ଭୁବନେଶ୍ୱର,୩।୧୦(ଏସଏସନିଉଜ)ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କୁ ଭେଟି ସ୍ୱରୂପ କେତେକ ନୂଆ ପଶୁପକ୍ଷୀଙ୍କୁ ଶନିବାର ଖୁଆଡରେ ଛାଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ନୂଆ ଆକର୍ଷଣ ସାଜିଲେ ନୂଆ ପଶୁପକ୍ଷୀ। ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ୧୧ଟି ନୂଆ ପ୍ରଜାତିର ୩୬ଟି ବନ୍ୟପ୍ରାଣୀ ଖୁଆଡ।
ଦୀର୍ଘ ୨୦ଦିନର ବ୍ୟବଧାନପରେ ପର୍ଯ୍ୟଟକମାନେ କଙ୍ଗାରୁ,ଜେବ୍ରା, ୱାଲାବି ଆଦି ପଶୁପକ୍ଷୀଙ୍କୁ ଅତି ପାଖରୁ ଦେଖି ବେଶ୍ ମଜା ଉଠାଇଛନ୍ତି।ତେବେ ପ୍ରାଣୀଉଦ୍ୟାନକୁ ଗତମାସ ୧୨ତାରିଖରେ ଗୁଜୁରାଟର ‘ରାଧାକୃଷ୍ଣ ମନ୍ଦିର ହାତୀକଲ୍ୟାଣ ଟ୍ରଷ୍ଟ’ ପକ୍ଷରୁ ଦାନ ସ୍ୱରୂପରେ ୧୪ ପ୍ରକାରର ୫୮ଟି ବିଦେଶୀ ପ୍ରାଣୀ ମିଳିଥିଲା।ସେଥିମଧ୍ୟରୁ ଜେବ୍ରା ,କଙ୍ଗାରୁ ,ବେନେଟ୍ସ ୱାଲାବି ,ଟଫ୍ଟେଡ୍ କ୍ୟାପୁଚିନ୍ , ମିରକାଟ୍ , ସ୍କାର୍ଲେଟ୍ ଆଇବିସ୍ , ସଲଫର୍- କ୍ରେଷ୍ଟେଡ୍ କକାଟୁ,ସ୍କାର୍ଲେଟ୍ ମ୍ୟାକାଉ, ବ୍ଲୁ-ଆଣ୍ଡ-ଗୋଲ୍ଡ ମ୍ୟାକାଉ, ଗ୍ରୀନ୍- ୱିଙ୍ଗଡ୍ ମ୍ୟାକାଉ,ଧୂସର ମୁକୁଟଧାରୀ ସାରସ ପକ୍ଷୀକୁ ମିଶାଇ ୧୧ଟି ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ପର୍ଯ୍ୟଟକଙ୍କ ଦେଖିବା ପାଇଁ ଆଜି ଛଡାଯାଉଛି।ଏହାଦ୍ବାରା ପର୍ଯ୍ୟଟକମାନେ ଏହି ନୂତନ ପ୍ରାଣୀମାନଙ୍କୁ ଦେଖିବାର ସୁଯୋଗ ପାଇବା ସହ ବନ୍ୟପ୍ରାଣୀ ସଂରକ୍ଷଣ, ଶିକ୍ଷା ଏବଂ ସଚେତନତା କ୍ଷେତ୍ରରେ ଉଦ୍ୟାନର ଲକ୍ଷ୍ୟକୁ ସୁଦୃଢ଼ କରିବ।ତେବେ ଆଗାମୀଦିନରେ ବାକିରହିଥିବା ଆଉ ୩ ପ୍ରଜାତିର ୨୨ପଶୁପକ୍ଷୀଙ୍କୁ ଖୁଆଡରେ ଛଡାଯିବାର ବ୍ୟବସ୍ଥା କରାଯିବ ବୋଲି ଉପ ନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।ଅନ୍ୟପଟେ ଦୀର୍ଘ ଦିନର ବ୍ୟବଧାନ ପରେ ନୂଆପ୍ରଜାତି ପଶୁପକ୍ଷୀଙ୍କୁ ଦେଖି ପର୍ଯ୍ୟଟକମାନେ ବେଶ୍ ମଜା ଉଠାଉଛନ୍ତି ଓ ଏହାଦ୍ବାରା ଆଗମୀ ଦିନରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆସା ବାନ୍ଧିଛନ୍ତି କର୍ତ୍ତୃପକ୍ଷ।
କିନ୍ତୁ ଏହି ନୂଆ ପ୍ରାଣୀଙ୍କୁ ଦର୍ଶକଙ୍କ ପାଇଁ ଖୋଲିବା ପୂର୍ବରୁ ମୀରକାଟ୍କୁ ନେଇ ଘଟିଥିଲା ଅଘଟଣ। ନନ୍ଦନକାନନରେ ଦୁଇଟି ମୀରକାଟ୍ର ମୃତ୍ୟୁ ହୋଇଥିଲା।ଆଉ ଗୋଟିଏ ମୀରକାଟ୍ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା।ଏହାସହ ନୂଆ ଜେବ୍ରାର ବେକରେ ଆଘାତ ଲାଗିବାପରେ ତାହା ଅସୁସ୍ଥ ହୋଇଥିବା ଘଟଣା ମଧ୍ୟ ଚିନ୍ତା ବଢ଼ାଇଥିଲା।ନୂଆ ପ୍ରାଣୀଙ୍କ ଆଗମନ ନନ୍ଦନକାନନର ଆକର୍ଷଣ ବଢ଼ାଇଥିବା ବେଳେ, ଏମାନଙ୍କ ସ୍ୱାସ୍ଥ୍ୟ ଓ ଯତ୍ନ ଉପରେ ନଜର ରହିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।