ଭୁବନେଶ୍ୱର,୧୩।୧୦(ଏସଏସନିଉଜ) ବଡ଼ମାନଙ୍କୁ ଟ୍ରାଫିକ ନିୟମ ଶିଖାଇବେ ଏବେ ସ୍କୁଲ ପିଲା। ସେବା ସଙ୍କଳ୍ପ ଅଭିଯାନରେ ଆରଟିଓ, ଭୁବନେଶ୍ୱର-୨ର ଅଭିନବ ପ୍ରୟାସ ଏବେ ଚର୍ଚାର ବିଷୟ ପାଲଟିଛି। ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷାର ଦୂତ କରିବା ଲକ୍ଷ୍ୟରେ ମଙ୍ଗଳବାର ଦୁଇଟି ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି।
ନନ୍ଦନକାନନ ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
ପିଲାମାନେ ତୂଳୀରେ ଆଙ୍କିଥିଲେ ଦୁର୍ଘଟଣାର ଭୟାବହ ଚିତ୍ର, ଲେଖିଥିଲେ “ବାପା, ହେଲମେଟ ପିନ୍ଧି ଯାଅ” ଭଳି ହୃଦୟସ୍ପର୍ଶୀ ସ୍ଲୋଗାନ। ଶୈଳେନ୍ଦ୍ର ନାରାୟଣ ସରକାରୀ ହାଇସ୍କୁଲରେ ବି ସମାନ ଉତ୍ସାହ ଦେଖିବାକୁ ମିଳିଥିଲା। ମୋବାଇଲ ଦେଖି ଗାଡ଼ି ଚଳାଇବା, ବିନା ହେଲମେଟରେ ବାଇକ ଚଲାଇବା କେତେ ବିପଦ ନିଜ ଚିତ୍ରରେ ବୁଝାଇଥିଲେ କୁନି କଳାକାର।
କାର୍ଯ୍ୟକ୍ରମରେ ଯୋଗଦେଇ ଆରଟିଓ ଶ୍ରୀ ପ୍ରଣୟ କୁମାର ମିଶ୍ର କହିଥିଲେ, “ପିଲାଟିଏ ସଚେତନ ହେଲେ ପୁରା ପରିବାର ସଚେତନ ହେବ। ଆଜିର ଛାତ୍ର ହିଁ ଆଗାମୀ ଦିନର ସଚେତନ ନାଗରିକ।ଟ୍ରାଫିକ ଇନ୍ସପେକ୍ଟର ଶ୍ରୀ ସୁମନ୍ତ୍ର ପାତ୍ର, ଏଏମଭିଆଇ ଶ୍ରୀ ଲୋକନାଥ ନାୟକ ପିଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଟ୍ରାଫିକସଙ୍କେତ ବିଷୟରେ ବୁଝାଇଥିଲେ।ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପ୍ରଶଂସା କରାଯାଇଥିଲା।ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ।(ଜ୍ଞାନଜିତ୍ ପ୍ରଧାନଙ୍କ ରିପୋର୍ଟ)