ଅକ୍ଟୋବର ମାସ ୧୭ ତାରିଖ ୨୦୨୬ ମସିହା (ଶନିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ପ୍ରାତଃ ଘ୦୫/୫୦ ଗତେ ସପ୍ତମୀ, ସୂର୍ୟୋଦୟ- ପ୍ରାତଃ ଘ୦୫ /୪୬/୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫ /୧୯/୫୨,ଯୋଗିନୀ ପଶ୍ଚିମେ ପ୍ରାତଃ ଘ୦୫/୫୦ ଗତେ ବାୟବ୍ୟେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଅଦ୍ୟ ସପ୍ତମୀପୂଜା ଓ ଗର୍ଭଣାସଂକ୍ରାନ୍ତି,ମୃତେ ଏକ ପାଦ ଓ ପ୍ରାତଃ ଘ୦୫/୫୦ ଗତେ ଦ୍ଵିପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/୧୩ ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୫/୨୦ ମଧ୍ୟେ,ବାରବେଳା – ଦିବା ଘ୦୧/୦୦ ଗତେ ଘ୦୨/୨୭ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୧ ଗତେ ଘ୦୯/୪୫ ମଧ୍ୟେ ଓ ଘ୧୨/୧୦ ଗତେ ଘ୧୨/୫୯ ମଧ୍ୟେ ଓ ରାତ୍ରି ଘ୧୨/୩୦ ଗତେ ଘ୦୨/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୨/୧୦ ଗତେ ଘ୦୨/୫୬ ମଧ୍ୟେ,
ଅଦ୍ୟ ତାଳ ଭକ୍ଷଣ ନିଷେଧ।
ମେଷ:- ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ।କଳ୍ପନାବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ।ପାରିବାରିକ ସୁଖମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:- ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ।ଅଧିକ ଦାୟିତ୍ବ ବହନ କରିପାରନ୍ତି।କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି।କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:- ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତିଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରିପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:- କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:- ବନ୍ଧୁଙ୍କ ସାହାଯ୍ୟପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି।କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:- ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:- ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:- କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହିଥିଲେ ବି ବହୁ ଶୁଭଫଳ ଆଶା କରାଯାଏ।ଖଳଲୋକଙ୍କୁ ଚିହ୍ନଟକରି ଉପଯୁକ୍ତ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:- ଏପରି କାର୍ଯ୍ୟ ନକରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।
ଆଜି ନବରାତ୍ରର ସପ୍ତମ ଦେବୀ – କାଳରାତ୍ରୀ
କାଳରାତ୍ରି ମା ଦୁର୍ଗାଙ୍କର ସପ୍ତମ ଶକ୍ତି। ତାଙ୍କର ଶରୀରର ବର୍ଣ୍ଣ ନିରନ୍ଧ୍ର ଅନ୍ଧକାର ପରି କଳା। ମସ୍ତକର କେଶ ଆଲୁଳାୟିତ।ଗଳାରେ ବିଦ୍ୟୁତ୍ ପରି ଦୀପ୍ତମାଳା। ସେ ତ୍ରିନେତ୍ରା ଏବଂ ସେହି ନେତ୍ରତ୍ରୟ ବ୍ରହ୍ମାଣ୍ଡ ପରି ବର୍ତ୍ତୁଳ। ତାଙ୍କର ନାସିକାର ଶ୍ୱାସ ପ୍ରଶ୍ୱାସରୁ ଅଗ୍ନି ଶିଖା ଦୃଶ୍ୟମାନ ହୁଏ। ଦେବୀ ଗର୍ଦ୍ଦଭବାହନା ଓ ଚତୁର୍ଭୁଜା। ତାଙ୍କର ଦକ୍ଷିଣ ଦୁଇ ଭୂଜରେ ଅଭୟ ଓ ବରଦମୁଦ୍ରା ଏବଂ ବାମ ଦୁଇ ଭୂଜରେ ଲୌହକଣ୍ଟକ ଓ ଖଡ୍ଗ ପରିଲକ୍ଷିତ ହୁଏ।ମାତ୍ର ରୂପ ଭୟଙ୍କର ହେଲେ ମଧ୍ୟ ଏହି ଦେବୀ ଦୁଷ୍ଟ ବିନାଶିନୀ ଓ ମଙ୍ଗଳଦାତ୍ରୀ। ତେଣୁ ତାଙ୍କର ଅନ୍ୟ ନାମ ଶୁଭଙ୍କରୀ ।କାଳରାତ୍ରି ନବରାତ୍ରିର ସପ୍ତମ ଦିନର ଉପାସ୍ୟା। ଏହି ଦିନ ସାଧକଙ୍କର ମନ ସହସ୍ରା ଚକ୍ରରେ ଅବସ୍ଥାନ କରେ। ଦେବୀଙ୍କର ସାକ୍ଷାତ ସାଧକଙ୍କୁ ମହାପୁଣ୍ୟ ପ୍ରଦାନ କରେ।ତାଙ୍କର ସମସ୍ତ ପାପ ଓ ବାଧା ବିଘ୍ନର ବିନାଶ ଘଟି ସେ ଅକ୍ଷୟ ପୁଣ୍ୟର ଅଧିକାରୀ ହୁଅନ୍ତି।