ପୁରୀ, ୧୭ା୭(ଏସଏସନିଉଜ) ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ଶ୍ରୀମନ୍ଦିର ସିଂହଦ୍ୱାରକୁ ବାହୁଡ଼ିବା ପରେ ଆଜି ଅପରୂପ ଓ ଅନନ୍ୟ ସୁନାବେଶରେ ଦର୍ଶନ ଦେଇଛନ୍ତି ମହାବାହୁ। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବୁଧବାର ସିଂହଦ୍ୱାରରେ ଦଣ୍ଡାୟମାନ ତିନିରଥରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରମଣୀୟ ସୁନାୀବେଶ ଅନୁଷ୍ଠିତ ହୋଇଛି। ଏଥିପାଇଁ ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଡାକରେ ଆଜି ବି ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। ବର୍ଷକ ପରେ ଭାବ ବିନୋଦିଆ କାଳିଆ ସାଆନ୍ତଙ୍କୁ ସୁନାବେଶରେ ଦେଖି ଭକ୍ତ ବି ଭାବବିହ୍ବଳ ହୋଇଛନ୍ତି। ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି, ପାଦରେ ଶ୍ରୀପୟର। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର)। ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ୟ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ। ପାଦରୁ ମସ୍ତକ ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ଅଗଣିତ ଭକ୍ତଙ୍କୁ ରଥ ଉପରୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧା ବିଗ୍ରହ ।