ଟ୍ରକ୍‌ ସହ ଜବତ ହେଲା ଗଞ୍ଜେଇ

ଆସିକା,୨୪/୯(ଏସଏସନିୟୁଜ) ଗୁଜରାଟର ସୁରତ କ୍ରାଇମ୍‌ବ୍ରାଞ୍ଚ୍ ପୂର୍ଣ୍ଣା ଗାଁ ସରୋଲି ରୋଡ୍ ନେଚର୍ ଭ୍ୟାଲି ହୋମ୍ସ ନିକଟରୁ ଏକ ଟ୍ରକ୍‌ରୁ ୫୬୨ କିଲୋର ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୬ ଲକ୍ଷ ୪୫ ହଜାର ଟଙ୍କାହେବ ବୋଲି ଜଣାପଡିଛି ।ଏସବୁ ଗଞ୍ଜେଇ ଓଡ଼ିଶାରୁ ସୁରତ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍ ୩ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ-ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ମିଥୁନ ରବିନ୍ଦ୍ର ସ୍ୱାଇଁ, ଟୁକନା ଚନ୍ଦ୍ରମଣୀ ଗୌଡ଼ ଓ ବସନ୍ତ ଯୁଧିଷ୍ଠିର ସ୍ୱାଇଁ। ଏମାନଙ୍କ ନିକଟରୁ ୩ଟି ମୋବାଇଲ୍ ସହ ଟ୍ରକ୍ କୁ ଜବତ କରାଯାଇଛି।
ସୂଚନା ଅନୁସାରେ, ଓଡ଼ିଶାରୁ ଭାୟା ରୋଡ୍‌ରେ ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ବିକ୍ରି ପାଇଁ ସୁରତ‌ ଆସୁଥିବା ନେଇ କ୍ରାଇମ୍‌ବ୍ରାଞ୍ଚକୁ ଖବର ମିଳିଥିଲା। ଏହି ସୂଚନାକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚ୍ ପୁଣା ସୁୱାଲି ରୋଡ୍‌ରେ ପୂରାପୂରି ନଜର ରଖିଥିଲା। ଏହି ସମୟରେ ସେଇ ବାଟ ଦେଇ ଯାଉଥିବା ଏକ ଟ୍ରକ୍‌କୁ‌ ଅଟକା ଯାଇଥିଲା ଓ ଯାଞ୍ଚ ବେଳେ ଟ୍ରକ୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ପୋଲିସ୍ ଟ୍ରକ୍ ଡ୍ରାଇଭରଙ୍କ ସମେତ ୩ଜଣଙ୍କୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା ବେଳେ ଜଣାପଡ଼ିଥିଲା, ଓଡ଼ିଶାରୁ ଏହିସବୁ ଗଞ୍ଜେଇ ବସ୍ତା ସୁରତକୁ ବିକ୍ରି ହେବା ପାଇଁ ଆସିଥିଲା। ଯେମିତି ହଠାତ୍ କାହା ନଜରରେ ଏହା ଦୃଷ୍ଟିଗୋଚର ହେବନାହିଁ, ସେଥିପାଇଁ ଗଞ୍ଜେଇ ବସ୍ତା ଲୁଚାଇ ରଖିବା ପାଇଁ ଟ୍ରକ୍ ଭିତରେ ଏକ ବିଶେଷ ଯାଗା କରାଯାଇଥିଲା। ଏପରିକି ପାର୍ସଲ ଭଳି ଗଞ୍ଜେଇ ଗୁଡ଼ିକୁ ପ୍ୟାକ୍ କରାଯାଇଥିଲା।ତେବେ କିଏ ଏହି ଗଞ୍ଜେଇ ମଗାଇଥିଲେ ? ସୁରତର କେଉଁ ଅଞ୍ଚଳକୁ ଏହା ଯାଉଥିଲା, ସେନେଇ ପୋଲିସ୍ ଖୋଳତାଡ଼ ଆରମ୍ଭ କରିଛି।

Comments (0)
Add Comment