ଭୁବନେଶ୍ୱର,୧|୧୦(ଏସଏସନିଉଜ) ରାଜ୍ୟର ଗୌରବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପୁଣି ଚର୍ଚ୍ଚାରେ। ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ACF-କମ୍- କ୍ୟୁରେଟର ରୁଦ୍ର ରଥଙ୍କ ବଦଳି ହୋଇଛି। ବାରମ୍ବାର ଜୀବଜନ୍ତୁ ମୃତ୍ୟୁ, ପରିଚାଳନାଗତ ଅବହେଳା ଓ ନକଲି ଫିନାଇଲ ଯୋଗାଣ ଆଦି ଅଭିଯୋଗ ପରେ ଏହି ବଦଳି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ଗତ କିଛି ମାସ ହେବ ନନ୍ଦନକାନନରେ କ୍ୱାରେଣ୍ଟାଇନ୍ରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି।କେତେକ ନୂଆ ଅଣାଯାଇଥିବା ଜନ୍ତୁ ପର୍ଯ୍ୟଟକ ଦେଖିବା ପୂର୍ବରୁ ମୃତ୍ୟୁବରଣ କରିସାରିଲେଣି। ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଓ ବିଶେଷଜ୍ଞଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ଆରମ୍ଭ କରିଥିଲା।
ଅଭିଯୋଗ ହେଉଥିଲା, ଜୀବଜନ୍ତୁଙ୍କ ଯତ୍ନ,ଖାଦ୍ୟ, ଚିକିତ୍ସା ଏବଂ କ୍ୱାରେଣ୍ଟାଇନ୍ ପରିଚାଳନାରେ ଗୁରୁତର ତ୍ରୁଟି ରହିଛି। ସଠିକ୍ ସମୟରେ ରୋଗ ଚିହ୍ନଟ ନହେବା, ପଶୁ ଚିକିତ୍ସକଙ୍କ ପରାମର୍ଶ ଅଣଦେଖା କରାଯିବା ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଥିଲା।ଜନ୍ତୁ ମୃତ୍ୟୁକୁ ନେଇ ପରିଚାଳନାଗତ ଦାୟିତ୍ୱହୀନତା ଅଭିଯୋଗ ହେଉଥିବା ବେଳେ, ଏହାକୁ ବନବିଭାଗ ପକ୍ଷରୁ ନିୟମିତ ପ୍ରଶାସନିକ ବଦଳି ବୋଲି କୁହାଯାଇଛି।
ଯାହାକୁ ନେଇ ବନ ବିଭାଗ ତରଫରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ACF-କମ୍-କ୍ୟୁରେଟର ରୁଦ୍ର ରଥଙ୍କୁ ନୟାଗଡ଼ ବନଖଣ୍ଡକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୟାଗଡ଼ରୁ ACF ସତ୍ୟଜିତ କର ନନ୍ଦନକାନନ ଜନ୍ତୁ ବିଭାଗ କ୍ୟୁରେଟର ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।ଏହି ବଦଳି ପରେ ଗାଦି ମାଡ଼ି ବସିଥିବା ଆଉ ଦୁଇ ଅଧିକାରୀଙ୍କ ଚିନ୍ତା ଏବେ ବଢି ଯାଇଛି।ନିଜ ବଦଳିକୁ ବାତିଲ କରି ନନ୍ଦନକାନନରେ ରହିବା ପାଇଁ କରିଥିବା ଉଦ୍ୟମ ଫସର ଫାଟିବାକୁ ଯାଉଥିବାର ଜାଣିବା ପରେ ଚିନ୍ତା ବଢ଼ିଯାଇଛି।କାରଣ ବିଭିନ୍ନ ଅଭିଯୋଗରେ ଏହି ଦୁଇ ଅଧିକାରୀ ଛନ୍ଦି ହୋଇଥିବାର ଜଣାପଡିଛି।
କେବଳ ଅଧିକାରୀମାନଙ୍କ ବଦଳିରେ ସମସ୍ୟା ସମାଧାନ ହେବ ନାହିଁ। ନନ୍ଦନକାନନର ପରିଚାଳନା ବ୍ୟବସ୍ଥାରେ ସ୍ୱଚ୍ଛତା, ବୈଜ୍ଞାନିକ ଯତ୍ନ ପଦ୍ଧତି ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ ନହେଲେ ଆଗକୁ ଏଭଳି ଅଭିଯୋଗ ବଢ଼ିବା ଆଶଙ୍କା ରହିଛି ବୋଲି ବୃଦ୍ଧିଯିବି ମହଲରେ ମତ ପ୍ରକାଶ ପାଇଛି।