ଭୁବନେଶ୍ୱର,୧।୧୦(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତକୁ ଆହୁରି ସୁଗମ, ସୁବିଧା ଜନକ ଓ ସୁଲଭ କରିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନିଆଯାଇଛି। ଓଏମ୍ଫେଡ୍ଛକରୁ ଡମଣା,ଗାଡ଼କଣ, ରଙ୍ଗମାଟିଆ ଦେଇ ନୂତନ ‘ଆମ ବସ୍’ ସେବାର ଶୁଭ ଆରମ୍ଭ ବୁଧବାର ହୋଇଛି।
ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇଥିଲେ । ନୂତନ ବସ୍ ରୁଟ୍ ଆରମ୍ଭ ହେବା ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ମହିଳା, ବ୍ୟବସାୟୀ, ଚାକିରିଜୀବୀ, ବରିଷ୍ଠ ନାଗରିକଙ୍କ ସମେତ ସାଧାରଣ ଲୋକଙ୍କ ଦୈନନ୍ଦିନ ଯାତାୟାତ ଆହୁରି ସହଜ ଓ ସୁବିଧାଜନକ ହେବ।
ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧାକୁ ନେଇ ରହିଥିବା ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ବସ୍ ସେବା ଆରମ୍ଭ କରାଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସୁବିଧାଜନକ ଗଣପରିବହନ ବ୍ୟବସ୍ଥା ଦ୍ୱାରା ଯାତାୟାତ ସମୟ ଓ ଖର୍ଚ୍ଚ କମିବା ସହିତ ବିଭିନ୍ନ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ଆହୁରି ସୁଦୃଢ଼ ହେବ।
ଏହି ଜନହିତକର ପଦକ୍ଷେପ ପାଇଁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀବାସୀଙ୍କ ତରଫରୁ ଶ୍ରୀ ଗୋଲକ ମହାପାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।
ସେହିପରି, ଅଞ୍ଚଳବାସୀଙ୍କ ଦୀର୍ଘଦିନର ଯାତାୟାତ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ବସ୍ ସେବାକୁ ବାସ୍ତବ ରୂପ ଦେବାରେ ସହଯୋଗ କରିଥିବା ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ, ପରିବହନ ବିଭାଗ ଓ ସମ୍ପୃକ୍ତ ସମସ୍ତଙ୍କୁ ଶ୍ରୀ ମହାପାତ୍ର ଧନ୍ୟବାଦ ଜଣାଇଛନ୍ତି।ଜନତାଙ୍କ ସୁବିଧା, ଆମର ପ୍ରାଥମିକତା। ଏହି ଲକ୍ଷ୍ୟକୁ ଆଧାର କରି ଭୁବନେଶ୍ୱର ଉତ୍ତରରେ ଉନ୍ନତ ଯାତାୟାତ ବ୍ୟବସ୍ଥା, ସୁଦୃଢ଼ ଯୋଗାଯୋଗ ଓ ଉନ୍ନତ ନାଗରିକ ସୁବିଧା ନିଶ୍ଚିତ କରିବା ଦିଗରେ ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ଆଗକୁ ମଧ୍ୟ ଜାରି ରହିବ।