ଅସହାୟ ପ୍ରାଣୀମାନଙ୍କୁ ସେବା ଯୋଗାଇବାପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨

ଭୁବନେଶ୍ୱର,୭/୬(ଏସଏସନିଉଜ)ଆଜି ଅନ୍ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline ) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ ବୋଲି କହିଛନ୍ତି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ ମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ଏବଂ ପ୍ରାଣୀସଂପଦ ବିଭାଗର କର୍ମଚାରୀ ମାନଙ୍କୁ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ବୁଲା ପ୍ରାଣୀ ମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ୧୯୬୨ ଦିନରାତି ଚବିଶ ଘଣ୍ଟା କାର୍ଯ୍ୟକାରୀ ହେବ। ଏହାଦ୍ବାରା ଜରୁରୀ ସମୟରେ ପ୍ରାଣୀମାନଙ୍କୁ ଚିକିତ୍ସା ସେବା ମିଳିପାରିବ। ସେହିପରି ଟେଲି ଭେଟେରିନାରୀ ସେବା ବ୍ୟବସ୍ଥାର ଶୁଭାରମ୍ଭ ମଧ୍ୟ ମୁଖ୍ୟମନ୍ତ୍ରୀ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଟୋଲ୍ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ କରି ତୁରନ୍ତ ସହାୟତା ମିଳିପାରିବ। ରାଜ୍ୟର ୧୧ଟି ସହରରେ ଆନିମଲ୍ ଆମ୍ବୁଲାନ୍‌ସ ବ୍ୟବସ୍ଥା ରହିଛି ଏବଂ ସବୁ ବ୍ଲକ୍‌ରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ମଧ୍ୟ ରହିଛି ।ଏହାସହ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ସିଷ୍ଟମ ର ଶୁଭାରମ୍ଭ ମଧ୍ୟ ହୋଇଛି ।୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ ଏବଂ ଏହାକୁ WEB-GIS ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଏହାଦ୍ବାରା ସ୍ବଚ୍ଛତା ଓ ଉତ୍ତରଦାୟୀତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।ଏହାସହ Gjûij BAIF Institute ସହିତ ଏକ ବୂଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା । ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକ୍‌ନିସିଆନ ନିୟୋଜିତ ହେବେ । ଏହାସହିତ ଗୋପାଳପୁର ଠାରେ ଭେକ୍‌ଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଣ୍ଟର ଫର ଆକ୍ବା କଲ୍‌ଚର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଭେକ୍‌ଟୀ ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛଚାଷୀ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀସଂପଦର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

 

Comments (0)
Add Comment