ଗାଁ ମୁହାଁ ଜଙ୍ଗଲୀ ଜୀବଜନ୍ତୁ,ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନ

ବାଙ୍କୀ,୧୦/୬(ଏସ ଏସ ନିୟୁଜ)ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ଭଗିପୁର ଗ୍ରାମରୁ ଏକ ହରିଣକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି।ଖରା ହେଉ କିମ୍ବା ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବା ବହୁବାର ଦେଖିବାକୁ ମିଳିଛି।ସୂଚନାନୁସାରେ ଗୁରୁବାର ଅପରାହ୍ନ ୪ ସମୟରେ ଗୋଟିଏ ୨ ବର୍ଷର ଅଣ୍ଡିରା ହରିଣଟି ଖାଦ୍ୟ ଅନ୍ୱେଷଣରେ ବାଟବଣା ହୋଇ ଭଗିପୁର ଗ୍ରାମ ମଧ୍ୟରେ ଫସି ଯାଇଥିଲା।ଏହା ଦେଖି ଗ୍ରାମର କିଛି ଲୋକ ହରିଣ ଟିକୁ ଉଦ୍ଧାର କରି ବନବିଭାଗ କୁ ଖବର ଦେଇଥିଲେ।ଖବର ପାଇ ଭଗିପୁର ସେସନ୍ ବନ ଅଧିକାରୀ ସଞ୍ଜୀବ କୁମାର ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ହରିଣ ଟିକୁ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ଚନ୍ଦକା ଡ଼ମପଡ଼ା ଅଭୟାରଣ୍ୟରେ ଛାଡିଥିଲେ। ଗ୍ରୀଷ୍ମ ଦିନ ଯୋଗୁଁ ପ୍ରତିବର୍ଷ ହରିଣ,ବାରହା,ସମ୍ବର ଆଦି ଅନେକ ଜଙ୍ଗଲୀ ଜୀବଜନ୍ତୁ ଜଳ ଅନ୍ୱେଷଣ ରେ ଜନବସତି ମୁହାଁ ହେଉଛନ୍ତି।ଚନ୍ଦକା ଜଙ୍ଗଲରୁ ବହୁ ଜୀବଜନ୍ତୁ ଚାରିଘରିଆ,ଭଗିପୁର,ଗୟଳବାଙ୍କ ଆଦି ଗ୍ରାମ ନିକଟ ମହାନଦୀ ଉପରେ ନିର୍ଭର କରିଥାନ୍ତି।ସୂଚନାଯୋଗ୍ୟ ପୂର୍ବରୁ ବହୁବାର ଏଠାରେ ଜଙ୍ଗଲୀ ଜୀବଜନ୍ତୁ ଙ୍କ ଅବାଧ ଶିକାର କରାଯାଇଛି।କିଛି ଦିନ ପୂର୍ବେ ବାଟବଣା ହୋଇ ଗାଁ ମଧ୍ୟକୁ ଚାଲିଆସିଥିବା ଏକ ୭ ବର୍ଷର ଅଣ୍ଡିରା ହରିଣ କୁ ଶିକାର ଉଦ୍ଦେଶ୍ୟରେ କିଛି ଅସାମାଜିକ ଲୋକ ଆକ୍ରମଣ କରିଥିଲେ।ଯଦ୍ୱାରା ହରିଣ ଟିର ଶିଙ୍ଗ ଭାଙ୍ଗିଯାଇ ଗୁରୁତର ହୋଇଥିଲ।

ସେହିପରି କିଛି ମାସ ପୂର୍ବେ ଜଙ୍ଗଲରୁ ଏକ ହରିଣର ଛାଲକୁ ମଧ୍ୟ ବନବିଭାଗ ଉଦ୍ଧାର କରିଥିଲା।ହେଲେ ଦୀର୍ଘ ୪ ମାସ ବିତିଯାଇଥିଲେ ମଧ୍ୟ ବନବିଭାଗର ହାତ ଖାଲି।ଏଯାବତ୍ ବନବିଭାଗ କାହାରିକୁ ଗିରଫ କରିନାହିଁ।ଏ ବିଷୟରେ ଡମପଡ଼ା ରେଞ୍ଜର ଅଶୋକ ଦାସଙ୍କୁ ପଚାରିବାରୁ,କହିଛନ୍ତି ଏ ଦିଗରେ ତଦନ୍ତ ଜାରି ରହିଛି,ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିଲେ ଯିଏ ଦୋଷୀ ଥିବ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।ଯଦି ଜଙ୍ଗଲୀ ଜୀବଜନ୍ତୁଙ୍କ ପ୍ରତି ବାରମ୍ବାର ଏଭଳି ଆକ୍ରମଣ ଘଟୁଛି ତେବେ ତାଙ୍କୁ ସୁରକ୍ଷା ଯୋଗାଇବ କିଏ ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।(ଗୌତମ ରାଉତଙ୍କ ରିପୋର୍ଟ)

Comments (0)
Add Comment