କଟକ, ୨।୧(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ରତାଗଡ ଗ୍ରାମରେ ଶୁକ୍ରବାର ଚାଲିଥିବା କ୍ରିକେଟ ଟୁର୍ଣ୍ଣମେଣ୍ଟରେ ହାରଜିତକୁ ନେଇଗଣ୍ଡଗୋଳ ଘଟିଛି।ଏଥିରେ ୪ଜଣ ଆହତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ପ୍ରକାଶଯେ, ଶୁକ୍ରବାର ଅପରାହ୍ନରେ ରତାଗଡ ଗ୍ରାମର ଖେଳପଡିଆରେ ଚାଲିଥିବା କ୍ରିକେଟ ଟୁର୍ଣା ମେଣ୍ଟରେ ଆଠଗଡ଼ ଥାନା ଅନ୍ତର୍ଗତ ପାଟେଣୀଗାଁ ସହିତ ରତାଗଡ ନୂଆସାହି ମଧ୍ୟରେ ଖେଳ ହୋଇଥିଲା। ଖେଳର ଶେଷ ପର୍ଯ୍ୟାୟରେ ପାଟେଣୀ ଗାଁ ବିଜୟୀ ହୋଇଥିଲା। ପାଟେଣୀଗାଁ ଦଳ ଜିତିବା ପରେ ସାଙ୍ଗରେ ଆସିଥିବା ଶୁଭେଚ୍ଛୁମାନେ ଖେଳପଡ଼ିଆ ଭିତରକୁ ଯାଇ ଅଭିନନ୍ଦନ ଜଣାଇ ଖୁସିରେ ନାଚିବା ଆରମ୍ଭ କରିଥିଲେ।ଏହି ଘଟଣା କୁ ବିରୋଧ କରି ରତାଗଡ଼ ନୂଆସାହିର କିଛି ଯୁବକ ଖେଳ ପଡ଼ିଆରେ ଲାଗିଥିବା ଷ୍ଟମ୍ପ ଓପାଡି ପାଟେଣୀ ଗାଁର ଖେଳାଳିଙ୍କୁ ମାଡ଼ମାରିବା ପରେ ଖେଳପଡ଼ିଆ ରଣକ୍ଷେତ୍ର
ପାଲିଟିଥିଲା ।ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ପାଟେଣୀଗାଁର ଜଗା ପ୍ରଧାନ (୧୮), ବିସ୍ମୟ ସାହୁ(୨୬), ମନୋରଞ୍ଜନ ଜେନା(୨୯), ମନୋଜ ପ୍ରଧାନ (୪୦) ଗୁରୁତର ହୋଇପଡିଥିଲେ।ସେମାନଙ୍କ ସହଯୋଗୀମାନେ ଘଟଣା ସ୍ଥଳରୁ ଆହତମାନଙ୍କୁ ଆମ୍ବୁଲାନ୍ସଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଯାଇଥିଲେ।ଖବରପାଇ ଘଟଣା ସ୍ଥଳରେ ବାରଙ୍ଗପୁଲିସ ପହଁଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ଗଣ୍ଡଗୋଳରେ ସଂପୃକ୍ତ ଥିବା ଦୁଇଜଣ ପିଲାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।