ନହରକଣ୍ଟାରେ ବୃକ୍ଷରୋପଣ କଲେ, ଚାରା ବାଣ୍ଟିଲେ

ଭୁବନେଶ୍ୱର,୭।୭(ଏସଏସନିଉଜ)୭୧ତମ ବନ ମହୋତ୍ସବ ଅବସରରେ ନହରକଣ୍ଟାରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଏଥିରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିପ୍ରକୃତି ହେଉଛି ଜୀବନର ମୂଳ ଆଧାର ବୋଲି କହିଥିଲେ।
୭୧ତମ ବନ ମହୋତ୍ସବ ଅବସରରେ “ଗଛ ଲଗାଅ, ଜୀବନ ବଞ୍ଚାଅ” ମହାନ ବାର୍ତ୍ତାକୁ ସାକାର କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ନହରକଣ୍ଟାସ୍ଥିତ ସରସ୍ୱତୀ ଶିକ୍ଷା ମନ୍ଦିର ପରିସରରେ ୭୧ତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର,ବିଦ୍ୟାଳୟର ସମ୍ପାଦକ ସୁରେନ୍ଦ୍ର ଖୁଣ୍ଟିଆ ଓ ବିଶିଷ୍ଟ ସମାଜସେବୀ ସ୍ୱାକ୍ଷର ମହାନ୍ତି ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏଥିସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଜାତିର ବୃକ୍ଷ ଚାରା ବଣ୍ଟନ କରାଯାଇ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ।
ଏହି ଅବସରରେ ମହାପାତ୍ର କହିଥିଲେ ଯେ, ପ୍ରକୃତି ହେଉଛି ଆମ ଜୀବନର ମୂଳ ଆଧାର। ବୃକ୍ଷ କେବଳ ଆମକୁ ଅମ୍ଳଜାନ ପ୍ରଦାନ କରେ ନାହିଁ, ବରଂ ପରିବେଶର ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ଜୀବବିବିଧତାର ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସବୁଜ ପୃଥିବୀ ଗଢ଼ିବାରେ ବୃକ୍ଷର ଭୂମିକା ଅତୁଳନୀୟ। ଆଜିର ବୃକ୍ଷରୋପଣ କେବଳ ଏକ ଔପଚାରିକତା ନୁହେଁ, ବରଂ ପ୍ରକୃତି ପ୍ରତି ଆମର ଦାୟିତ୍ୱବୋଧ ଓ ସମର୍ପଣର ପ୍ରତୀକ।
ସେ ସମସ୍ତଙ୍କୁ ଅନୁରୋଧ କରି କହିଥିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ଅତି କମରେ ଦଶଟି ଗଛ ଲଗାଇ ତାହାର ଯତ୍ନ ନିଅନ୍ତୁ ଏବଂ ସବୁଜ, ସ୍ୱଚ୍ଛ ଓ ସମୃଦ୍ଧ ଓଡ଼ିଶା ତଥା ସବୁଜ ଭାରତ ଗଠନରେ ସକ୍ରିୟ ଭାଗୀଦାର ହୁଅନ୍ତୁ। “ପ୍ରକୃତିକୁ ସୁରକ୍ଷା କରିବା ହିଁ ଆମର ଭବିଷ୍ୟତକୁ ସୁରକ୍ଷା କରିବା” ବୋଲି ସେ ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସମାଜସେବୀ ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହୋଇ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ।

Comments (0)
Add Comment