ବାରଙ୍ଗ, ୨୩।୧୦(ଏସଏସନିଉଜ ) ମା’ଙ୍କ ଅପାର କରୁଣା ଓ ମହିମାକୁ ନେଇ ନିର୍ମିତ ହୃଦୟସ୍ପର୍ଶୀ ଭକ୍ତି ଅଡିଓ କ୍ୟାସେଟ୍ “ମୋ ମା ଯୋଗମାୟା” ର ଭବ୍ୟ ଉନ୍ମୋଚନ ଉତ୍ସବ ଶୁକ୍ରବାର ଦିନ ରଘୁନାଥପୁର ସ୍ଥିତ ଡି.କେ. ଆର
କାର୍ଯ୍ୟାଳୟ ରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତିମୟ ପରିବେଶରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ,ବିଜେପି ନେତା ଗୋଲକ ମହାପାତ୍ର,ଚନ୍ଦକା ଥାନା ଅଧିକାରିଣୀ ସମିତା ମିଶ୍ର ଅତିଥି ଭାବେ ଯୋଗଦେଇ କ୍ୟାସେଟର ଶୁଭ ଉନ୍ମୋଚନ କରିଥିଲେ ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଗାନ୍ଧିବାଦୀ ନେତା ପ୍ରତାପ ରାଉତ,ବିଜେଡି ନେତା ସୁବାସ ଚନ୍ଦ୍ର ପାତ୍ର ଓ ସମାଜସେବୀ ଜିତେନ୍ଦ୍ର ସ୍ୱାଇ ପ୍ରମୁଖ ଉପସ୍ଥିତ ରହି ଉନ୍ମୋଚନ କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ ।ଏହି ଅବସରରେ ମାଙ୍କ ଭକ୍ତମାନେ ମା’ ଯୋଗମାୟାଙ୍କ ନାମ ସ୍ମରଣ କରି ଶଙ୍ଖ-ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଉତ୍ସବସ୍ଥଳ ।
ସତ୍ୟସନ୍ଧାନ ୱେବ୍ ଚାନେଲ୍ ଓ ମା ଯୋଗମାୟା ଟ୍ରାଭେଲ୍ସ ର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଗୀତଟି ମା’ଙ୍କ ଭକ୍ତମାନଙ୍କ ହୃଦୟକୁ ଛୁଇଁବ ବୋଲି ଆଶା ପ୍ରକାଶ କରାଯାଇଛି । ମଧୁର ସ୍ୱର, ହୃଦୟଛୁଆଁ ଗୀତିକାର ଓ ମନମୁଗ୍ଧକର ସଙ୍ଗୀତର ଅପୂର୍ବ ସମନ୍ୱୟ ଏହି ଗୀତର ବିଶେଷତ୍ୱ।
ବିଧାୟକ ଶ୍ରୀ ରାଉତ ନିଜ ଅଭିଭାଷଣରେ କହିଥିଲେ, “ମା’ ଯୋଗମାୟାଙ୍କ ଆଶୀର୍ବାଦରୁ ଏଭଳି ଭକ୍ତି ଗୀତ ସମାଜରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବ । ଏହା କେବଳ ଏକ ଗୀତ ନୁହେଁ, ଏହା ଭକ୍ତି ଓ ବିଶ୍ୱାସର ସ୍ୱର ।ଅନ୍ୟ ଅତିଥିମାନେ ମଧ୍ୟ ପ୍ରଯୋଜକ ଅନୁଷ୍ଠାନର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ଆୟୋଜକ ତ୍ରିଲୋଚନ ରାଉତଙ୍କ ପକ୍ଷରୁ ସମସ୍ତ ଅତିଥି ଓ ଉପସ୍ଥିତ ମାଙ୍କ ଭକ୍ତମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା