ରାଜା ମଧୁସୂଦନଦେବ ଡିଗ୍ରୀ କଲେଜ

ଏନ୍‌ଏସ୍‌ଏସ୍‌ ପୂଜା ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

ଭୁବନେଶ୍ୱର,୧୩।୧୦(ଏସଏସନିଉଜ) ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଅକ୍ଟୋବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ଚାଲିଥିବା ଏନ୍‌ଏସ୍‌ଏସ୍‌ ପୂଜା ସ୍ୱତନ୍ତ୍ର ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।
ଶିବିରର ପ୍ରଥମ ଦିନରେ ଓଡ଼ିଶା ଏସ୍‌ଏନ୍‌ଓ-ତଥା-ଉପସଚିବ ଡ. ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାତଦିନ ମଧ୍ୟରେ ପ୍ରାୟ ୭୦ ଜଣ ସ୍ୱେଚ୍ଛାସେବୀ ପୋଷ୍ୟ ଗ୍ରାମ ଇଞ୍ଜଣାରେ ସାଇବର ସୁରକ୍ଷା, ନିଶା ନିବାରଣ ଓ ବାଳିକା ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏଥିସହ ସଡ଼କ ସୁରକ୍ଷା, ରକ୍ତଦାନ, ସ୍ୱଚ୍ଛତା, ପରିବେଶ ସୁରକ୍ଷା, ମହିଳା ସୁରକ୍ଷା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରୀତିଯୁଗୀୟ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ସାହିତ୍ୟକୃତି ଉପରେ ଆନ୍ତଃ ମହା ବିଦ୍ୟାଳୟ ସ୍ତରୀୟ ଆଲୋଚନାଚକ୍ର ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଯାହାକୁ ଅଭିମନ୍ୟୁ ସାମନ୍ତସିଂହାର ସ୍ମୃତି ସଂସଦର ସଭାପତି ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥି ଉଦଘାଟନ କରିଥିଲେ ।ଶତାବ୍ଦୀର ସ୍ୱପ୍ନ—ଓଡ଼ିଶା ୨୦୩୬, ଭାରତ ୨୦୪୭’ କାର୍ଯ୍ୟକ୍ରମରେ ସମାଜସେବୀ ତଥା ଏନ୍‌ଏସ୍‌ଏସ୍‌ ପ୍ରଶିକ୍ଷକ ମଧୁ ଭାଇ ଯୋଗଦେଇ ଯୁବପିଢ଼ିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ଉଦ୍‌ଯାପନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଏନ୍‌ଏସ୍‌ଏସ୍‌ ଅଧିକାରୀ ଡ. ଜୟଶ୍ରୀ ବାଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ।
କଲେଜର ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ ଏବଂ ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡ. ମଧୁସ୍ମିତା ମହାନ୍ତି ଓ ପୁରୁଷ ୟୁନିଟ୍‌ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଧନଞ୍ଜୟ ଭୂୟାଁଙ୍କ ସମନ୍ୱୟରେ ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଶିବିର ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ସମାଜସେବା, ଶୃଙ୍ଖଳା ଓ ଜନକଲ୍ୟାଣର ଭାବନାକୁ ସୁଦୃଢ଼ କରିଥିଲା।

Comments (0)
Add Comment