ଆଖିବୁଜିଲା ବଉଳା କୁମ୍ଭୀର!

ଚିକିତ୍ସା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୯।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ବନ୍ୟପ୍ରାଣୀର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ଆଜି ଏକ ଅଳ୍ପ ବୟସ୍କା ମାଈ ବଉଳା କୁମ୍ଭୀରର ମୃତ୍ୟୁ ଘଟିଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଉକ୍ତ କୁମ୍ଭୀରଟି ଗତ ପ୍ରାୟ ୩ମାସ ଧରି ଖାଦ୍ୟ ଗ୍ରହଣ କରୁନଥିଲା। ପଶୁ ଚିକିତ୍ସା ବିଭାଗର ପରାମର୍ଶକ୍ରମେ ଅଧିକାଂଶ ସମୟରେ ତାକୁ ବାଧ୍ୟତାମୂଳକ ଭାବେ ଖାଦ୍ୟ ଖୁଆଇବାର ପ୍ରୟାସ କରାଯାଉଥିଲା ।
ତେବେ ପ୍ରଶ୍ନ ଉଠୁଛି, ଏକ ବନ୍ୟପ୍ରାଣୀ ଯେତେବେଳେ କ୍ରମାଗତ ଭାବେ ୩ ମାସ ଧରି ଖାଦ୍ୟ ଗ୍ରହଣ କରୁନଥିଲା, ସେତେବେଳେ ତାର ଅସୁସ୍ଥତାର ମୂଳ କାରଣ ଖୋଜିବା ଏବଂ ତାକୁ ସୁସ୍ଥ କରିବା ପାଇଁ କେଉଁ ପଦକ୍ଷେପ ନିଆଯାଇଥିଲା? ଏତେ ଦୀର୍ଘ ସମୟ ଧରି ଚିକିତ୍ସା ଓ ନିରୀକ୍ଷଣ ଚାଲିଥିଲେ ମଧ୍ୟ ଶେଷରେ କାହିଁକି ତାର ଜୀବନ ବଞ୍ଚାଇ ହେଲାନି, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।
କର୍ତ୍ତୃପକ୍ଷ କହିଛନ୍ତି, ଲଗାତାର ୩ ମାସ ଧରି ଚିକିତ୍ସା ଓ ଖାଦ୍ୟ ଦେବାର ପ୍ରୟାସ ସତ୍ତ୍ୱେ ଶୁକ୍ରବାର ଦିନ କୁମ୍ଭୀରଟିର ମୃତ୍ୟୁ ଘଟିଛି। ମୃତ୍ୟୁ ପରେ କରାଯାଇଥିବା ପୋଷ୍ଟମର୍ଟମ୍ ରିପୋର୍ଟରେ ସେପ୍ଟିସେମିଆ (ରକ୍ତ ସଂକ୍ରମଣ) ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ (ପାକସ୍ଥଳୀ ଓ ଅନ୍ତନଳୀର ପ୍ରଦାହ) ମୃତ୍ୟୁର କାରଣ ବୋଲି ଦର୍ଶାଯାଇଥିବା ସୂଚନା ମିଳିଛି।
ତେବେ ଏଠାରେ ମୁଖ୍ୟ ପ୍ରଶ୍ନ ହେଉଛି—୩ ମାସ ଧରି ଖାଦ୍ୟ ଗ୍ରହଣ କରୁନଥିବା କୁମ୍ଭୀରର ଅବସ୍ଥାକୁ ନେଇ ପୂର୍ବରୁ କି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇଥିଲା? ନିୟମିତ ଭାବେ କି ପରୀକ୍ଷା-ନିରୀକ୍ଷା କରାଯାଉଥିଲା? ଚିକିତ୍ସା ପଦ୍ଧତିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ଥିଲା କି? ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଏବେ ଆବଶ୍ୟକ ହୋଇପଡ଼ିଛି।
ପ୍ରତିଥର ବନ୍ୟପ୍ରାଣୀ ମୃତ୍ୟୁ ପରେ ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର ଚିକିତ୍ସାଜନିତ କାରଣ ସାମ୍ନାକୁ ଆସୁଛି। କିନ୍ତୁ ତାପଛରେ ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।
ରୋଗ ଚିହ୍ନଟରେ ବିଳମ୍ବ ହୋଇଥିଲା କି? ଚିକିତ୍ସା ପଦ୍ଧତିରେ କୌଣସି ଅଭାବ ରହିଥିଲା କି? ନା ଅସୁସ୍ଥ ପ୍ରାଣୀର ଅବସ୍ଥା ଆବଶ୍ୟକ ଗୁରୁତ୍ୱ ପାଇନଥିଲା କି ? ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ମୃତ୍ୟୁ ପରେ ବିଭିନ୍ନ ଚିକିତ୍ସାଜନିତ କାରଣ ସାମ୍ନାକୁ ଆସୁଛି। କିନ୍ତୁ ପ୍ରତିଥର ମୃତ୍ୟୁ ପରବର୍ତ୍ତୀ ରିପୋର୍ଟକୁ ଆଗକୁ ଆଣି ପ୍ରଶ୍ନକୁ ଏଡ଼ାଇ ଦେବା ଯଥେଷ୍ଟ ନୁହେଁ। ପ୍ରଶ୍ନ ହେଉଛି-ପ୍ରାଣୀଟି ଜୀବିତ ଥିବା ବେଳେ ତାକୁ ବଞ୍ଚାଇବା ପାଇଁ କେତେ ଗୁରୁତ୍ୱର ସହ ଚିକିତ୍ସା କରାଯାଇଥିଲା?
ଏସବୁର ଉତ୍ତର ଏବେ ଜରୁରୀ ହୋଇପଡ଼ିଥିବା ବେଳେ ପ୍ରାଣୀଟି ଏତେ ଦିନ ଧରି ଅସୁସ୍ଥ ଥିବା ବେଳେ ତାକୁ ବଞ୍ଚାଇବା ପାଇଁ ପ୍ରସ୍ତୁତି ଓ ଚିକିତ୍ସା ବ୍ୟବସ୍ଥା କେତେ ପ୍ରଭାବୀ ଥିଲା—ତାହା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ପଶୁପ୍ରେମୀ ମହଲରେ ମତ ପ୍ରକାଶ ପାଇଛି।
ଏହି ଘଟଣା ପରେ ନନ୍ଦନକାନନର ପଶୁ ଚିକିତ୍ସା ବ୍ୟବସ୍ଥା, ଅସୁସ୍ଥ ବନ୍ୟପ୍ରାଣୀଙ୍କ ନିରୀକ୍ଷଣ ଏବଂ ଦୀର୍ଘଦିନ ଧରି ଖାଦ୍ୟ ଗ୍ରହଣ ନକରୁଥିବା ପ୍ରାଣୀଙ୍କ ପାଇଁ ଚିକିତ୍ସା ପ୍ରଟୋକଲ୍ କେତେ କାର୍ଯ୍ୟକ୍ଷମ, ତାହା ନେଇ ମଧ୍ୟ ତଦନ୍ତ ଓ ସ୍ପଷ୍ଟୀକରଣର ଆବଶ୍ୟକତା ଦେଖାଦେଇଛି।
ଏହି କୁମ୍ଭୀରର ମୃତ୍ୟୁ ପରେ ନନ୍ଦନକାନନରେ ବର୍ତ୍ତମାନ ୨୦ଟି ଲୁଣିପାଣିର କୁମ୍ଭୀର ରହିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଆଗକୁ ଅନ୍ୟ ବନ୍ୟପ୍ରାଣୀଙ୍କ କ୍ଷେତ୍ରରେ ଏଭଳି ଘଟଣା ନଘଟିବା ପାଇଁ ଚିକିତ୍ସା ଓ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ କି ନାହିଁ, ତାହା ଉପରେ ଏବେ ନଜର ରହିବ।ପ୍ରକାଶ ଥାଉକି ଯେ ,ପୂର୍ବରୁ ସେପ୍ଟେମ୍ୱର ୨୪ ରେ ଏକ ଘଡିଆଳ କୁମ୍ଭୀର ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସ ୬ ତାରିଖରେ ଆଉ ଗୋଟେ ଘଡିଆଳ କୁମ୍ଭୀରର ମୃତ୍ୟୁ ହୋଇଥିଲା ।

Comments (0)
Add Comment