ଜାମୁଝରି ମୁକ୍ତାକାଶରେ ବଢ଼ିଲେ କଏଦୀ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ଛତାବର ଗ୍ରାମପଞ୍ଚାୟତର ଜାମୁଝରି ଠାରେ ଥିବା ମୁକ୍ତାକାଶ କାରାଶ୍ରମ ପରିସରରେ ଏବେ କଏଦି ସଂଖ୍ୟା ବୃଦ୍ଧି ଘଟି ୪୦ରେ ପହଞ୍ଚିଛି।ପୂର୍ବରୁ ଏହି କାରାଶ୍ରମରେ ୧୯ଜଣ କଏଦୀ ରହୁଥିଲେ।ଗତ ସପ୍ତାହରେ ରାଜ୍ୟର ବିଭିନ୍ନ ଜେଲ୍ ରୁ ନୂତନ ରୂପେ ୨୧ଜଣ କଏଦୀ ଏଠାରେ ଆସି ପହଞ୍ଚିବାପରେ ସଂଖ୍ୟା ବୃଦ୍ଧି ଘଟିଛି।
୨୦୦୩ମସିହାରେ ଆରମ୍ଭ ହୋଇଥିବା ଏହି ମୂକ୍ତାକାଶ କାରାଶ୍ରମକୁ ପୂର୍ବରୁ ନୟାଗଡ଼ ଅଞ୍ଚଳର କେତେକ ଡ଼କାୟତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟାୟକଙ୍କ ନିକଟରେ ଆତ୍ମସମର୍ପଣ କରି ଏହି ନିର୍ମାଣାଧୀନ କୋଠାରେ ରହିଥିଲେ।ପରେ ସେମାନଙ୍କ କେସ୍ ବିଚାର କରାଯାଇ ତାଙ୍କୁ ତାଙ୍କ ଜିଲ୍ଲା କାରାଗାରରେ ଥଇଥାନ କରାଯାଇଥିଲା।ସେହି ଘଟଣାକୁ ଦୃଷ୍ଟିରେ ରଖି ମୁକ୍ତାକାଶ କାରାଶ୍ରମକୁ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ ନାମରେ ନାମିତ କରାଯାଇଥିଲା।୨୦୦୬ମସିହାରେ ଏହିଠାରେ ଶତାଧିକ କଏଦୀ ରହି ପନିପରିବା ଚାଷ କରିବା ସହ ଗୋପାଳନ,୨୦ଟି ତନ୍ତ୍ର ସହାୟତାରେ ଲୁଗାବୁଣା,ଇଟା ତିଆରି କାର୍ଯ୍ୟରେ ନିୟୋଜିତ ହୋଇଥିଲେ।କଏଦୀମାନଙ୍କ ଦ୍ଵାରା ଗେଟ୍ ସମ୍ମୁଖରେ ଉତ୍ପାଦିତ ପନିପରିବା ଓ କ୍ଷୀର ବିକ୍ରି କରାଯାଉଥିବାବେଲେଆଖ ପାଖ ଗ୍ରାମବାସୀମାନଙ୍କ ଚାହିଦା ରହିଥିଲା।ଏହାସହ କଏଦୀ ମାନଙ୍କ ଦ୍ଵାରା ପର୍ଯ୍ୟାୟ କ୍ରମେ ଦଶହରା, ରାବଣପୋଡ଼ି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
ପରେ ପରେ କେତେକ କର୍ମଚାରୀ ମାନଙ୍କଦ୍ଵାରା ବିଶୃଙ୍ଖଳିତ ଆଚରଣ ଓ କଏଦୀମାନଙ୍କ ପ୍ରତି ଦମନ ମୂଳକ ନୀତି ଯୋଗୁ କଏଦୀମାନଙ୍କ ସଂଖ୍ୟା କମିବାରେ ଲାଗିଥିଲା।ଏବେ ଜେଲ୍ ବିଭାଗ ଦ୍ଵାରା ନୂତନ ଅଧ୍ୟ୍ୟଖିକ ନିଯୁକ୍ତି ଦ୍ଵାରା ପରିସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି।ଏବେ ପୁଣି ପୂର୍ବ ପରି ପାନିପରିବା ଚାଷ, ବୃକ୍ଷ ରୋପଣ କାର୍ଯ୍ୟ, ଗୋସେବା, ହସ୍ତତନ୍ତ୍ର କାର୍ଯ୍ୟକ୍ରମମାନ ସୁଚାରୁ ରୂପେ ଆରମ୍ଭ ହୋଇଥିବା ଜେଲର ସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।ଅନ୍ୟପଟେ ଏଠାରେ ୧୨୫ଜଣ କଏଦୀ ରହିବା ବ୍ୟବସ୍ଥା ରହିଥିବାବେଳେ ଜେଲ୍ ବିଭାଗ ତରଫରୁ ଅଧିକ କଏଦୀ ରଖାଯିବାର ବ୍ୟବସ୍ଥା କରାଗଲେ ଏହା ଏକ ଆକର୍ଷଣୀୟ ସ୍ଥାନ ରୂପେ ପରିଗଣିତ ହୋଇପରିବା ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment