ବାରଙ୍ଗ,୧୮।୧ (ଏସଏସନିଉଜ) ପୁଅର ଜନ୍ମଦିନ
ଉତ୍ସବରେ ଅତିଥିମାନଙ୍କଠାରୁ ମିଳିଥିବା ସୁନାଗହଣା,ଟଙ୍କାକୁ କେହି ଚୋରି କରିନେଇଥିବାର ବାରଙ୍ଗଥାନାରେ ଅଭିଯୋଗ ହୋଇଛି।ପୋଲିସ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି।
ପ୍ରକାଶଯେ, ନରଣପୁର ଗ୍ରାମର ସୌମ୍ୟରଞ୍ଜନ ସ୍ବାଇଁଙ୍କ ପୁଅ ଶୁଭଙ୍କରଙ୍କ ୫ମ ବାର୍ଷିକ ଜନ୍ମଦିନ ଉତ୍ସବ ବୁଧବାର ରାତିରେ ବେଲଗଛିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆୟୋଜନ କରିଥିଲେ।ଏଠାକୁ ନିମନ୍ତ୍ରଣ ପାଇଁ ଆସିଥିବା ବନ୍ଧୁବାନ୍ଧବ ମାନଙ୍କଠାରୁ ଆରମ୍ଭ କରି ସାଙ୍ଗସାଥିମାନଙ୍କ ଠାରୁ ଉପହାରରେ ମିଳିଥିବା ସୁନା ଅଳଙ୍କାର ଓ ଟଙ୍କାକୁ ସୌମ୍ୟଙ୍କ ସାନଶାଳୀ ମନୀଷା ବଳିୟାରସିଂହ ଏକ ଭ୍ୟାନିଟି ବ୍ୟାଗରେ ରଖିଥିଲେ। ରାତି ପ୍ରାୟ ୧୦.୩୦ ସୁଦ୍ଧା ମନୀଷା ବ୍ୟାଗଟିକୁ ମଞ୍ଚ ଉପରେ ରଖି ପରିବାରର ଅନ୍ୟ ସଦସ୍ୟ ମାନଙ୍କ ସହ ପାଲା ହେଉଥିବା ସ୍ଥାନକୁ ଯାଇଥିଲେ।ସେଠାରୁ ଫେରିବା ପରେ ଭ୍ୟାନିଟି ବ୍ୟାଗଟିକୁ ଆଉ ମଞ୍ଚ ଉପରେ ପାଇନଥିଲେ। କେହି ବ୍ୟାଗଟିକୁ ନେଇ ସୋସାଇଟି ପରିସର ମଧ୍ୟକୁ ଫୋପାଡି ଦେଇଥିବାର ଖୋଜାଖୋଜି ପରେ ମିଳିଥିଲା।କିନ୍ତୁ ବ୍ୟାଗଟି ଖୋଲାଥିବା ବେଳେ ସେଥିରେ ଉପହାରରେ ମିଳିଥିବା ଟଙ୍କା ଓ ସୁନା ଅଳଙ୍କାର ନଥିବାର ଦେଖିବାକୁ ମିଳିଥିଲା ବୋଲି ସୌମ୍ୟ ବାରଙ୍ଗ ଥାନାରେ ଗୁରୁବାର ଦିନ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।