ବାରଙ୍ଗ,୨୭।୮(ଏସଏସନିଉଜ) ସୋମବାର ବିଳମ୍ବିତ ରାତିରେ ଜନ୍ମ ହୋଇଥିବା ବିରଳ ଗୟଳ ଶାବକ ବୁଧବାର ସକାଳେ ଆଖବୁଜିଛି । ହେଲେ ଏହି ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି।
ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ପ୍ରତ୍ୟେକ ବନ୍ୟପ୍ରାଣୀ ମୃତ୍ୟୁର ରିପୋର୍ଟ ସାର୍ବଜନୀନ କରିବା ବାଧ୍ୟତାମୂଳକ। ହେଲେ ଏଠି ନୀରବତା ଅନେକ ପ୍ରଶ୍ନ ଛିଡା କରୁଛି।
ସୂଚନାଯୋଗ୍ୟଯେ, ସୋମବାର ବିଳମ୍ବିତ ରାତିରେ ମା ଗୟଳ ଏକ ମାଇ ଶାବକଟିକୁ ଜନ୍ମ ଦେଇଥିଲା।ଜନ୍ମ ହେବା ପରଠାରୁ ହିଁ ଶାବକଟି ଅତ୍ୟନ୍ତ ଦୁର୍ବଳ ଥିଲା।ଠିକ୍ ସେ ଠିଆ ହୋଇପାରୁନଥିଲା । ସୂଚନା ପାଇ ପଶୁ ଚିକିତ୍ସକ ଶାବକଟିକୁ ଚିକିତ୍ସା କରିଥିଲେ ବି ସ୍ୱାସ୍ଥ୍ୟର କିଛି ଉନ୍ନତି ହୋଇନଥିଲା । ଶେଷରେ ଶାବକକୁ ପଶୁ ଚିକିତ୍ସାଳୟକୁ ଆଣି ଚିକିତ୍ସା ଜାରି ରଖିଥିଲେ ଶେଷରେ ବୁଧବାର ସକାଳରେ ମୃତ୍ୟୁ ହୋଇଥିଲା।ତେବେ ଏଠାରେ ପ୍ରଶ୍ନ ଉଠେ,କାହିଁକି ଶାବକ ଦୁର୍ବଳ ଜନ୍ମ ହେଲା? ମାଆ ଗୟଳର ଗର୍ଭାବସ୍ଥାରେ ପୋଷଣରେ କିଛି ଅବହେଳା ହୋଇଥିଲା କି? ଜନ୍ମ ପରେ ତୁରନ୍ତ ଇନକ୍ୟୁବେଟର କିମ୍ବା ବିକଳ୍ପ ବ୍ୟବସ୍ଥା କରାଗଲା ନାହିଁ କି? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି ।ଏହି ଶାବକ ମୃତ୍ୟୁ ପରେ ଏମାନଙ୍କ ସଂଖ୍ୟା ହ୍ରାସପାଇ ୮ରେ ପହଁଚିଛି ।