ମଇମାସ ୨୨ତାରିଖ ୨୦୨୪ ମସିହା(ବୁଧବାର) ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ସନ୍ଧ୍ୟା ଘ୦୬/୩୭ ଗତେ ପୂର୍ଣିମା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୧୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୩୭,
ଯୋଗିନୀ ପଶ୍ଚିମେ ସନ୍ଧ୍ୟା ଘ୦୬/୩୭ଗତେ ବାୟବ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟରାଶିର ଘାତବାର,ଅଦ୍ୟ ମୃତେ ଦିବା ଘ ୦୮/୧୭ଗତେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ ୦୮/୨୬ ଗତେ ଘ୧୦/୦୪ ମଧ୍ୟେ, ବାରବେଳା – ଦିବା ଘ ୧୧/୪୦ ଗତେ ଘ୦୧/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୬ ଗତେ ଘ୦୮/୨୫ ମଧ୍ୟେ ଓ ଘ୦୧/୧୭ ଗତେ ଘ୦୪/୨୫ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।- ନାସ୍ତି,ବିରି ସନ୍ଧ୍ୟା ଘ୦୬/୩୭ଗତେ ଆମିଷଭକ୍ଷଣ ନିଷେଧ।
ମେଷ:-ବ୍ୟବସାୟୀମାନଙ୍କ ପାଇଁ ଆଜିରଦିନ ଲାଭଦାୟକ ହେବ।ଆର୍ଥିକ ଲାଭମିଳିବ।ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ।ମିତ୍ରମାନଙ୍କ ଏବଂ ପାରିବାରିକସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ।
ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ।ବୌଦ୍ଧିକଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ।ବିଦ୍ୟାର୍ଥିମାନଙ୍କପାଇଁ ଭଲ ସମୟ ଅଟେ।ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ:-ସମସ୍ତକାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ।ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ।ବିଚାରର ଭରମାର ରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ :-କାର୍ଯ୍ୟସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ। ଲଘୁ ଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ବିରୋଧିମାନଙ୍କୁ ପରାଜିତ କରି ପାରିବେ।
ସିଂହ:-ଦୂରରେ ବାସକରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶ ବ୍ୟବହାରରେ ଆପଣଙ୍କୁ ଲାଭ ହେବ।ପରିବାରରେ ସୁଖ-ଶାନ୍ତି ରହିବ।ଉତ୍ତମ ଭୋଜନର ପ୍ରାପ୍ତି ହେବ।ନିର୍ଦ୍ଧାରିତକାମରେ ସଫଳତା ମିଳିବ।ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା:-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜର କାମ କାଢ଼ି ପାରିବେ। ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନ ମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା:-ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନ ମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ ଶାନ୍ତି ଦେବ।
ବିଚ୍ଛା:-ଆଜି ଆପଣଙ୍କ ଗୃହସ୍ଥଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସଂଯୋଗ ବନିବ।ଚାକିରି ଧନ୍ଦାରେ ଭଲ ଅବସର ଆସିବ।ଆୟରେ ବୃଦ୍ଧି ହେବ।ମହିଳାମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋ ପକାର ଭାବନା ଆଜି ବଲବ ତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର:-ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକ ରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ। ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ ରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ:-ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରି ମାନଙ୍କ ଉତ୍ତମ ସମୟ ଅଟେ। ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।
‼ନୃସିଂହ ଚତୁର୍ଦ୍ଦଶୀ‼
ବ୍ରହ୍ମାଙ୍କ ମୁଖରୁ ଉଚ୍ଚାରିତ ମହାଶକ୍ତିଶାଳୀ ନୃସିଂହମନ୍ତ୍ର:- ଓଁ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବୋତୋମୁଖମ୍ ,ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୋ ମୃତ୍ୟୋଂ ନମାମ୍ୟହମ୍ ।ନରସିଂହଙ୍କ ପ୍ରଥମ ଉଗ୍ରରୂପ ଅମୃତର ପ୍ରତୀକ, ଦ୍ୱିତୀୟରେ ସେବୀର,ତୃତୀୟରେ ସେମହାବିଷ୍ଣୁ,ଚତୁର୍ଥରେ ଜ୍ୱଳନ୍ତ, ପଞ୍ଚମରେସେ ସର୍ବତୋମୁଖ, ଷଷ୍ଠରେ ନୃସିଂହ,ସପ୍ତମରେ ଭୀଷଣ,ଅଷ୍ଟମରେ ଭଦ୍ର,ନବମରେ ମୃତ୍ୟୁ-ମୃତ୍ୟୁ ଦଶମତଃ ସେ ନମାମି ଏବଂ ଏକାଦଶରେ ଅହମ୍ ।ଆଧାରତତ୍ତ୍ୱ ଦୃଷ୍ଟିରୁ ନୃସିଂହ ରୁଦ୍ର, ଭୀମ, ଜ୍ୱଳନ୍ତ ସର୍ବତୋମୁଖ, ଭୀଷଣ ଓ ଭଦ୍ର ମଧ୍ୟ ।ସମସ୍ତ ଅନିଷ୍ଟତର ଧ୍ୱଂସକାରୀ ଶ୍ରୀବିଷ୍ଣୁ ବା ମହାବିଷ୍ଣୁ ଅଟନ୍ତି ।
ନୃସିଂହଚତୁର୍ଦ୍ଦଶୀ ବୈଶାଖ ଶୁକ୍ଳଚତୁର୍ଦ୍ଦଶୀଦିନ ହିନ୍ଦୁ ଧର୍ମାବଲମ୍ବୀଙ୍କଦ୍ୱାରା ପାଳନ କରାଯାଏ ।ଲୋକବିଶ୍ୱାସ ଅନୁସାରେ ବିଷ୍ଣୁଙ୍କରଦଶାବତାର ମଧ୍ୟରେ ନୃସିଂହ ଚତୁର୍ଥ ଅବତାର ଅଟନ୍ତି ।ନର(ମଣିଷ) ଓ ସିଂହର ମିଶ୍ରଣକୁ ନୃସିଂହକୁହାଯାଏ ।ସିଂହରମସ୍ତକ ଓ ମନୁଷ୍ୟଶରୀର ଧାରଣକରି ନୃସିଂହ ବୈଶାଖମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭାବ ହୋଇଥିଲେ ।ଭକ୍ତପ୍ରହ୍ଲାଦଙ୍କୁ ନିର୍ଯ୍ୟାତନା ମୁକ୍ତ କରିବାପାଇଁ ନୃସିଂହରୂପରେ ସ୍ତମ୍ଭରୁ ବାହାରି ରାଜାହିରଣ୍ୟକଶିପୁଙ୍କୁ ବିଦାରଣ କରିଥିବାର ବର୍ଣ୍ଣନା ରହିଛି ।ଏକାଦଶୀବ୍ରତ ଉପବାସ ବିଧିଭଳି ବୈଶାଖମାସ ଶୁକ୍ଳଚତୁର୍ଦ୍ଦଶୀଦିବସରେ, ନୃସିଂହଜୟନ୍ତୀ ପାଳନକରାଯାଏ ।ନୃସିଂହଜୟନ୍ତୀର ଦିନକପୂର୍ବରୁ ବ୍ରତଧାରୀମାନେ ଦିନରେମାତ୍ର ଥରେ ଖାଦ୍ୟଗ୍ରହଣ କରନ୍ତି ।ସମସ୍ତପ୍ରକାର ଶସ୍ୟସେବନକୁ ଏହି ବ୍ରତରେ ବାରଣ କରାଯାଇଛି ।ନୃସିଂହଜୟନ୍ତୀରେ ଭକ୍ତମାନେ ମଧ୍ୟାହ୍ନରେ ସଂକଳ୍ପକରନ୍ତି ଏବଂ ସୂର୍ଯ୍ୟାସ୍ତପୂର୍ବରୁ ବିଧିବିଧାନ ଅନୁସାରେ ଶ୍ରୀନୃସିଂହଙ୍କଠାରେ ପୂଜାର୍ଚ୍ଚନା କରନ୍ତି । ବିଶ୍ୱାସ ରହିଛି, ପ୍ରଭୁ ଶ୍ରୀନୃସିଂହ ସୂର୍ଯ୍ୟାସ୍ତ ସମୟରେ ଦର୍ଶନ ଦେଇଥିଲେ ।ରାତିରେ ଉଜାଗରରହି ସକାଳ ପର୍ଯ୍ୟନ୍ତ ପୂଜାକରିବାର ବିଧିରହିଛି। ଜୟନ୍ତୀପରଦିନ ଅର୍ଥାତ ଚତୁର୍ଦ୍ଦଶୀତିଥି ସମାପ୍ତ ହେବାପରେ (ବିସର୍ଜନପୂଜା ପରେ) ଉପବାସଭଙ୍ଗ କରିବା ସହିତ ବ୍ରାହ୍ମଣଙ୍କୁଦାନ ଦିଆଯାଏ ।
ନୃସିଂହ ପୁରାଣରେ ନୃସିଂହ ବ୍ରତ ଓ ପୂଜାର ଫଳକଥା ବର୍ଣ୍ଣନା କରାଯାଇଛି । ଏଥିରେ ପ୍ରହ୍ଲାଦର ଭକ୍ତି ବିଷୟରେ ନୃସିଂହ କହିଛନ୍ତି – ପୂର୍ବଜନ୍ମରେ ଜ୍ଞାନୀ ବ୍ରାହ୍ମଣ ଅବନ୍ତୀ ନଗରରେ ବାସକରୁଥିବା ବସୁ ଶର୍ମାଙ୍କର ପୁତ୍ର ଥିଲେ ପ୍ରହ୍ଲାଦ ।ବିଦ୍ୟାଧ୍ୟୟନ ଛାଡି ସେ ସୁରାପାନ ଓ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ । ଏକଦା ଗଣିକା ସହ କଳହ କରି ସେ ସେହିଦିନ ଉପବାସ ଓ ରାତିଉଜାଗର ରହିଲେ ।ଉକ୍ତ ଗଣିକା ମଧ୍ୟ ତାଙ୍କସହ ଉଜାଗର ରହିଲା ।ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ।ଅଜ୍ଞାତରେ ହେଲେ ବି ସେଦୁହେଁ ଉପବାସ ରହି ସେଦିନ ବ୍ରତ ପାଳନକରିଥିବାରୁ ସମସ୍ତପାପରୁ ମୁକ୍ତହେଲେ ।ପୁଣ୍ୟଅର୍ଜନ କରିଥିବାରୁ ଉକ୍ତ ଗଣିକାବ୍ରତ ଫଳରୁ ଅପ୍ସରାହୋଇ ସ୍ୱର୍ଗକୁ ଫେରିଗଲା ଏବଂ ଭକ୍ତପ୍ରହ୍ଲାଦ ରାଜାହିରଣ୍ୟକଶିପୁଙ୍କ ପୁତ୍ରରୂପେ ଜନ୍ମହୋଇ ବିଷ୍ଣୁଙ୍କର ପରମଭକ୍ତ ହେଲେ ।ନୃସିଂହବ୍ରତ କଲେ ଦୀର୍ଘାୟୁ, ଧନ,ଐଶ୍ୱର୍ଯ୍ୟ ଏବଂ ମହିଳାମାନଙ୍କୁ ସ୍ୱାମୀ-ସନ୍ତାନସୁଖ ପ୍ରାପ୍ତି ହୁଏ ।
ଶ୍ରୀକ୍ଷେତ୍ରେ ନୃସିଂହ ଉପାସନା :-ଭଗବାନଙ୍କର ଆଦ୍ୟ ରୂପ ହେଉଛି ନରସିଂହ ରୂପ।ଯେଉଁ ସମୟରେ ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଭୁ ନୀଳମାଧବ ସ୍ୱରୂପ ରେ ବିଦ୍ୟମାନ ହୋଇଥିଲେ ସେ ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନଙ୍କ ଦର୍ଶନାକାଂକ୍ଷା ନେଇ ନୀଳାଚଳ ଅଭିମୁଖେ ଯାତ୍ରା କରୁଥିବା ସମୟ ରେ କ୍ଷେତ୍ର ମଧ୍ୟରେ ପ୍ରବେଶକରି ରାଜା ସର୍ବପ୍ରଥମେ କୃଷ୍ଣାଗୁରୁତରୁ ମୂଳରେ ଆଦ୍ୟମୂର୍ତ୍ତି ଭଗବାନ ଶ୍ରୀମହାବିଷ୍ଣୁ ଆଦିନୃସିଂହଙ୍କୁ ଦର୍ଶନ କରିଥିଲେ।ଏହି କାରଣରୁ ଅନେକ ସ୍ଥାନରେ ଶ୍ରୀକ୍ଷେତ୍ରକୁ ଶ୍ରୀପୁରୁଷୋତ୍ତମ ନୃସିଂହକ୍ଷେତ୍ର ଭାବରେ ମଧ୍ୟ ବର୍ଣ୍ଣନା କରାଯାଇଛି।ଏତଦ୍ପଶ୍ଚାତ ମହାରାଜ ଇନ୍ଦ୍ରଦ୍ୟୁମ୍ନ ପ୍ରଭୁଙ୍କ ଦର୍ଶନପ୍ରାପ୍ତି ନିମନ୍ତେ ଯେଉଁ ଦିବ୍ୟଯଜ୍ଞର ଆୟୋଜନ କରିଥିଲେ ସେହି ଯଜ୍ଞାନୁଷ୍ଠାନରେ ଶ୍ରୀନୃସିଂହଙ୍କୁ ଇଷ୍ଟ ବା ଯଜ୍ଞଦେବତା ଭାବେ ନିରୂପଣ କରି ଏହି କ୍ଷେତ୍ରକୁ ନୃସିଂହମୟ କରିଦେଇଛନ୍ତି।ଯଜ୍ଞର ପରବର୍ତ୍ତୀସମୟରେ ଯେଉଁ ମହାଦାରୁ ଚକ୍ରତୀର୍ଥ ନିକଟରେ ପ୍ରାପ୍ତ ହୋଇଥିଲେ ସେହି ଦାରୁ ମଧ୍ୟରେ ଶ୍ରୀଚକ୍ରନୃସିଂହ ବିରାଜିତ ବା ଚିନ୍ହିତ ହୋଇଥିବା ମଧ୍ୟ କିମ୍ବଦନ୍ତୀରୁ ଜଣାଯାଏ।ନବକଳେବରର ପ୍ରାରମ୍ଭିକପର୍ଯ୍ୟୟ ଯାହାକି ବନଯାଗ ଭାବରେ ପରିଚିତ ,ଏଥିରେ ମଧ୍ୟ ଶ୍ରୀନୃସିଂହଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।କେବଳ ବନଯାଗ କାହିଁକି, ସମ୍ପୂର୍ଣ୍ଣ ନବକଳେବର ବିଧାନ ଶ୍ରୀନୃସିଂହ ଉପାସନାରଧାରାରେ ହିଁ ସମ୍ପର୍ଣ୍ଣ ହୋଇଥାଏ।ଏହିପରି ଶ୍ରୀମନ୍ଦିରହେଉ ବା ସମଗ୍ର ଶ୍ରୀକ୍ଷେତ୍ର ହେଉ ଶ୍ରୀ ପୁରୁଷୋତ୍ତମ ନୃସିଂହ ଙ୍କ ଉପାସନା ସର୍ବତ୍ର ପରିବ୍ୟାପ୍ତ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!