ମୁଣ୍ଡଳି ଓ ନରାଜରେ ବିପଦ ସଙ୍କେତ ତଳେ ଜଳସ୍ତର

ନରାଜ ବ୍ୟାରେଜ ପରିଦର୍ଶନ କଲେ ମୁଖ୍ୟଯନ୍ତ୍ରୀ

କଟକ,୨୮।୯(ଏସଏସନିଉଜ)ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି।ଯାହାକୁ ନେଇ ଛାନିଆ ହୋଇପାରିଛନ୍ତି ତଳିଆ ଅଞ୍ଚଳବାସୀ। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସମଗ୍ର ରାଜ୍ୟରେ ଏକ ପ୍ରକାର ଦୟନୀୟ ସ୍ଥିତି ଦେଖାଦେଇଛି। ସେପଟେ ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟାୟ କ୍ରମେ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ତେବେ ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ସୋମବାର ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରିବ ବୋଲି ଜଳସମ୍ପଦ ବିଭାଗଆକଳନ କରିଥିଲା।କିନ୍ତୁ ରାତି ୮ଟା ସୁଦ୍ଧା ମୁଣ୍ଡଳୀ ଦେଇ ୭ ଲକ୍ଷ ୮୩ ହଜାର ୭୭୦ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ମୁଣ୍ଡଳୀର ଉପର ମୁଣ୍ଡରେ ୯୨.୩୦ ଫୁଟ ଜଳସ୍ତର ରହିଥିବା ବେଳେ ତଳ ମୁଣ୍ଡରେ ୯୦.୦୦ ଫୁଟ ଜଳସ୍ତର ରହିଛି। ସେହିପରି ନରାଜ ବ୍ୟାରେଜରେ ସନ୍ଧ୍ୟା ୬ଟା ସୁଦ୍ଧା ୩ ଲକ୍ଷ ୯୯ ହଜାର ୬୫୫ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ନରାଜ ବ୍ୟାରେଜର ଉପର ମୁଣ୍ଡରେ ୨୬.୧୦ ମିଟର ଜଳସ୍ତର ରହିଥିବା ବେଳେ ତଳ ମୁଣ୍ଡରେ ୨୩.୧୫ ମିଟର ଜଳସ୍ତର ରହିଛି। ଉଭୟ ମୁଣ୍ଡଳୀ ଓ ନରାଜରେ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର। ଅପରାହ୍ନ ସମୟରୁ ମୁଣ୍ଡଳୀ ଓ ନରାଜରେ ବନ୍ୟାଜଳ ପ୍ରବାହିତ ସେହିପରି ଭାବେ ସ୍ଥିର ରହିଛି। ଯାହା ଆକଳନ କରାଯାଉଥିଲା ରାତି ୮ ଟା ସୁଦ୍ଧା ୮ ଲକ୍ଷ ଅତିକ୍ରମ କରିବ। ହେଲେ ତଳ ମୁଣ୍ଡରେ ବର୍ଷାର ପରିମାଣ କମିବାରୁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ପରିବର୍ତ୍ତେ ସ୍ଥିର ରହିଛି। ଅନ୍ୟପଟେ ପର୍ଯ୍ୟାୟ କ୍ରମେ ହୀରାକୁଦର ଜଳ ମହାନଦୀରେ ଆସୁଥିବାରୁ ତାହା ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା ରଖାଯାଇଛି।ଅନ୍ୟପଟେ ମହାନଦୀ କାଠଯୋଡ଼ି ସିଷ୍ଟମର ମୁଖ୍ୟଯନ୍ତ୍ରୀ ହେମନ୍ତ କୁମାର ପାଣ୍ଡବ ସୋମବାର ଅପରାହ୍ନ ସମୟରେ ନରାଜ ବ୍ୟାରେଜ ପରିଦର୍ଶନ କରି ଫେରିଛନ୍ତି।


ମୁଖ୍ୟଯନ୍ତ୍ରୀ ନରାଜ ବ୍ୟାରେଜ ପରିଦର୍ଶନ କରିବା ସହ ବନ୍ୟା ନିୟନ୍ତ୍ରଣ କକ୍ଷରେ ବନ୍ୟା ସ୍ଥିତି ଯାଞ୍ଚ କରିଥିଲେ। ଉଭୟ ମୁଣ୍ଡଳୀ ଓ ନରାଜରେ ବନ୍ୟାଜଳ ବିପଦ ସଙ୍କେତ ତଳେ ରହିଥିବାରୁ ସେଭଳି କୌଣସି ବନ୍ୟା ପରିସ୍ଥିତି ନଥିବା କହିଛନ୍ତି ମୁଖ୍ୟ ଯନ୍ତ୍ରୀ। ନରାଜ ବନ୍ୟା ନିୟନ୍ତ୍ରଣ କକ୍ଷରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କରାଯାଉଛି। ଉପରିସ୍ଥ ବରିଷ୍ଠ ଯନ୍ତ୍ରୀ, ଏସଡିଓ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ବନ୍ୟା ନିୟନ୍ତ୍ରଣ କରିବା ସହ ସତର୍କ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି
ମୁଖ୍ୟଯନ୍ତ୍ରୀ ହେମନ୍ତ କୁମାର ପାଣ୍ଡବ।

Comments (0)
Add Comment