ଭୁବନେଶ୍ୱର,୧।୯(ଏସଏସନିଉଜ)ନନ୍ଦନକାନନରେ ପୁଣି ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚିତାବାଘ ଖୁଆଡରେ କାମ କରୁଥିବା ଜଣେ ଅସ୍ଥାୟୀ କର୍ମଚାରୀ ରଞ୍ଜିତ ବେହେରାଙ୍କୁ ବାଘ କାମୁଡି ଦେଇଥିବା ଅଭିଯୋଗ ହୋଇଛି। ଆହତ କର୍ମଚାରୀଙ୍କ ଆଙ୍ଗୁଠିରେ ଗଭୀର କ୍ଷତ ହୋଇଛି ଏବଂ ତାଙ୍କୁ ରାତି ଅଧରେ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି।
ହେଲେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜନ୍ତୁ ବିଭାଗଠାରୁ ଆରମ୍ଭ କରି ନନ୍ଦନକାନନ ଉପ-ନିର୍ଦ୍ଦେଶକ ପର୍ଯ୍ୟନ୍ତ ଘଟଣାକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ବାଘ କାମୁଡି ନାହିଁ, କେବଳ ନଖ ଲାଗି ସାମାନ୍ୟ ଆଘାତ ହୋଇଛି, ଡ୍ରେସିଂ ପାଇଁ ହସ୍ପିଟାଲ ନିଆଯାଇଛି ବୋଲି ସେ ବୟାନ ଦେଇଛନ୍ତି
ଉପ ନିର୍ଦ୍ଦେଶକ ପ୍ରଦୀପ ମିରାସେ। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଉପ-ନିର୍ଦ୍ଦେଶକ ବୟାନ, ସନ୍ଦେହ ଘେରକୁ ଆହୁରି ବଢାଇ ଦେଇଛି ।
ସୂଚନାଯୋଗ୍ୟଯେ ,ଘଟଣାଟି ମଙ୍ଗଳବାର ଅପରାହ୍ନ ସାଢେ଼ ୪ ସମୟରେ ଘଟିଛି । ନନ୍ଦନକାନନରେ କଲରାପତରିଆ ବାଘ ରହୁଥିବା ୧୦ କ୍ୱାରେଟାଇନିରେ ବାଘକୁ ଖାଇବାକୁ ଦେବାବେଳେ କେଜର ଖିଡ଼ିକି ଜାମ୍ ହୋଇଥିଲା।ଏହି ସମୟରେ କର୍ମଚାରୀଙ୍କ ଆଙ୍ଗୁଠିକୁ ବାଘଟି କାମୁଡି ଦେଇଥିଲା। ଆହତ ଅବସ୍ଥାରେ ତାଙ୍କୁ ସଙ୍ଗେ ସଙ୍ଗେ ଅନ୍ୟ କର୍ମଚାରୀ ମାନେ ଆଣି ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ।ପରେ ନନ୍ଦନକାନନ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ଘରୋଇ କ୍ଲିନିକ୍ ରେ ଭର୍ତ୍ତି କରାଯାଇଥିଲା।ତେବେ ରଞ୍ଜିତ ସେଠାରେ ଚିକିତ୍ସିତ ହୋଇ ଘରକୁ ଫେରିଥିବାର ଜଣାପଡିଛି।
ତେବେ ପ୍ରଶ୍ନ ଉଠୁଛି, ଯଦି କେବଳ ନଖ ଲାଗିଥିଲା ତେବେ କାହିଁକି ରାତି ଅଧରେ ତରବରିଆ ଭାବେ ହସ୍ପିଟାଲ ନିଆଗଲା? ସତକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି କି? ନନ୍ଦନକାନନ କର୍ତୃପକ୍ଷଙ୍କ ବୟାନ ପରେ ଏବେ ସନ୍ଦେହ ଆହୁରି ଘନୀଭୂତ ହୋଇଛି।ଏହି ଘଟଣା ପରେ ନନ୍ଦନକାନନର ପରିଚାଳନା ବ୍ୟବସ୍ଥା ଉପରେ ପୁଣି ଥରେ ଆଙ୍ଗୁଠି ଉଠିଛି।