ବାରଙ୍ଗ,୨୬/୧୨(ଏସଏସନିୟୁଜ)ବଡଦିନରେ କମ ରହିଥିବାବେଳେ ରବିବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଙ୍କ ଆଗମନ ହୋଇଛି। ନନ୍ଦନକାନନ ପରିସରରେ ସବୁଆଡେ ଲୋକାରଣ୍ୟରେ ପରିଣତ ହୋଇଥିଲା । ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରେ ନନ୍ଦନକାନନକୁ ୨୮ହଜାର ୮୩ଜଣ ପର୍ଯ୍ୟଟକ ଆସିଥିଲେ।ସେମାନଙ୍କ ମଧ୍ୟରେ ଅଫଲାଇନରେ ୨୬ହଜାର ୮୯୮ ଜଣ ଓ ଅନଲାଇନରେ ୧ହଜାର ୧୮୫ଜଣ ପର୍ଯ୍ୟଟକ । ବଡଦିନ ଶନିବାର ପଡିଥିବାରୁ ନନ୍ଦନକାନନକୁ ରବିବାର ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ ବୋଲି ଜଣାପଡିଛି।ସେହିଭଳି ରାଜ୍ୟଉଭିଦ ଉଦ୍ୟାନ ମଧ୍ୟରେ ମଧ୍ୟ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଙ୍କ ସମାଗମ ହୋଇଥିବା ଜଣାପଡିଛି।ଆଜି ୩ହଜାର ୩୨୩ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ।ସେମାନଙ୍କ ମଧ୍ୟରେ ୬୬ଟି ଦଳ ବଣଭୋଜି କରିଥିଲେ।ସେମାନଙ୍କ ଠାରୁ ଟିକଟ ବାଦରେ ୧ଲକ୍ଷ ୧୯ହଜାର ୫୦୦ଟଙ୍କା ରାଜସ୍ବ ଆଦାୟ କରାଯାଇଛି ବୋଲି ନନ୍ଦନକାନନ ଉପନିର୍ଦେଶକ ଡ.ସଞିତ୍ କୁମାର ସୂଚନା ଦେଇଛନ୍ତି। ତେବେ ଶିଶୁ ଉଦ୍ୟାନ ଓ ଶିଶୁରେଳଗାଡି ବନ୍ଦ ଥିବାରୁ ପିଲାମାନେ ନିରାଶ ହୋଇ ଘରକୁ ଫେରିଥିବାର ଦେଖିବାକୁ ମିଳୁଥିଲା। ତେବେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିବାର ଆଶଙ୍କା କରି ନନ୍ଦନକାନନ କର୍ତୁପକ୍ଷ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ପୁର୍ବପ୍ରସ୍ତୁତି ଅନୁଯାୟୀ ଅଧିକ ଟିକେଟ କାଉଂଟର ସହ ଆନୁସଙ୍ଗିକ ବ୍ୟବସ୍ଥାକୁ ହାତକୁ ନେଇଥିଲେ ।ଅପରାହ୍ନ ୩ଟା ପରଠାରୁ ସନ୍ଧ୍ୟାସାଢେ୬ଟା ପର୍ଯ୍ୟନ୍ତ ନନ୍ଦନକାନନ ମୁଖ୍ୟରାସ୍ତାରେ ଏତେ ପରିମାଣରେ ଗାଡିମଟର ଜାମ ରହିଥିଲାକି କଟକଭୁବନେଶ୍ୱର ଯାଉଥିବା ଗାଡିମଟର ଗୁଡିକ ବହୁ ହାଇରାଣ ହରକତ ହୋଇଥିଲେ ।ଟ୍ରାଫିକ ସମସ୍ୟା ପାଇଁ ନନ୍ଦନକାନନଥାନା ପୋଲିସକୁ ନୟାନ୍ତ ହେବାକୁ ପଡିଥିବାର ଦେଖିବାକୁ ମିଳିଥିଲା । ନନ୍ଦନକାନନ ଥାନା ଆଇଆଇସି ବିଶ୍ବ ରଞନ ସେନାପତିଙ୍କ ତତ୍ତ୍ବାବଧାନରେ ଭିଡ ନିୟନ୍ତ୍ରଣ କରାଯାଇଥିବାବେଳେ ନନ୍ଦନକାନନ ପର୍ଯ୍ୟଟକ ସହକାରୀ ବନସଂରକ୍ଷକ ଶରତ ଚନ୍ଦ୍ର ବେହେରା ଓ ରାଜ୍ୟଉଭିଦ ଉଦ୍ୟାନ ସହକାରୀ ବନସଂରକ୍ଷକ ବନମାଳୀ ସାହୁ ଙ୍କ ସମେତ ଅନ୍ୟଅଧିକାରୀମାନେ ଟିକେଟ ଯାଂଚ ଫାଟକ ପାଖରେ ଉପସ୍ଥିତ ରହି ଭୀଡକୁ ନିୟନ୍ତ୍ରଣ କରିଥିଲେ ।