ଭୁବନେଶ୍ୱର,୧୮/୭(ଏସଏସନିଉଜ) ଆଜି ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ଦଳ ନିଷ୍ପତ୍ତି ମୁତାବକ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ରହିଥିଲା ।କିନ୍ତୁ ଦଳ ନିଷ୍ପତ୍ତି ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ । ଭୋଟ୍ ଦେବା ପରେ ମାଟିର ଝିଅକୁ ଭୋଟ ଦେଇଛି ବୋଲି ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଛନ୍ତି ।ଆମେ ଓଡ଼ିଆ ଲୋକ। ଆମ ଓଡ଼ିଶାରୁ ଜଣେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତେଣୁ ମୋ ବିବେକ ଅନୁସାରେ ମୁଁ ଦ୍ରୌପଦୀଙ୍କୁ ଭୋଟ ଦେଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ବିଧାୟକ ମୋକିମଙ୍କ କ୍ରସ୍ ଭୋଟିଂ ପରେ କଂଗ୍ରେସରେ କମ୍ପନ ଦେଖାଦେଇଛି ।ମୋକିମଙ୍କ ଭୋଟ୍ ସଂପର୍କରେ ହାଇକମାଣ୍ଡଙ୍କୁ ଅବଗତ କରାଇଲୁ। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି କଂଗ୍ରସନେତା ନରସିଂହ ମିଶ୍ର ।ଶୃଙ୍ଖଳିତ ସଭ୍ୟ ଭାବେ ପାର୍ଟି ନିଷ୍ପତ୍ତିରେ ଭୋଟ୍ ଦେବା କଥା। ହେଲେ ଏହା ଦୁର୍ଭାଗ୍ୟଜନକ ଘଟଣା। ହାଇକମାଣ୍ଡକୁ ଜଣାଯିବ ଓ ଆକ୍ସନ ନିଆଯିବ ବୋଲି କହିଛନ୍ତି କଂଗ୍ରସନେତା ସନ୍ତୋଷ ସିଂ ସାଲୁଜା । ଅତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା। ମୋକିମ ଅସନ୍ତୁଷ୍ଟ ଥିବା ଏହା ପ୍ରମାଣ କଲା ବୋଲି କହିଛନ୍ତି କଂଗ୍ରସନେତା ତାରା ବାହିନୀପତି ।