ବାରଙ୍ଗ,୬।୪(ଏସଏସନିଉଜ) ନନ୍ଦନକାନନର ବିକାଶ ଓ ସୈାନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୁପକ୍ଷ ବହୁ ଅନୁଦାନ ଦେଉଛନ୍ତି।ଏହାସହ ନନ୍ଦନକାନନ ତାର ନିଜସ୍ବ ଆୟକୁ ମଧ୍ୟ ବିକାଶମୂଳକକାର୍ଯ୍ୟ ପାଇଁ ଖର୍ଚ୍ଚ କରୁଛି।ଏତେ ସବୁ ସତ୍ତ୍ବେ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ନନ୍ଦନକାନନ ପ୍ରାଣୀଉଦ୍ୟାନର ଟିକଟ କାଉଣ୍ଟର ପ୍ରବେଶ ପଥ ରାସ୍ତା ଓ ଫୁଟପାତ୍ ରେ ବର୍ଷାପାଣିର ସୁଅ ଛୁଟୁଛି ।ଗୁରୁବାର ହୋଇଥିବା ବର୍ଷାରେ ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଯୋଗୁଁ ପର୍ଯ୍ୟଟକ ,କର୍ମଚାରୀ ଓ ସ୍ଥାନୀୟ ବ୍ୟବସାୟୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟବାହାରୁ ଆସିଥାନ୍ତି।ପ୍ରାଣୀଉଦ୍ୟାନକୁ ମୁଖ୍ୟରାସ୍ତାରୁ ଯିବାପାଇଁ ପିଚୁ ରାସ୍ତା ରହିଛି।ନନ୍ଦନକାନନର ନୂତନ ବହୁତଳ ଗାଡି ରହଣିସ୍ଥଳକାର୍ଯ୍ୟ ଆରମ୍ଭ ସମୟରେ ଭୁବନେଶ୍ବର ପୂର୍ତ୍ତ ଡିଭିଜନ-୩ ବିଭାଗ ଦ୍ବାରା ଏହି ରାସ୍ତାର ପିଚୁକାର୍ଯ୍ୟ ହୋଇଥିଲା।ଅଧିକାରୀଙ୍କ ତ୍ରୃଟିପୂର୍ଣ୍ଣକାର୍ଯ୍ୟ ପାଇଁ ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଜମି ରହିବା ଫଳରେ ପ୍ରାଣୀଉଦ୍ୟାନ କର୍ମଚାରୀ,ବ୍ୟବସାୟୀ ଓ ପର୍ଯ୍ୟଟକମାନେ ଯିବାଆସିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି।