ବ୍ରହ୍ମପୁର,୧୧/୧୦(ଏସଏସନିୟୁଜ)ବ୍ରହ୍ମପୁରରେ ଚାଲିଥିବା ବଡ଼ଧରଣର ଅନ୍ଲାଇନ୍ ବେଟିଂ ରାକେଟ୍ କୁ ଠାବ କରିବା ସହ ରାକେଟ୍ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ତଥା ଷ୍ଟକିଷ୍ଟ୍ ସମେତ ୮ଜଣଙ୍କୁ କାବୁ କରିଛି ପୁଲିସ। ଏମାନଙ୍କ ନିକଟରୁ ମୋଟ ୮ଲକ୍ଷ ୬୩ହଜାର ୨ଶହ ଟଙ୍କା , ୧୧ଟି ମୋବାଇଲ ଜବତ କରିଛି ପୋଲିସ । ବୈଦ୍ୟନାଥପୁର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ଦେଇଥିବା ସୁଚନାମୁତାବକ ଦୁଇଟି ୱେବ୍ସାଇଟ୍ ଜରିଆରେ ଅନ୍ଲାଇନ୍ରେ ଏହି କାରବାର ଚାଲୁଥିଲା । ଜଗନ୍ନାଥ ଚୌଧୁରୀ ଏହି ରାକେଟ୍ର ମୁଖ୍ୟ ସାଜିଥିଲେ । ଆଇପିଏଲ୍ କ୍ରିକେଟ୍ ଟୁର୍ନାମେଣ୍ଟ୍ ଆରମ୍ଭ ହେବା କ୍ଷଣି ବ୍ରହ୍ମପୁରରେ ଅନ୍ଲାଇନ୍ ବେଟିଂ କାରବାର ଆରମ୍ଭ ହୋଇଥାଏ। ବିଭିନ୍ନ ଅଞ୍ଚଳରେ ଥିବା ବୁକିଙ୍କୁ ୱେବ୍ସାଇଟ୍ର ୟୁଜର୍ ଆଇଡି ଓ ପାସୱାର୍ଡ଼ ଦେଉଥିଲେ। ସେମାନେ(ବୁକି) ତାହା ବ୍ୟବହାର କରି ଅନ୍ଲାଇନ୍ରେ ବେଟିଂ କରୁଥିଲେ ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ପାଢ଼ୀ କଲୋନିର ଘରେ ଏହି ଗ୍ୟାଙ୍ଗ୍ ଅପରେଟ୍ କରୁଥିବା ନେଇ ପୁଲିସ ପାଖରେ ସୂଚନା ପହଁଚିଥିଲା ବୋଲି ଏସପି କହିଛନ୍ତି ।