇଥାଆନ୍ତି। ଆଶ୍ୱିନ ପୂର୍ଣ୍ଣିମା ତିଥି ଜନ୍ମଦିନଭାବେ ଖ୍ୟାତି ଗଜଲକ୍ଷ୍ମୀରୂପେ ପୂଜାପାଉ ଥାଉ। ଲକ୍ଷ୍ମୀ ଠାକୁରାଣୀ ସୌଭାଗ୍ୟ ସୌନ୍ଦର୍ଯ୍ୟ ,ଧନ ସମ୍ପଦ ଦେବୀ, ଧର୍ମ, ଅର୍ଥ, କାମ ,ମୋକ୍ଷର ପ୍ରତୀକ ଅଟନ୍ତି। ତାଙ୍କୁ ପୂଜନକରି ଧନଧାନ୍ୟ ପୂର୍ଣ୍ଣ ସୁଖୀ ଜୀବନ ପ୍ରାପ୍ତ ହୁଅନ୍ତୁ। ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନାକରି ନିଜର ସୁଖ,ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି । କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣି… କୁଆଁରୀମାନେ ଯେ ପୁଚିଖେଳୁଛନ୍ତି ଝୁଣ୍ଟିଆ ଶବଦ ଶୁଣଗୋ  ଫୁଲବଉଳ ବେଣି….ଅଷ୍ଟଲକ୍ଷ୍ମୀ-

୧.ଆଦିଲକ୍ଷ୍ମୀ- ଦେବୀ ଆଦିଲକ୍ଷ୍ମୀ ପ୍ରଥମେ ସୃଷ୍ଟି ହୋଇଥିଲେ ବୋଲି ବିଶ୍ୱାସ କରାଯାଏ । ଆଦିଲକ୍ଷ୍ମୀ ମହର୍ଷି ଭୃଗୁଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ । ଦେବୀଙ୍କର ଏହି ସ୍ୱରୂପ ଅତ୍ୟନ୍ତ ମନୋରମ । ଚାରି ଭୁଜାଧାରୀ ଦେବୀ ଗୋଟିଏ ହାତରେ ପଦ୍ମ ଏବଂ ଅନ୍ୟ ହାତରେ ଧଳା ପତାକା କରିଛନ୍ତି । ଯାହା ସୁଖଶାନ୍ତି ତଥା ସମୃଦ୍ଧିର ପ୍ରତୀକ । ଦେବୀଙ୍କର ଅନ୍ୟ ଦୁଇହାତ ଅଭୟ ତଥା ବରଦା ମୁଦ୍ରାରେ ରହିଛି । ଆଦିଲକ୍ଷ୍ମୀଙ୍କୁ ପ୍ରଥମ ଲକ୍ଷ୍ମୀ ବା ମହାଲକ୍ଷ୍ମୀ ମଧ୍ୟ କୁହାଯାଏ । ଦେବୀଙ୍କ କାରଣରୁ ଏ ସାରାଜଗତ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥିବା ବିଶ୍ୱାସ କରାଯାଏ ।

୨.ଗଜଲକ୍ଷ୍ମୀ-ଧନର ଦେବୀ ଲକ୍ଷ୍ମୀଙ୍କର ସବୁଠାରୁ ଲୋକପ୍ରିୟ ଅବତାର ହେଉଛି ଗଜଲକ୍ଷ୍ମୀ । ଓଡ଼ିଆ ପରମ୍ପରାରେ କୁମାର ପୂର୍ଣ୍ଣିମା ବା ଆଶ୍ୱୀନ ମାସ ପୂର୍ଣ୍ଣିମା ଅବସରରେ ଦେବୀ ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଚାରିଭୂଜାଧାରିଣୀ ଦେବୀ ଗଜଲକ୍ଷ୍ମୀ ସର୍ବଦା ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ଦୁଇ ହାତ ଅଭୟ ତଥା ବରଦ ମୁଦ୍ରାରେ ରହିଥାଏ । ଦେବୀଙ୍କ ଦୁଇପାଖରେ ଦୁଇ ଗଜ ବା ହାତୀ ଦେବୀଙ୍କ ପ୍ରତି ସମର୍ପଣ ଜଣାଇ ଛିଡ଼ା ହୋଇଥାନ୍ତି । ଦେବୀ ଗଜଲକ୍ଷ୍ମୀଙ୍କୁ ପୂଜା କରିବାଦ୍ୱାରା ଗୋସମ୍ପଦ ପ୍ରାପ୍ତି ହୋଇଥାଏ । ଗଜଲକ୍ଷ୍ମୀ ପ୍ରସନ୍ନ ହେଲେ ଭକ୍ତଜନଙ୍କୁ ରାଜକୀୟ ସୁଖ ପ୍ରଦାନ କରିଥାନ୍ତି । ଦେବୀ ଗଜଲକ୍ଷ୍ମୀଙ୍କ ପୂଜାଦ୍ୱାରା ଇନ୍ଦ୍ରଦେବ ସ୍ୱର୍ଗପୁରୀ ଏବଂ ଦେବଲୋକର ସମସ୍ତ ସମ୍ପତ୍ତି ଫେରି ପାଇଥିଲେ ବୋଲି ପୁରାଣରେ ଉଲ୍ଲେଖ ରହିଛି । ଗଜଙ୍କଦ୍ୱାରା ପୂଜା ପାଉଥିବା ଦେବୀଙ୍କୁ ମଧ୍ୟ ଗଜଲକ୍ଷ୍ମୀ କୁହାଯାଏ ।

୩.ସନ୍ତାନଲକ୍ଷ୍ମୀ-ସନ୍ତାନ ଲକ୍ଷ୍ମୀଙ୍କର ଛଅଟି ବାହୁ ରହିଛି । ତାଙ୍କର ଦୁଇଟି ହାତରେ ଶୁଭର ପ୍ରତୀକ କଳସ ଶୋଭା ପାଇଥାଏ । ଅନ୍ୟ ହାତରେ ଖଣ୍ଡା, ଢାଲ ଶୋଭା ପାଉଥିବା ବେଳେ ଦେବୀଙ୍କ କୋଳରେ ଏକ ଶିଶୁ ବିରାଜମାନ କରିଥାଏ । ଦେବୀ ଗୋଟିଏ ହାତରେ ସେହି ଶିଶୁକୁ ଧରିଥାନ୍ତି । ଦେବୀଙ୍କର ଅନ୍ୟ ଏକ ହାତରେ ଅଭୟ ମୁଦ୍ରାରେ ଥାଏ । ସେହି ଶିଶୁଟି ଏକ ପଦ୍ମଫୁଲ ଧରିଥାଏ । ସନ୍ତାନ ଲକ୍ଷ୍ମୀଙ୍କୁ ସନ୍ତାସନ୍ତତିର ଦେବୀ କୁହାଯାଏ । ସନ୍ତାନ ପ୍ରାପ୍ତି ନିମନ୍ତେ ଦେବୀଙ୍କୁ ପୂଜା କରାଯାଏ । ତେଣୁ ସନ୍ତାନ ଲକ୍ଷ୍ମୀ ହେଉଛନ୍ତି ସନ୍ତାନସନ୍ତତି ଆଶୀର୍ବାଦ ପ୍ରଦାନ କରୁଥିବା ଦେବୀ ।

୪.ବିଦ୍ୟାଲକ୍ଷ୍ମୀ-ଜ୍ଞାନ ସହିତ ଧନଧାନ୍ୟରେ ସର୍ବଦା ପରିପୂର୍ଣ୍ଣ ରହିଥିଲେ ମନୁଷ୍ୟ ସୁଖଶାନ୍ତିରେ ରହେ । ଶାନ୍ତମନୁଷ୍ୟ ସର୍ବଦା ଐଶ୍ୱର୍ଯ୍ୟ ମଧ୍ୟରେ ରହିଥାଏ । ମାତା ଲକ୍ଷ୍ମୀଙ୍କୁ ଐଶ୍ୱର୍ଯ୍ୟର ଦେବୀ କୁହାଯାଏ । କାରଣ ସେ ଭକ୍ତଜନଙ୍କୁ ବିଦ୍ୟା ତଥା ଐଶ୍ୱର୍ଯ୍ୟ ପ୍ରଦାନ କରିଥାନ୍ତି । ଐଶ୍ୱର୍ଯ୍ୟ ପ୍ରଦାନ କରୁଥିବା ଦେବୀଙ୍କର ଏହି ରୂପରେ ଐଶ୍ୱର୍ଯ୍ୟ ଲକ୍ଷ୍ମୀ ବା ବିଦ୍ୟା ଲକ୍ଷ୍ମୀ କୁହାଯାଏ । ଦେବୀ ଐଶ୍ୱର୍ଯ୍ୟ ଲକ୍ଷ୍ମୀଙ୍କୁ ଧନବାନମାନେ ପୂଜା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଐଶ୍ୱର୍ଯ୍ୟ ଲକ୍ଷ୍ମୀଙ୍କର ଚାରିବାହୁ ରହିଛି । ସେ ଶ୍ୱେତ ବର୍ଣ୍ଣର ଅଳଙ୍କାର ଧାରଣ କରିଥାନ୍ତି । ତାଙ୍କର ଉପର ଦୁଇ ହାତରେ କମଳ ଫୁଲ ଶୋଭା ପାଉଛି । ଅନ୍ୟ ଦୁଇଟି ହାତ ଯଥାକ୍ରମେ ଅଭୟ ଏବଂ ବରଦ ମୁଦ୍ରାରେ ରହିଥାଏ ।କେହି ଦେବୀଙ୍କୁ ବିଦ୍ୟାଲକ୍ଷ୍ମୀ ମଧ୍ୟ କହିଥାନ୍ତି । କାରଣ ଦେବୀ ନିଜ ଭକ୍ତଜନଙ୍କୁ ବିଦ୍ୟା ପ୍ରଦାନ କରିଥାନ୍ତି ।

୫.ବିଜୟଲକ୍ଷ୍ମୀ- ବିଜୟ ଲକ୍ଷ୍ମୀଙ୍କ ସ୍ୱରୂପ ବୀର ଲକ୍ଷ୍ମୀଙ୍କ ସହିତ ପ୍ରାୟତଃ ସମାନ । ତାଙ୍କର ଆଠ ବାହୁ ରହିଛି । ସେ ଚକ୍ର, ଶଙ୍ଖ, ଖଣ୍ଡା, ଢାଲ, ପଦ୍ମ, ପାଶ ଆଦି ଧାରଣ କରିଥାନ୍ତି । ଦେବୀଙ୍କର ଦୁଇଟି ହାତ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ । ଦେବୀଙ୍କୁ ବିଜୟ ବା ଜୟ ଲକ୍ଷ୍ମୀ ନାମରେ ପୂଜାକରାଯାଇଥାଏ । ଦେବୀ ମନୁଷ୍ୟକୁ ଜୀବନ ଯୁଦ୍ଧରେ ବିଜୟ ପ୍ରଦାନ କରିଥାନ୍ତି । ବିଜୟ ଲକ୍ଷ୍ମୀଙ୍କୁ ଆରାଧନା କରିବାଦ୍ୱାରା ଭକ୍ତଜନ ଜୀବନର ସମସ୍ତ ପ୍ରକାରର କଠିନ ପରିସ୍ଥିତିରୁ ମୁକ୍ତି ପାଇଥାନ୍ତି । ସାଧକଙ୍କ ମତରେ କୌଣସି କଠିନ ପରିସ୍ଥିତିରୁ ମୁକ୍ତି ପାଇବା ପରେ ବିଜୟ ଉଲ୍ଲାସରେ ଅହଙ୍କାରର ପ୍ରବୃତ୍ତ ନହୋଇ ବିଜୟ ଲକ୍ଷ୍ମୀଙ୍କ ପ୍ରତି ଜୀବନ ଯୁଦ୍ଧରେ ବିଜୟ ନିମନ୍ତେ କୃତଜ୍ଞତା ଜ୍ଞାପନ କରିବା ଆବଶ୍ୟକ । ଏହାଦ୍ୱାରା ମନୁଷ୍ୟ ବିନୟୀ ତଥା ସଫଳ ହୋଇପାରିବ ।

୬.ଧାନ୍ୟଲକ୍ଷ୍ମୀ-କୃଷିଭିତ୍ତିକ ପରମ୍ପରାରେ ଦେବୀ ଲକ୍ଷ୍ମୀଙ୍କୁ ଉପାସନା କରାଯାଇଥାଏ ।ବିଶେଷତଃ ଓଡ଼ିଶା ଭଳି କୃଷିପ୍ରଧାନ ଅଞ୍ଚଳରେ ଦେବୀଙ୍କୁ ଅନ୍ନଦାତ୍ରୀ ରୂପେ ପୂଜା କରାଯାଏ । ଧାନ ସହିତ ଦେବୀଙ୍କୁ ପୂଜା କରିବାର ପରମ୍ପରା ଆମ ରାଜ୍ୟରେ ପ୍ରଚଳିତ । ଧାନ୍ୟ ଲକ୍ଷ୍ମୀ ହେଉଛନ୍ତି ଶସ୍ୟର ଦେବୀ । ଦେବୀ ନିଜ ଭକ୍ତଜନଙ୍କ କ୍ଷୁଧା ହରଣ ନିମନ୍ତେ ଧାନ ଆଦି ଶସ୍ୟ ପ୍ରଦାନ କରିଥାନ୍ତି । ତେଣୁ ସେ ଧାନ୍ୟ ଲକ୍ଷ୍ମୀ ରୂପରେ ପରିଚିତ । ଧାନ୍ୟ ଲକ୍ଷ୍ମୀଙ୍କ ଅଷ୍ଟଭୂଜା ସ୍ୱରୂପକୁ ପୂଜା କରାଯାଏ । ଦେବୀ ସର୍ବଦା ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ହାତରେ ଦୁଇଟି ପଦ୍ମଫୁଲ, ଗଦା, ଶସ୍ୟକେଣ୍ଡା, ଆଖୁ, କଦଳୀ ଆଦି ରହିଥାଏ । ଦେବୀଙ୍କର ଦୁଇଟି ହସ୍ତ ଅଭୟ ଓ ବରଦମୁଦ୍ରାରେ ରହିଥାଏ । କୃଷି କ୍ଷେତ୍ରରେ ସମୃଦ୍ଧି ନିମନ୍ତେ ଧାନ୍ୟ ଲକ୍ଷ୍ମୀଙ୍କୁ ଉପାସନା କରାଯାଏ ।

୭.ବୀରଲକ୍ଷ୍ମୀ-ବୀର ଲକ୍ଷ୍ମୀ ହେଉଛନ୍ତି ଅଷ୍ଟଭୂଜାଧାରିଣୀ, ଲାଲବସ୍ତ୍ର ପରିହିତା । ଦେବୀଙ୍କ ହାତରେ ଚକ୍ର, ଶଙ୍ଖ, ଧନୁଶର, ତ୍ରିଶୂଳ, ଖଣ୍ଡା, ତାଳପତ୍ର ପୋଥି ଆଦି ଶୋଭା ପାଇଥାଏ ।ଦେବୀଙ୍କର ଦୁଇଟି ହସ୍ତ ଅଭୟ ତଥା ବରଦମୁଦ୍ରାରେ ରହିଛି । ବୀର ଲକ୍ଷ୍ମୀଙ୍କୁ ସାହସ, ବୀରତ୍ୱ ତଥା ଧୈର୍ଯ୍ୟର ଦେବୀ କୁହାଯାଏ । ଦେବୀ ବୀର ଲକ୍ଷ୍ମୀଙ୍କୁ ପୂଜା କରିବାଦ୍ୱାରା ଯୁଦ୍ଧରେ ବିଜୟ ପ୍ରାପ୍ତ ହୁଏ । ଦେବୀ ବୀର ଲକ୍ଷ୍ମୀଙ୍କ କୃପା ଲାଭ କରି ଭକ୍ତମାନେ ଜୀବନର ସମସ୍ତ ପ୍ରକାରର କଠିନ ପରିସ୍ଥିତିରୁ ମୁକ୍ତି ପାଇଥାନ୍ତି ।

୮.ଧନଲକ୍ଷ୍ମୀ-ଦେବୀ ଧନ ଲକ୍ଷ୍ମୀଙ୍କୁ ଉପାସନାଦ୍ୱାରା ଅର୍ଥ ତଥା ସୁବର୍ଣ୍ଣ ଆଦି ମୂଲ୍ୟବାନ ଧାତୁ ପ୍ରାପ୍ତି ହୁଏ । ଷଡ଼ଭୂଜାଧାରୀ ଦେବୀ ଲକ୍ଷ୍ମୀ ସର୍ବଦା ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ଗୋଟିଏ ହାତରେ ଚକ୍ର ଓ ଅନ୍ୟ ଏକ ହାତରେ ଶଙ୍ଖ ଶୋଭା ପାଏ । ସେହିପରି ମାତା ଧନ ଲକ୍ଷ୍ମୀଙ୍କ ଅନ୍ୟ ଏକ ହାତରେ ଅମୃତ କଳସ ରହିଛି । ଅମୃତ ହେଉଛି ଜୀବନର ପ୍ରତୀକ । କଳସ ଶୁଭତାର ପ୍ରତୀକ । ଦେବୀଙ୍କର ଅନ୍ୟ ହାତରେ ଧନୁଶର, ପଦ୍ମ ଏବଂ ଅଭୟ ମୁଦ୍ରା ଶୋଭା ପାଇଥାଏ । ଅଭୟ ମୁଦ୍ରାରେ ଥିବା ହସ୍ତରୁ ଅନବରତ ଧନ ବର୍ଷା ହେଉଥିବାର ଦେଖିବାକୁ ମିଳେ !!ଜୟ ମା ଲକ୍ଷ୍ମୀ!!

Comments (0)
Add Comment