ମନରେଗା ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା

ଭୁବନେଶ୍ୱର,୯/୭(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ ମାସ ପର‌୍ୟ୍ୟନ୍ତ ଏହି ତିନିମାସ ମଧ୍ୟରେ କାମ କରିଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ପ୍ରତ୍ୟେକ ଦିନର ମଜୁରି ସହିତ ଆଉ ଅତିରିକ୍ତ ୫୦ ଟଙ୍କା ପ୍ରଦାନ କରାଗଲା। ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଜମା କରାଗଲା । ଏହାଦ୍ବାରା ପ୍ରତ୍ୟେକ ଶ୍ରମିକ ୪୫୦୦ ଟଙ୍କା ପର‌୍ୟ୍ୟନ୍ତ ଅତିରିକ୍ତ ମଜୁରି ପାଇଛନ୍ତି । ସମୁଦାୟ ୩୨ ଲକ୍ଷ ଶ୍ରମିକ ୩୫୨ କୋଟି ଟଙ୍କାର ସହାୟତା ପାଇଲେ ।
ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଗରିବ ଲୋକଙ୍କ ପାଇଁ ମୋ ହୃଦୟରେ ସବୁବେଳେ ସ୍ଵତନ୍ତ୍ର ସ୍ଥାନ ରହିଛି । ଗରିବ ଲୋକଙ୍କ କାର୍ଯ୍ୟକ୍ରମ ମୋତେ ଅଧିକ ସନ୍ତୋଷ ଦେଇଥାଏ ବୋଲି ମୁଖ୍ୟ ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଏବଂ ଆଜିର ଏହି ସହାୟତା ସେମାନଙ୍କ ପରିବାରର ଆର୍ଥିକ ଅସୁବିଧା ଦୂର କରିବାରେ ସାହାଜଯ କରିବା ବୋଲି ଆଶା ପ୍ରକାଶ କରିଥିଲେ । ଗରିବ ଲୋକଙ୍କ ପାଇଁ ଏହିପରି ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଜିଲ୍ଲା ସ୍ତରରେ ଅଧିକ ଶ୍ରମଦିବସ ସୃଷ୍ଟି କରି ଗରିବ ଲୋକଙ୍କ ରୋଜଗାର ଦେବା ପାଇଁ କାମ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କୋଭିଡର ଦ୍ଵିତୀୟ ଲହରରେ ଗରିବ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ୧୬୯୦ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ଶ୍ରମିକ ମାନଙ୍କ ପାଇଁ ମଧ୍ୟ ୩୫୨ କୋଟି ଟଙ୍କାର ସହାୟତା ରହିଛି ।MGNREGS ରେ ଗତବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭ କୋଟି ଶ୍ରମ ଦିବସ ସୃଷ୍ଟି ହୋଇ ପାରିଛି ଏବଂ ବର୍ଷ ଶେଷ ସୁଧା ୨୫ କୋଟି ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ ରଖା ଯାଇଛି
ଏହି ଅବସରରେ ପଞ୍ଚାଯତରାଜ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗରିବ କୃଷକ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରି, ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ରାଉରକେଲା ବିଧାୟକ ଶ୍ରୀ ସାରଦା ନାୟକ ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିକାଶ ଓ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ବର ଉଚ୍ଚ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୧୪ ଟି ବ୍ଲକର MGNREGS ଶ୍ରମିକ ମାନେ ଭିଡିଓ କନଫରେନସିଙ୍ଗ ଯୋଗେ ଯୋଡି ହୋଇଥିଲେ । ଗଞ୍ଜାମର ନିକି ଆମ୍ମା ଓ କୈଳାଶ ଗଉଡ , କୋରାପୁଟର ସୁରେଶ ବାଖିଆ, ତପନ କୁମାର ନାଗ , କଳାହାଣ୍ଡିର ସିତି ପୂଜାରୀ ଓ ଗଜ ମାଝି ଓ ମୟୂରଭଞ୍ଜରଶିବରାମ ସୋରେନ ଓ ସୁକାନ୍ତି ମୁର୍ମୁ ପ୍ରମୁଖ କେତେ ଜଣ ହିତାଧିକାରୀ ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର କୃତଜ୍ଞତା ପ୍ରକାଶ କରିଥିଲେ। ଏହି ସହାୟତା କୋଭିଡ ସମୟରେ ସେମାନଙ୍କୁ ବିଶେଷ ସାହାଜ୍ୟ କରିବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଶ୍ରୀ ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର , ଉନ୍ନୟନ କମିଶନର , କୃଷି ଉତ୍ପାଦନ କମିଶନର, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Comments (0)
Add Comment