ବାଘ ସଂରକ୍ଷଣପ୍ରତି ନନ୍ଦନକାନନର ଦୃଢ଼ ପ୍ରତିବଦ୍ଧତାକୁ ପୁନଃଦୃଢ଼ କରିବା ପାଇଁ ଏହି ଅବସରରେ ବିଭିନ୍ନ ଶିକ୍ଷାମୂଳକ,ସଚେତନତା ଓ ଜନସମ୍ପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି ଅବସରରେ ବାଘର ଯତ୍ନ ଓ ସଂରକ୍ଷଣ କ୍ଷେତ୍ରରେ ସେମାନଙ୍କର ନିଷ୍ଠାପୂର୍ଣ୍ଣ ସେବାପାଇଁ ୨୫ଜଣ ବାଘ ରକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା। ଆନ୍ତର୍ଜାତୀୟ ବ୍ୟାଘ୍ରଦିବସ ଅବସରରେ ପୂର୍ବରୁ ଆୟୋଜିତ କନିଷ୍ଠ ଓ ବରିଷ୍ଠ ବର୍ଗର “ସିଟ୍ ଆଣ୍ଡ ଡ୍ର” ପ୍ରତିଯୋଗିତାର ବିଜୟୀମାନଙ୍କୁ ମଧ୍ୟ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଅଂଶଗ୍ରହଣକାରୀମାନଙ୍କୁ ବାଘ ସଂରକ୍ଷଣ ଶପଥପାଠ କରାଯିବା ପରେ ଏକ ସ୍ୱାକ୍ଷର ଅଭିଯାନର ଶୁଭାରମ୍ଭ କରାଯାଇଥିଲା।ସେହିପରି “୧ ପ୍ରଶ୍ନ–୧ ଉତ୍ତର–୧ ପୁରସ୍କାର” (1Q–1A–1P) ମୋବାଇଲ ସଚେତନତା ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।
ଏକ ଦିବସବ୍ୟାପୀ କାର୍ଯ୍ୟକ୍ରମରେ ବାଘରଯତ୍ନ ଓ ସଂରକ୍ଷଣ ଉପରେ କିପର୍ସ ଟକ୍, ବାଘ ସଂରକ୍ଷଣ ବିଷୟରେ ବିଶେଷଜ୍ଞଙ୍କ ବକ୍ତବ୍ୟ,ଶିଶୁମାନଙ୍କ ପାଇଁ କାହାଣୀ କହିବା କାର୍ଯ୍ୟକ୍ରମ,କୁଇଜ୍ ଏବଂ “ମିନି ଜୁ କିପର” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା,ଯେଉଁଥିରେ ଛାତ୍ରଛାତ୍ରୀ ଓ ପରିଦର୍ଶକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।ପ୍ରାଣୀଉଦ୍ୟାନର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପରିବେଷିତ ପଥପ୍ରାନ୍ତନାଟକ ବାଘ ସଂରକ୍ଷଣର ଗୁରୁତ୍ୱ ଏବଂ ବନ୍ୟଜନ୍ତୁଙ୍କ ସହ ସହାବସ୍ଥାନର ବାର୍ତ୍ତାକୁ ଅତ୍ୟନ୍ତ ପ୍ରଭାବଶାଳୀଭାବେ ଉପସ୍ଥାପନ କରାଯାଇଥିଲା।
ପରିଦର୍ଶକମାନେ ବାଘ ଥିମ୍ ଯୁକ୍ତ ସେଲଫି ପଏଣ୍ଟରେ ଫଟୋ ଉଠାଇବା, ସଂରକ୍ଷଣ ଶପଥରେ ସ୍ୱାକ୍ଷର କରିବା ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଆଧୁନିକ ପ୍ରାଣୀଉଦ୍ୟାନ ପରିଚାଳନାରେ ପଶୁ କଲ୍ୟାଣ ଓ ଆଚରଣଗତ ସମୃଦ୍ଧିରଗୁରୁତ୍ୱ ପ୍ରଦର୍ଶନ କରିବାପାଇଁ ବାଘମାନଙ୍କ ପାଇଁ ବିଶେଷ ଏନରିଚମେଣ୍ଟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।
ଏହି ଉତ୍ସବରେ ଛାତ୍ରଛାତ୍ରୀ,ଶିକ୍ଷକ,ସ୍ୱେଚ୍ଛାସେବୀ,ବନ୍ୟଜନ୍ତୁ ପ୍ରେମୀ ଓ ଶତାଧିକ ପରିଦର୍ଶକ ଅଂଶଗ୍ରହଣ କରିଥିଲେ।
ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମୋଟ ୨୭ଟି ବାଘ ରହିଛନ୍ତି। ସେଥିମଧ୍ୟରେ ୧୮ଟି ସାଧାରଣ ରଙ୍ଗରବାଘ,୫ଟି ଧଳାବାଘ ଏବଂ ୪ଟି ମେଲାନିଷ୍ଟିକ୍ ବାଘ ରହିଛନ୍ତି।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ)ତଥା ମୁଖ୍ୟ ବନ୍ୟାପ୍ରାଣୀସଂରକ୍ଷକ ପ୍ରେମ କୁମାର ଝା, ନିର୍ଦ୍ଦେଶକ ସନତକୁମାର,ଉପନିର୍ଦ୍ଦେଶକ ପ୍ରଦୀପ ମୀରାଶେଙ୍କ ସମେତ ବରିଷ୍ଠଅଧିକାରୀ,ଛାତ୍ରଛାତ୍ରୀ,ପରିଦର୍ଶକଙ୍କ ସହ ନନ୍ଦନକାନନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।