ଦାବି ପୁରଣ ନହେଲେ ଗଡ଼ିବନି ବସ୍

ଭୁବନେଶ୍ୱର, ୮/୭(ଏସଏସନିୟୁଜ) ରାଜ୍ୟ ବସ୍ ମାଲିକ ସଂଘର ଏକ ଜରୁରୀ କାର‌୍ୟ୍ୟକାରୀ ବୈଠକ ସଂଘର ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗାଡ଼ି କର୍ମଚାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ରାସନ ସାମଗୀ ଯୋଗାଇ ଦିଆଯିବା ସହିତ ରିହାତି ଦରରେ ଡିଜେଲ ଦିଆଯାଉ ବୋଲି ଦାବି ହୋଇଛି । ଗାଡ଼ି ପିଛା ଏକ ଲକ୍ଷ ଟଙ୍କା ଲେଖାଏଁ ବିନା ସୁଧରେ ଋଣ ଦିଆଯିବା ସହିତ ବୀମା ଅବଧି ବୃଦ୍ଧି କରାଯାଉ ବୋଲି ଓଡ଼ିଶା ବସ୍ ମାଲିକ ସଂଘ ଦାବି କରିଛି । ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଟିକସ ଛାଡ଼ କରାଯାଉ ବୋଲି ମଧ୍ୟ ଦାବୀ କରାଯାଇଛି । ଏବେ ୨୦ଟି ଜିଲ୍ଲାରେ ଗାଡ଼ି ନଚାଲିପାରି ଅଚଳାବସ୍ଥା ଜାରି ରହିଥିବାବେଳେ ଆଗକୁ ଆଉ ୧୦ ଜିଲ୍ଲାରେ ଗାଡ଼ି ଚଳାଇବାକୁ ଅନୁମତି ଦେଲେ ବି ଗାଡ଼ି ଚଳାଇବା ସମ୍ଭବ ହେବ ନାହିଁ ବୋଲି ସଂଘପକ୍ଷରୁ କୁହାଯାଇଛି । ।ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯିବା ଫଳରେ ଗାଡ଼ି ମାଲିକମାନେ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ନଚେତ ଆଗାମୀ ଦିନରେ ରାଜ୍ୟରେ ଗାଡ଼ି ଚାଲି ପାରିବ ନାହିଁ ବୋଲି ସଂଘ ପକ୍ଷରୁ ରୋକଠାକେ ଭାବେ କୁହାଯାଇଛି ।

Comments (0)
Add Comment