ବାରଙ୍ଗ,୬।୨(ଏସଏସ ନିଉଜ)ନନ୍ଦନକାନନଥାନା ଅଧିନସ୍ତ ରଘୁନାଥପୁର ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା।ଏହି ଘଟଣାରେ ଦେଢ଼ ମାସ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ସହ ନାବାଳିକା ଙ୍କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି।ଗିରଫ ଯୁବକ ଜଣକ ହେଉଛନ୍ତି ରଘୁନାଥପୁର ଗ୍ରାମର ବିଚିତ୍ର ଜେନାଙ୍କ ପୁଅ ଚିକୁନ ଜେନା(୨୪)। ପୋଲିସ ସୂଚନା ମୁତାବକ ଗତ ବର୍ଷ ଡ଼ିସେମ୍ବର ୧୪ ତାରିଖରେ ରଘୁନାଥପୁର ଗ୍ରାମର ଜଣେ ନାବାଳିକା ଝିଅଙ୍କୁ ଉକ୍ତ ଗ୍ରାମର ଅଭିଯୁକ୍ତ ଚିକୁନ କେଉଁ ଆଡେ ଅପହରଣ କରି ଫେରାର ହୋଇଯାଇଥିବା ନାବାଳିକାଙ୍କ ପରିବାର ଲୋକେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ କେସ ନଂ ୨୦୦/୨୨ ରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା।ଅଭିଯୁକ୍ତ ଯୁବକ ଜଣକ ପଶ୍ଚିମବଙ୍ଗର ଖଡଗପୁର ରେଳଷ୍ଟେସନ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ନାବାଳିକାଙ୍କୁ ରଖିଥିବା କଥା ନନ୍ଦନକାନନ ଥାନା ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ଜଣିବାକୁ ପାଇଥିଲେ।ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଦେଢ଼ମାସ ପରେ ଯୁବକଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ସୁରକ୍ଷିତ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଥିଲେ। ଉପରୋକ୍ତ ଅଭିଯୋଗକୁ ଭିତ୍ତିକରି ନନ୍ଦନକାନନ ଥାନା ପୋଲିସ ଆଇପିସିର ଧାରା ୩୬୩/୩୬୬ ରେ ଅଭିଯୁକ୍ତ ଚିକୁନକୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବିଶ୍ବରଞ୍ଜନ ନାୟକ ସୂଚନା ଦେଇଛନ୍ତି।