କଟକ,୮।୧(ଏସଏସନିଉଜ)କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଓଲବ ଓ ଦେବଭୂମି ଗ୍ରାମ ପ୍ରଥମ ସୌରଶକ୍ତି ସମ୍ପନ୍ନ ଗ୍ରାମ ଭାବେ ପରିଚୟ ଲାଭ କରିଛି ।ଶୁକ୍ରବାର ଦିନ ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ଓ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ଦୁଇଟିଗାଁର ସମ୍ପୂର୍ଣ ସୌରଶକ୍ତିକରଣ ପ୍ରକଳ୍ପକୁ ଉଦ୍ଘାଟନ କରିବା ସହ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଛନ୍ତି । ପିଏମ ସୂର୍ଯ୍ୟ ଘର ଯୋଜନା ଦ୍ୱାରା ସମସ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ସୌରଶକ୍ତି ବା ସୋଲାରପ୍ୟାନେଲ ଲଗାଯିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଧାୟକ ଶ୍ରୀ ଦଳବେହେରା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷିରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ କହିଛନ୍ତି ଯେ ଉଭୟ ଗାଁ ଲୋକେ ଏବେ ସୌରଶକ୍ତି ଦ୍ଵାରା ବିଜୁଳି ପାଇବା ସହ ବିଦ୍ୟୁତ ଦେୟ ମଧ୍ୟ ହ୍ରାସ ପାଇବ । ପ୍ରାରମ୍ଭିକ ପର୍ଯାୟରେ ଓଲବ ଗାଁରେ ୫୧ ଟି ଘର ଓ ଦେବଭୂମିର ୨୯ ଟି ଘରେ ସୋଲାର ପ୍ୟାନେଲ ଲଗାଯାଇଛି । ଏହାଦ୍ବାରା କମ ଭୋଲ୍ଟେଜ୍ ଓ ବାରମ୍ବାର ବିଦ୍ୟୁତ୍ କାଟରୁ ମଧ୍ୟ ଗ୍ରାମବାସୀ ରକ୍ଷା ପାଇପାରିବେ । ପିଏମ ସୂର୍ଯ୍ୟଘର ଯୋଜନାରେ ଟିପିସିଓଡିଲ ପକ୍ଷରୁ ଏହି ସୋଲାର ପ୍ୟାନେଲ ସ୍ଥାପନ କରାଯାଇ ଗାଁଗୁଡିକୁ ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତକରଣ କରାଯାଇଛି । ଏହାଦ୍ୱାରା ବିନା ପାରମ୍ପରିକ ବିଦ୍ୟୁତ ସଂଯୋଗରେ ଗାଁଲୋକେ ସମସ୍ତ ବିଦ୍ୟୁତଚାଳିତ ସୁବିଧା ଉପଭୋଗ କରିପାରିବେ । ପ୍ରାୟ ୨୫ ଦିନ ମଧ୍ୟରେ ଏହି ସୋଲାର ପ୍ୟାନେଲ ସ୍ଥାପନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି । ପ୍ରତି ସୋଲାର ପ୍ୟାନେଲ ପାଇଁ କେନ୍ଦ୍ର ସରକାର ୩୦ ହଜାର ଟଙ୍କା ଏବଂ ରାଜ୍ୟ ସରକାର ୨୫ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଇଥିବାବେଳେ ଉପଭୋକ୍ତାଙ୍କ ଅଂଶର ଅର୍ଥ ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଲା ଖଣିଜ ପାଣ୍ଠିରୁ ବହନ କରାଯାଇଛି । ଏହି ପଦକ୍ଷେପ ବିଶେଷ ଭାବରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ କାର୍ଯ୍ୟକାରୀ କରାଯାଇଛି। ନିରବଚ୍ଛିନ୍ନ ସୌରଶକ୍ତିର ଉପଲବ୍ଧତା ଆଲୋକୀକରଣ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଜୀବିକା ଆଦିକୁ ସହଜ କରିବା ସହ ଜୀବନଧାରଣ ମାନକୁ ଉନ୍ନତ କରିବ। ଏହା ଶକ୍ତି ଆତ୍ମନିର୍ଭରଶୀଳତା ଏବଂ ପରିବେଶଗତ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ହିତାଧିକାରୀ ପରିବାର ପାଇଁ ବିଦ୍ୟୁତ୍ ଖର୍ଚ୍ଚକୁ ମଧ୍ୟ ଯଥେଷ୍ଟ ହ୍ରାସ କରିବ। ଉଦଘାଟନୀ କାର୍ଯ୍ୟକ୍ରମରେ ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ସମେତ ଟାଟା ପାୱାର ର ଉପଖଣ୍ଡ ପରିଚାଳକ ଶ୍ରୀ ଜିତେନ୍ଦ୍ର ପାତ୍ର, ପ୍ରକଳ୍ପମୁଖ୍ୟ ଶ୍ରୀ ବସନ୍ତତରିଆ, ଶ୍ରୀ ଅମିତ ସେନଗୁପ୍ତାଙ୍କ ସମେତ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀମାନେ ଉପସ୍ଥିତଥିଲେ ।